ନୂଆଦିଲ୍ଲୀ : ଆମେରିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଗାଜାରେ ହୋଇଥିବା ଶାନ୍ତି ଚୁକ୍ତିର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଗାଜା ଶାନ୍ତି ବୋର୍ଡର ପ୍ରତିଷ୍ଠା କରାଯାଉଛି। ସୂତ୍ରାନୁସାରେ, ଭାରତକୁ ଏଥିରେ ମଧ୍ୟ ସାମିଲ କରିବା ପାଇଁ ଟ୍ରମ୍ପ ନୂଆଦିଲ୍ଲୀକୁ ନିମନ୍ତ୍ରଣ ପତ୍ର ପଠାଇଛନ୍ତି। ହେଲେ, ଏବେସୁଦ୍ଧା ଏହି ପ୍ରସଙ୍ଗରେ ଭାରତ କିମ୍ବା ଆମେରିକା ସରକାରଙ୍କ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ। ଉକ୍ତ ବୋର୍ଡରେ ସାମିଲ ହେବାକୁ ପାକିସ୍ତାନକୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି , ଶରିଫ ସରକାର ଏହା ସ୍ପଷ୍ଟ କରିଛନ୍ତି।

ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ଟ୍ରମ୍ପ ଏହି ବୋର୍ଡରେ ସାମିଲ ହେବାକୁ ପ୍ରାୟ ୬୦ଟି ଦେଶକୁ ନିମନ୍ତ୍ରଣ କରିଛନ୍ତି। ଅଧିକାଂଶ ଦେଶ ବର୍ତ୍ତମାନ ପାଇଁ ନିମନ୍ତ୍ରଣ ଉପରେ ନୀରବ ରହିଛନ୍ତି। କେବଳ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏହାକୁ ଖୋଲାଖୋଲି ଭାବେ ସ୍ୱୀକାର କରି କହିଛନ୍ତି ଯେ, ତାଙ୍କ ଦେଶ ନିଜ ପକ୍ଷରୁ ଯୋଗ ଦେବାକୁ ପ୍ରସ୍ତୁତ। ଅନ୍ୟପଟେ, କାନାଡା ପ୍ରଧାନମନ୍ତ୍ରୀ ମାର୍କୋ କାର୍ନିଙ୍କୁ ଯେତେବେଳେ ଏହି ବିଷୟରେ ପଚରା ଗଲା ତ ସେ କହିଥିଲେ ଯେ, ସେ ନୀତିଗତ ଭାବେ ଟ୍ରମ୍ପଙ୍କ ଗାଜା ଶାନ୍ତି ବୋର୍ଡକୁ ସମର୍ଥନ କରନ୍ତି। ହେଲେ ଏଥିରେ ସାମିଲ ହେବା କିମ୍ୱା ନାହିଁ ଏହା ବିଷୟରେ ଏବେ ଆଲୋଚନା ଜାରି ରହିଛି।  

ଇରାନର ହିଂସାତ୍ମକ ବିକ୍ଷୋଭରେ ୫୦୦୦ ମୃତ , ୨୪୦୦୦ ଗିରଫ ; ସରକାର କହିଲେ –ଆତଙ୍କବାଦୀମାନେ ହିଁ ...

ସେପଟେ ପଡ଼ୋଶୀ ଦେଶ ପାକିସ୍ତାନ ନିମନ୍ତ୍ରଣ ପାଇଥିବା ସ୍ପଷ୍ଟ କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ତାହିର ଅନ୍ଦ୍ରାବି କହିଛନ୍ତି ଯେ, ୱାଶିଂଟନ ପକ୍ଷରୁ ଏହି ନିମନ୍ତ୍ରଣ ମିଳିଛି। ସେ ଆହୁରି ମଧ୍ୟ କହିଛନ୍ତି -ଗାଜା ପାଇଁ ହେବାକୁ ଥିବା ଶାନ୍ତି ପ୍ରୟାସରେ ପାକିସ୍ତାନ ନିଶ୍ଚୟ ଅଂଶଗ୍ରହଣ କରିବ।