ଭୁବନେଶ୍ୱର,୧୭/୧୦: ଛୋଟ ନୁହେଁ, ବଡ଼ ବାତ୍ୟା ଆସୁଛି । ପବନର ଝଟ୍କା (ଗଷ୍ଟିଙ୍ଗ୍) ଘଣ୍ଟାକୁ ୧୨୦ରୁ ୧୬୦କିମି ଯାଏ ରହିପାରେ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ବାତ୍ୟା ସମୁଦ୍ରରୁ ବଳ ଗୋଟାଇବ । ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ଗ୍ଲୋବାଲ ଫୋରକାଷ୍ଟ୍ ସିଷ୍ଟମ (ଜିଏଫଏସ୍) ମଡେଲ ସମ୍ଭାବ୍ୟ ବାତ୍ୟାକୁ ନେଇ ଏଭଳି ଆକଳନ କରିଛି । କିନ୍ତୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ବାତ୍ୟା ସୃଷ୍ଟିକୁ ନେଇ କୌଣସି ପୂର୍ବାନୁମାନ କରିନି ।
ଜିଏଫଏସ୍ ମଡେଲ ବୁଧବାର ସାନି ପୂର୍ବାନୁମାନ କରି ଦର୍ଶାଇଛି, ୨୩ ତାରିଖ ବେଳକୁ ବାତ୍ୟା ଅତି ଭୀଷଣ (ଭେରି ସିଭିଅର) ରୂପ ନେଇ ସାରିଥିବ । ସେବେ ଏହା ଓଡ଼ିଶା ଉପକୂଳଠାରୁ କିଛି ଦୂରରେ ଥିବ । ୨୪ ତାରିଖ ବେଳକୁ ଭଦ୍ରକ ଓ ବାଲେଶ୍ୱର ପାଖରେ ଘଷି ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଯିବ । ବାଲେଶ୍ୱର ପାଖ ଦେଇ ଅତିକ୍ରମ କରିବା ବେଳେ ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ଚାପ (ପ୍ରେସର) ୯୪୪ ମିଲିବାର୍ ଥିବ । ଏହି ଚାପ ୯୫୪ ମିଲିବାର୍ ଯାଏ ଯାଇପାରେ । ଏହି ଚାପକୁ ହିସାବକୁ ନେଇ ସମ୍ଭାବ୍ୟ ବାତ୍ୟାର ତୀବ୍ରତା ମାପିଲେ ଏହା କାଟାଗୋରୀ-୩ ଅଧୀନରେ ଆସୁଛି । ଏହା ଅତି ଭୀଷଣ ବାତ୍ୟା ରୂପ ନେବ ବୋଲି ଜିଏଫଏସ୍ ମଡେଲ ଦର୍ଶାଉଛି ।
ସେହିଭଳି ୟୁରୋପିଆନ ସେଣ୍ଟର ଫର ମିଡିଅମ ରେଞ୍ଜ ୱେଦର ଫୋରକାଷ୍ଟ(ଇସିଏମଡବ୍ଲୁଏଫ୍)ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲ ବା ଏଆଇଏଫଏସ ମଡେଲ ମଧ୍ୟ ବାତ୍ୟାକୁ ନେଇ ପୂର୍ବାନୁମାନ କରିଛି । ବାତ୍ୟା ଓଡ଼ିଶା ଉପକୂଳ ପାଖ ଦେଇ ଅତିକ୍ରମ କରିବ ବୋଲି ଏହା ଦର୍ଶାଇଛି । ୨୪ ତାରିଖ ବେଳକୁ ବାଲେଶ୍ୱର ପାଖ ଦେଇ ଏହା ପାର୍ ହେବ । ଅତିକ୍ରମ ସମୟରେ ବାତ୍ୟାର ପ୍ରେସର ୯୭୯ ମିଲି ବାର୍ ଥିବ ବୋଲି ଆକଳନ କରିଛି । ଓଡ଼ିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟା କାଟାଗୋରୀ-୩ ରହିବ ବୋଲି ଜିଏଫଏସ ମଡେଲ କହୁଥିବାବେଳେ ଏହା କାଟାଗୋରୀ-୪ ରହିବ ବୋଲି ଏଆଇ ମଡେଲ ପୂର୍ବାନୁମାନ କରିଛି । ତେବେ ଦିନ ଯେତିକି ବଢୁଛି ବିଭିନ୍ନ ପାଣିପାଗ ମଡେଲ ନିଜ ଆକଳନକୁ ବଦଳାଉଛନ୍ତି ।
କାନାଡିଆନ୍ ମେଟ୍ରୋଲୋଜିକାଲ ସେଣ୍ଟର(ସିଏମ୍ସି) ମଡେଲ ସମ୍ପୂର୍ଣ୍ଣ ଭିନ୍ନ ଆକଳନ କରିଛି । ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ପରେ ଏହା ସିଧାସଳଖ ଓଡ଼ିଶାରେ ମାଡ଼ ହେବ ବୋଲି ଦର୍ଶାଇଛି । ପୁରୀ ବା ଜଗତସିଂହପୁରରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ଏହି ମଡେଲ ଆକଳନ କରିଛି । ସେହିଭଳି ବାତ୍ୟାର ତୀବ୍ରତା ମଧ୍ୟ ଅଧିକ ରହିବ ବୋଲି ଏହା ଦର୍ଶାଇଛି । ବାତ୍ୟା ସୃଷ୍ଟି ହୋଇ ଓଡ଼ିଶା ଉପକୂଳରେ ଘଷି ହୋଇ ଅତିକ୍ରମ କଲେ ବି ରାଜ୍ୟରେ ପ୍ରଭାବ ରହିବ । ବିସ୍ତୃତ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।
ତେବେ ସମ୍ଭାବ୍ୟ ବାତ୍ୟା ନେଇ ଆଇଏମ୍ଡି କୌଣସି ଆକଳନ କରିନି । ଦକ୍ଷିଣ ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଧୀରେ ଧୀରେ ଏହା ଦୁର୍ବଳ ହୋଇଯିବ ବୋଲି କୁହାଯାଇଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ବା ଲଘୁଚାପ ନେଇ ଏହା କୌଣସି ଆକଳନ କରିନି । କିନ୍ତୁ ୨୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଏହା ୨୨ରେ ଲଘୁଚାପ ଓ ୨୩ରେ ଅବପାତ ରୂପ ନେବ । ତେବେ ଏହା ଅଧିକ ଘନୀଭୂତ ହେବ କି ନା, ସେ ନେଇ କୌଣସି ପୂର୍ବାନୁମାନ କରିନାହାନ୍ତି ।