ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର କଲାସିପାଲ୍ୟା ବିଏମଟିସି ବସ୍ ଷ୍ଟାଣ୍ଡ ନିକଟରେ ଏକ ପ୍ଲାଷ୍ଟିକ ବ୍ୟାଗରେ ଛଅଟି ଜିଲେଟିନ ଷ୍ଟିକ୍ ଏବଂ ଡିଟୋନେଟର ମିଳିବାରୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣା ବୁଧବାର (୨୩ ଜୁଲାଇ) ଦିନ ଦିନ ପ୍ରାୟ ୨ଟା ସମୟରେ ବସ ଷ୍ଟାଣ୍ଡରେ ଏକ ସନ୍ଦେହଜନକ ବ୍ୟାଗ ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ଆଉ ପୁଲିସ ଆସି ଯାଞ୍ଚ କରିବାରୁ ଏହି ମାମଲା ସମସ୍ତଙ୍କ ସାମ୍ନାକୁ ଆସିଥିଲା।
ସୂଚନା ମୁତାବକ, ଖୂର ପାଇ ଘଟଣାସ୍ଥଳରେ କଲାସିପାଲ୍ୟା ପୁଲିସ ଷ୍ଟେସନର ଅଧିକାରୀମାନେ ଏବଂ ଆତଙ୍କବାଦ ବିରୋଧୀ ଦଳ (ଏଟିଏସ) ତୁରନ୍ତ ପହଞ୍ଚି ଅଞ୍ଚଳଟିକୁ ଅବରୋଧ କରି ତଦନ୍ତ ଆରମ୍ଭ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଡଗ ସ୍କ୍ୱାଡ଼କୁ ମଧ୍ୟ ଡକାଯାଇ ବ୍ୟାଗରେ ଥିବା ସାମଗ୍ରୀର ଯାଞ୍ଚ କରାଯାଇଥିଲା। ପୁଲିସ ଜଣାଇଛି ଯେ ଜିଲେଟିନ ଷ୍ଟିକ୍ ଏବଂ ଡିଟୋନେଟରଗୁଡ଼ିକ ଅଲଗା ଅଲଗା ଭାବେ ପ୍ୟାକ କରାଯାଇଥିଲା।
ପଶ୍ଚିମ ବେଙ୍ଗାଲୁରୁର ଡେପୁଟି କମିଶନର ଅଫ ପୁଲିସ (ଡିସିପି) ଏସ. ଗିରିଶ ଘଟଣାର ସତ୍ୟତା ନିଶ୍ଚିତ କରି କହିଛନ୍ତି, "କଲାସିପାଲ୍ୟା ବିଏମଟିସି ବସ୍ ଷ୍ଟାଣ୍ଡର ଶୌଚାଳୟ ବାହାରେ ଏକ କ୍ୟାରୀ ବ୍ୟାଗରେ ଛଅଟି ଜିଲେଟିନ ଷ୍ଟିକ୍ ଏବଂ କିଛି ଡିଟୋନେଟର ମିଳିଛି। ଏଫଆଇଆର ଏପର୍ଯ୍ୟନ୍ତ ରେଜିଷ୍ଟର ହୋଇନାହିଁ।" ତଦନ୍ତ ଜାରି ରହିଥିବା ବେଳେ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ଏବଂ ବ୍ୟାଗ ରଖିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି।
ଜିଲେଟିନ ଷ୍ଟିକ୍ ହେଉଛି ଏକ ଶସ୍ତା ବିସ୍ଫୋରକ ସାମଗ୍ରୀ। ଯାହା ଖଣି ଖନନ ଏବଂ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବହୃତ ହୁଏ। ତେବେ, ଏହା ଡିଟୋନେଟର ବିନା ବିସ୍ଫୋରଣ ଘଟାଇ ପାରେ ନାହିଁ। ପୁଲିସ ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣାରେ କୌଣସି ବିପଦ ନାହିଁ। କିନ୍ତୁ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ତଦନ୍ତ କରାଯାଉଛି।
ଏହି ଘଟଣା ପୂର୍ବରୁ ବେଙ୍ଗାଲୁରୁରେ ହୋଇଥିବା ବୋମା ଆତଙ୍କ ଘଟଣାକୁ ମନେ ପକାଇ ଦେଇଛି। ଗତ ସପ୍ତାହରେ ସହରର ୪୦ରୁ ଅଧିକ ବେସରକାରୀ ବିଦ୍ୟାଳୟକୁ ବୋମା ଧମକ ନେଇ ଇମେଲ ମିଳିଥିଲା, ଯାହା ଅଭିଭାବକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। କଲାସିପାଲ୍ୟା ଏକ ଜନଗହଳିପୂର୍ଣ୍ଣ ଏବଂ ସାମ୍ପ୍ରଦାୟିକ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ, ଏହି ଘଟଣା ସ୍ଥାନୀୟ ବାସିନ୍ଦା ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଗଭୀର ଚିନ୍ତା ଉତ୍ପନ୍ନ କରିଛି।
ପୁଲିସ ସାଧାରଣ ଜନତାଙ୍କୁ ଶାନ୍ତ ରହିବାକୁ ଏବଂ ଯେକୌଣସି ସନ୍ଦେହଜନକ ବସ୍ତୁ ବା ଗତିବିଧି ଦେଖିଲେ ତୁରନ୍ତ ଅଧିକାରୀଙ୍କୁ ସୂଚନା ଦେବାକୁ ଅନୁରୋଧ କରିଛି। ଏ ଘଟଣା ନେଇ ତଦନ୍ତ ଜାରି ରହିଛି ଏବଂ ଅଧିକ ତଥ୍ୟ ପାଇଁ ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ସୂତ୍ରରୁ ଯାଞ୍ଚ କରାଯାଉଛି। ବହୁ ଜଲଦି ଏନେଇ ତଥ୍ୟ ହାସଲ ହେବ ବୋଲି ଅନୁମାନ କରାଯାଉଛି।