ନୂ, ୧୯।୯: ଜର୍ମାନୀର ସ୍ପ୍ରି ନଦୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ଅଫୁଟା ବୋମା ମିଳିଛି । ଯାହା ପରେ କେନ୍ଦ୍ରୀୟ ବର୍ଲିନର ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜର୍ମାନୀ ରାଜଧାନୀର ମଧ୍ୟଭାଗରେ ଥିବା ଏକ ଘନ ଜନବସତି ଅଞ୍ଚଳରେ ୫୦୦ ମିଟର ଯାଏ ପୋଲିସର ସୁରକ୍ଷା ପରିଧିରେ ରହିଛି । ଅଧିକାରୀମାନେ ସୁରକ୍ଷା ପରିଧି ମଧ୍ୟରେ ଘର ଘର ବୁଲି ବର୍ଲିନ ବାସିନ୍ଦାଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ବିଷୟରେ ସୂଚନା ଦେଇଥିଲେ ।

ବର୍ଲିନର ଟାଗେସପିଗେଲ ଖବରକାଗଜ ରିପୋର୍ଟ କରିଛି ଯେ, ବର୍ଲିନ ମିଟ୍ଟେ ଜିଲ୍ଲାର ଟାଉନ ହଲ୍‌ରେ ଏକ ଜରୁରୀକାଳୀନ ରାତ୍ରୀକାଳୀନ ଆଶ୍ରୟସ୍ଥଳରେ ଲୋକଙ୍କର ଲମ୍ବା ଲାଇନ ଲାଗିଛି । ରାତି କାଟିବା ପାଇଁ ସ୍ଥାନ ପଞ୍ଜିକରଣ କରିବାକୁ ଶହ ଶହ ଲୋକ ଅପେକ୍ଷା କରିଛନ୍ତି । ଲୋକଙ୍କୁ ଥଇଥାନ କରିବା ପାଇଁ ମଧ୍ୟରାତ୍ରି ପରେ ନିକଟସ୍ଥ ଏକ ସ୍କୁଲରେ ଆଉ ଏକ ଆଶ୍ରୟସ୍ଥଳ ଖୋଲାଯାଇଥିଲା । ନଦୀରୁ ମିଳିଥିବା ବୋମାକୁ ଶୁକ୍ରବାର ସକାଳେ ନିଷ୍କ୍ରିୟ କରାଯିବ ବୋଲି କୁହାଯାଇଛି କର୍ତ୍ତୃପକ୍ଷ କହିଛନ୍ତି ଯେ, କେନ୍ଦ୍ରୀୟ ବର୍ଲିନର ଫିସରେନ୍ସେଲ୍ ନିକଟରେ ନିର୍ମାଣ କାର୍ଯ୍ୟ ସମୟରେ ବୋମାଟି ଆବିଷ୍କୃତ ହୋଇଥିଲା । ତେବେ କହରଖୁଛୁ ଯେ, କୌଣସି ବଡ଼ ନିର୍ମାଣ ପ୍ରକଳ୍ପ ପୂର୍ବରୁ ଜର୍ମାନ ସହରଗୁଡ଼ିକରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅଫୁଟା ବୋମା କିମ୍ୱା ଅସ୍ତ୍ରଶସ୍ତ୍ର ଯାଞ୍ଚ କରିବା ଏକ ସାଧାରଣ କଥା ।

​​​​​​​ଶୁକ୍ରବାର ବୋମାକୁ ନିଷ୍କ୍ରିୟ କରାଯିବ ବୋଲି ପୋଲିସ କହିଛି । ଏଥିସହ ସ୍ପ୍ରି ନଦୀରେ ବୁଡ଼ାଳିମାନେ ଭଲ ଭାବରେ ଯାଞ୍ଚ କରିବେ । ବୋମାଟି ପାଣି ଭିତରେ ୪ ମିଟର ତଳେ ଅଛି ଏବଂ ଏହା କାଦୁଅ ଏବଂ ପଙ୍କରେ ଆଚ୍ଛାଦିତ, ଯେଉଁ କାରଣରୁ ଅପରେସନ ଜଟିଳ ହେଉଥିବା ପୋଲିସ କହିଛି । ଶୁକ୍ରବାର ସକାଳେ ବର୍ଲିନ ବାସିନ୍ଦାଙ୍କୁ ସେମାନଙ୍କ ଘରକୁ ଫେରିବାକୁ ଅନୁମତି ଦିଆଯିବ ବୋଲି କୁହାଯାଉଛି । ବୋମା ନିଷ୍କ୍ରିୟ ନ ହେବା ପର୍ଯ୍ୟନ୍ତ, ସହର ଦେଇ ଯାଇଥିବା ସ୍ପ୍ରି ନଦୀରେ ଜାହାଜ ଚଳାଚଳ ବନ୍ଦ ରହିଛି । ରାସ୍ତାଘାଟ ମଧ୍ୟ ବନ୍ଦ କରାଯିବା ସହ ମେଟ୍ରୋ ଲାଇନ୍- ରେ ସେବା ବନ୍ଦ କରାଯାଇଛି ।