ବଡ଼ମାଳ, ୨୦/୧୦: ଘର ପାଖରେ ଖେଳୁଥିବା ବେଳେ ଅଘଟଣ । ପୋଖରୀରେ ବୁଡ଼ି ଚାଲିଗଲା ୩ ବର୍ଷର ଶିଶୁ କନ୍ୟାର ଜୀବନ । ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଚାରମାଳ ଥାନା କେଉଟିବାହାଲିରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ କେଉଟିବାହାଲି ନିକଟ ପଥରକୁଦିଆର ରସୋନ ହାରୋଙ୍କ ତିନି ବର୍ଷର ଶିଶୁ କନ୍ୟା ଘର ପାଖରେ ଖେଳୁଥିଲେ । ଖେଳୁ ଖେଳୁ ଘର ନିକଟରେ ଥିବା ପୋଖରୀରେ ବୁଡ଼ି ଯାଇଥିଲେ। ବାପା ମାଆ କାମକୁ ଯାଇ ଫେରିବା ବେଳକୁ ଝିଅକୁ ଦେଖିବାକୁ ପାଇନଥିଲେ। ଖୋଜା ଖୋଜି ପରେ ନିକଟସ୍ଥ ପୋଖରୀରେ ସଂକଟାପନ୍ନ ଅବସ୍ଥାରେ ଶିଶୁ କନ୍ୟା ଭାସୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଝିଅଟିକୁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସମ୍ପର୍କରେ ଖବର ପାଇ ଚାରମାଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ କରି ପରିବାରକୁ ଆଜି ହସ୍ତାନ୍ତର କରିଛି ।