ନୂଆଦିଲ୍ଲୀ,୧୫/୧ : ଗାଜିଆବାଦରେ ଉତ୍ସବର ମାହୋଲକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି । ପ୍ରଶାସନ ଫେବୃଆରୀ ୧୬ ପର୍ଯ୍ୟନ୍ତ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଲାଗୁ କରିଛି । ଗଣତନ୍ତ୍ର ଦିବସ, ଗୁରୁ ରବିଦାସ ଜୟନ୍ତୀ ଏବଂ ମହାଶିବରାତ୍ରି ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମଗୁଡ଼ିକର ଶାନ୍ତିପୂର୍ଣ୍ଣ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଧାରା ୧୬୩ ଅନୁଯାୟୀ, ଜିଲ୍ଲାରେ ଚାରି କିମ୍ବା ତା’ଠାରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ନିଷେଧ ରହିଛି । ଏହାସହ କୌଣସି ପ୍ରକାରର ଧାରଣା ପ୍ରଦର୍ଶନ, ରାଲି, ଶୋଭାଯାତ୍ରା କିମ୍ବା ସାଧାରଣ ସମାବେଶକୁ ଅନୁମତି ଦିଆଯିବ ନାହିଁ। ପ୍ରଶାସନ କହିଛି ଯେ, ଏହି କାର୍ଯ୍ୟକ୍ରମ ସମୟରେ ଅସାମାଜିକ ତତ୍ତ୍ୱମାନେ ପରିବେଶକୁ ବିଗାଡ଼ିବାର ସମ୍ଭାବନା ଥିବାରୁ ଏହି ସତର୍କତାମୂଳକ ପଦକ୍ଷେପ ଆବଶ୍ୟକ ରହିଛି ।

ନିର୍ଦ୍ଦେଶ ଅନୁସାରେ, ଯେଉଁ ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପ ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିବାର ସମ୍ଭାବନା ରହିଛି ସେମାନଙ୍କୁ କଲୋନୀ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ପ୍ରବେଶ କରିବାକୁ ବାରଣ କରାଯାଇଛି । ପୁଲିସକୁ ଏପରି ବ୍ୟକ୍ତିମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ବଢାଇଦେଇଛି ଏବଂ ଗୁଇନ୍ଦା ସଂସ୍ଥା ଗୁଡ଼ିକୁ ସକ୍ରିୟ କରି ଦିଆଯାଇଛି । ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ସହ ସରକାରୀ କାର୍ଯ୍ୟାଳୟର ୧ କିଲୋମିଟର ପରିଧି ମଧ୍ୟରେ ଡ୍ରୋନ୍ ଉଡ଼ାଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ବିନା ଅନୁମତିରେ ଡ୍ରୋନ୍ ଉଡ଼ାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ପୁଲିସ ଏବଂ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିବା ସହ ସାଧାରଣ ଜନତାଙ୍କୁ ନିୟମ ପାଳନ କରିବାକୁ ଏବଂ ଯେ କୌଣସି ସନ୍ଦେହଜନକ କାର୍ଯ୍ୟ କଳାପ ବିଷୟରେ ତୁରନ୍ତ ପୁଲିସକୁ ରିପୋର୍ଟ କରିବାକୁ ନିବେଦନ କରାଯାଇଛି ।