ନୂଆଦିଲ୍ଲୀ: ଜର୍ମାନୀର ରାଷ୍ଟ୍ରପତି ଫ୍ରାଙ୍କ-ୱାଲ୍ଟର ଷ୍ଟେନମେୟର ଦେଶର ସଂସଦକୁ ଭଙ୍ଗ କରିଛନ୍ତି। ସମୟ ପୂର୍ବରୁ ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଏହି ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ଫେବୃଆରୀ ୨୩ରେ ଶୀଘ୍ର ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ସଂସଦ ଭଙ୍ଗ କରିବାକୁ ନିର୍ଦ୍ଦେଶ ପରେ ଅଧିକ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି। ଚାନସଲର ଓଲାଫ ସ୍କୋଲଜଙ୍କ ଶାସକ ମିଳିତ ମଞ୍ଚର ପତନକୁ ଦୃଷ୍ଟିରେ ରଖି ଶୁକ୍ରବାର ସଂସଦ ଭଙ୍ଗ କରିବା ଏବଂ ଫେବୃଆରୀ ୨୩ରେ ନୂତନ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉକି, ଆସ୍ଥା ଭୋଟରେ ଚାନସଲର ଓଲାଫ ସ୍କୋଲଜଙ୍କ ମିଳିତ ମଞ୍ଚ ସରକାରର ପରାଜୟକୁ ଦୃଷ୍ଟିରେ ରଖି ଫେବୃଆରୀ ୨୩ରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୧୬ ରେ ସ୍କୋଲଜ ଏକ ଆସ୍ଥା ଭୋଟ୍ ହରାଇଥିଲେ ଏବଂ ବର୍ତ୍ତମାନ ଏକ ସଂଖ୍ୟାଲଘୁ ସରକାରର ନେତୃତ୍ୱ ନେଉଛନ୍ତି । ଜର୍ମାନୀର ସ୍ଥିର ଅର୍ଥନୀତିକୁ କିପରି ପୁନର୍ଜୀବିତ କରାଯିବ ସେନେଇ ବିବାଦକୁ ନେଇ ନଭେମ୍ବର ୬ ରେ ସ୍କୋଲଜଙ୍କ ତିନି ଦଳୀୟ ମିଳିତ ସରକାର ସଙ୍କଟରେ ପଡ଼ିଥିଲେ।

ଏହି ଘଟଣା ପରେ ଅନେକ ପ୍ରମୁଖ ଦଳର ନେତା ଏକମତ ହୋଇଥିଲେ ଯେ ମୂଳ ଯୋଜନା ଠାରୁ ସାତ ମାସ ପୂର୍ବରୁ ୨୩ ଫେବୃଆରୀରେ ସଂସଦ ନିର୍ବାଚନ ହେବା ଉଚିତ୍। ଯେହେତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମ୍ବିଧାନ ବୁନ୍ଦେଷ୍ଟାଗ୍ (ସଂସଦ) କୁ ନିଜକୁ ଭଙ୍ଗ କରିବାକୁ ଦେଇନଥାଏ, ତେଣୁ ସଂସଦକୁ ଭଙ୍ଗ କରି ନିର୍ବାଚନ ଡାକିବା ଷ୍ଟେନମିୟରଙ୍କ ଉପରେ ଥିଲା। ଏହି ନିଷ୍ପତ୍ତି ନେବାକୁ ତାଙ୍କୁ ୨୧ ଦିନ ସମୟ ଥିଲା । ସଂସଦ ଭଙ୍ଗ ହେବା ପରେ ଦେଶରେ ୬୦ ଦିନ ମଧ୍ୟରେ ନିର୍ବାଚନ ହେବା ଆବଶ୍ୟକ।