ମାଲକାନଗିରି, ୨୮।୧(ଆପ୍ର ): ମାଲକାନଗିରି ଜିଲ୍ଲାରେ ଆଜି ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଘଟି ଏକାଧିକ ଆହତ ହୋଇଥିବା ବେଳେ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଜିଲ୍ଲାର ମାଲକାନଗିରି ସଦର ଥାନା ଅନ୍ତର୍ଗତ ଏମଭି-୪୨ ଗ୍ରାମର ବିଶୁ ଦାସଙ୍କ ଘରେ ଏକ କାର ଭାରସାମ୍ୟ ହରାଇ ପଶିଯାଇ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାର ଡ୍ରାଇଭର ଆହତ ହୋଇଥିବା ବେଳେ ଘରର କିଛି ଅଂଶ କ୍ଷତି ଘଟିଛି। ତେବେ ସୌଭାଗ୍ୟର ବିଷୟ ଏଥିରେ ଉକ୍ତ ଘର ଲୋକଙ୍କର କୌଣସି କ୍ଷତି ଘଟି ନାହି।
ସେହିପରି ମାଲକାନଗିରି ଥାନା ଅନ୍ତର୍ଗତ ପାଣ୍ଡ୍ରିପାଣି ଠାରେ ଏକ କାର ଓ ମୋଟର ସାଇକେଲ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ନାବାଳିକାର ମୃତ୍ୟୁ ଘଟିଛି। ମୃତ ନାବାଳିକାର ନାମ ସିବାନୀ ପଡିଆମି ହୋଇଥିବା ବେଳେ ତାଙ୍କ ପିତା ବୁଦୁରା ପଡିଆମି ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଅପର ପକ୍ଷରେ ମାଲକାନଗିରି ଥାନା ଅନ୍ତର୍ଗତ ଚାଲାଣଗୁଡା ଠାରେ ଏକ କାର ଗଛରେ ପିଟି ହେବା ଫଳରେ କାର ଚାଳକ ଓ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମାଲକାନଗିରି ପୁଲିସ ଘଟଣାସ୍ଥଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।