ନବରଙ୍ଗପୁର, ୧୫।୬ : ରଜର ଖୁସି ଭିତରେ ଆସିଛି ଏକ ହୃଦୟ ବିଦାରକ ଖବର । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଘଟିଛି ଲୋମହର୍ଷଣକାରୀ ଘଟଣା । ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏପରିକି ହତ୍ୟା ପରେ ଯୁବତୀଙ୍କ ମୃତଦେହକୁ ଘର ବାରିପଟେ ଫିଙ୍ଗି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଅନ୍ୟପଟେ ଦୋଷୀଙ୍କୁ ନଧରିବା ପର୍ଯ୍ୟନ୍ତ ଶବ କୁ ନଛାଡିବା ଜିଦରେ ଅଡିବସିଛନ୍ତି ପରିବାର ଲୋକେ ।
ରବିବାର ରାତିରେ ପହିଲି ରଜ ଖେଳିବାକୁ ସାଙ୍ଗସାଥି ଙ୍କ ସହ ଯୁବତୀ ଜଣକ ଯାଇଥିଲେ। ସୋମବାର ସକାଳୁ ଘର ବାରିପଟେ ଯୁବତୀଙ୍କ ମୃତଦେହ ପଡ଼ିଥିବା ପ୍ରଥମେ ତାଙ୍କ ଭାଇ ଦେଖିଥିଲେ। ଯୁବତୀଙ୍କ ପାଟିରୁ ରକ୍ତ ବାହାରିଥିବା ଏବଂ ବେକ ଫୁଲିଯାଇଥିବା ଦେଖି ସେ ଗାଁ ଲୋକଙ୍କୁ ଡାକିଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ଏହିଭଳି ଏକ ଅଭାବନୀୟ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଖବର ପାଇ କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ କରୁଛି। ନବରଙ୍ଗପୁର ଏସପି ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ କୋଡ଼ିଙ୍ଗା ପୋଲିସ ଜଣକୁ ଥାନାରେ ଅଟକ ରଖିଛି l
ଅନ୍ୟ ପକ୍ଷେ ଯୁବତୀଙ୍କ ସାଙ୍ଗଙ୍କ କହିବା ଅନୁସାରେ ରବିବାର ରାତି ନଅ ଟାରେ ଉଭୟ ମିଶି ଗାଁ ମୁଣ୍ଡରେ ବନ୍ଧା ହୋଇଥିବା ରଜଦୋଳି ଝୁଲିବାକୁ ଯାଇଥିଲେ। ଯୁବତୀ ଜଣକ କାହାକୁ କିଛି ନକହି ମଝିରେ ଏକା ଚାଲିଯାଇଥିଲା। ଘରକୁ ଚାଲିଯାଇଥିବ ଭାବି ସେ ତା ଘରକୁ ଫେରିଆସିଥିଲା l