ଭଞ୍ଜନଗର,୦୪/୦୮: ମୋବାଇଲ୍‌ରୁ ମୋବାଇଲକୁ  ଭାଇରାଲ୍‌ ହେଉଛି ଭିଡିଓ । ଆଉ ତାକୁ ନେଇ ଭଞ୍ଜନଗର  ସହରରେ ମଧ୍ୟ ଚର୍ଚ୍ଚା ଜୋର୍‌ ଧରୁଛି । ଏଥିରେ ଦେଖିବାକୁ  ମିଳୁଛି ଯେ ଜଣେ ରୋଡ୍‌ ରୋମିଓଙ୍କୁ ଜଣେ ଟ୍ୟୁସନ୍‌ ଛାତ୍ରୀ ପେଟେଣ୍ଟ ମେଡିସିନ୍‌ ତରିକାରେ ଉତ୍ତମ ମଧ୍ୟମ ଦେଉଛନ୍ତି ।  ସହରର ୟୁବି ହାଇସ୍କୁଲ ନିକଟ ରାସ୍ତାରେ ମହିଳା କଲେଜ ଆଗରେ ଯୁବକଙ୍କୁ ଅତର୍କିତ ଆକ୍ରମଣ କରୁଛନ୍ତି ଛାତ୍ରୀ । ଯୁବକ ଜଣକ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ  ଛାତ୍ରୀ ଜଣକ ତାର ସାର୍ଟକୁ ଧରି ମୁହଁରେ ଗୁଡ଼ାଇ ବେଶ୍‌  କିଛି ସମୟ ଉତ୍ତମ ମଧ୍ୟମ ଦେଉଛନ୍ତି । ଚାପୁଡ଼ା ବିଧା ସହ ଗୋଇଠା ମାଡ଼ରେ ଲହୁଲୁହାଣ ହୋଇଥିଲେ ମଧ୍ୟ  ଯୁବକ ଜଣକ ଛାତ୍ରୀଙ୍କ ହାବୁଡ଼ରୁ ଖସି ପାରୁନାହାନ୍ତି । ସେହି ରାସ୍ତାରେ ଚଳପ୍ରଚଳ କରୁଥିବା ଲୋକ ଏଥିରେ  ହସ୍ତକ୍ଷେପ କରିଥିଲେ ମଧ୍ୟ ଛାତ୍ରୀଙ୍କ ଶକ୍ତ ପଞ୍ଛାରୁ ରୋଡ୍‌  ରୋମିଓଙ୍କୁ ମୁକୁଳାଇ ପାରୁନାହାନ୍ତି । ଶେଷରେ ନିକଟସ୍ଥ  ଏକ ଘରୋଇ ଅନୁଷ୍ଠାନର କିଛି କର୍ମଚାରୀ ଯୁବକଙ୍କୁ ଛାତ୍ରୀଙ୍କ କବଳରୁ ଉଦ୍ଧାର କରିଛନ୍ତି । ଘଟଣାଟି ଦିନେ ଦୁଇ  ଦିନ ତଳର ବୋଲି ଆଲୋଚନା ହେଉଛି । ଏହି ଭିଡିଓ  ଏବେ ଭଞ୍ଜନଗର ସହରରେ ଭାଇରାଲ୍‌ ହେବାରେ ଲାଗିଛି । ମହିଳା କଲେଜ ଆଗରେ ଏକ କମ୍ପ୍ୟୁଟର୍‌ ଏକାଡେମୀ  ଅଛି । ତାହା ସାମନାରେ ଘଟିଥିବା ଏହି ଘଟଣାର ଭିଡିଓ  ଉତ୍ତୋଳନ କରି କେହି ଜଣେ ଭାଇରାଲ୍‌ କରିଛି । 

ମହିଳା  କଲେଜ ରାସ୍ତାରେ ପ୍ରତ୍ୟହ ଶହ ଶହ ଛାତ୍ରୀ କଲେଜକୁ ଯିବା ଆସିବା କରୁଥିବା ବେଳେ ସେହି ରାସ୍ତାରେ ଏକ କମ୍ପ୍ୟୁଟର୍‌ ଏକାଡେମୀକୁ ମଧ୍ୟ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଆସୁଛନ୍ତି ।  ତେବେ ଏହି ରାସ୍ତାରେ କଲେଜ ସମୟରେ ଅନେକ ଯୁବକ  ଅଯଥାରେ ଭିଡ଼ ଜମାଇବା ସହ ଛାତ୍ରୀଙ୍କୁ କମେଣ୍ଟ୍‌ ମାରୁଥିବା ଅଭିଯୋଗ ଦୀର୍ଘ ଦିନରୁ ହୋଇ ଆସୁଛି । ସ୍ଥାନୀୟ ପୁଲିସ  ଏହି ରାସ୍ତାରେ ପାଟ୍ରୋଲିଂ କଡ଼ାକଡ଼ି କରୁଥିଲେ ମଧ୍ୟ ରୋଡ୍‌ ରୋମିଓଙ୍କୁ କିନ୍ତୁ ସାବାଡ଼ କରିବାରେ ପୁରା ସଫଳ  ହୋଇପାରିନାହିଁ । କିଛି ରୋଡ୍‌ ରୋମିଓଙ୍କ ଉପଦ୍ରବରେ  ଅନେକ ଛାତ୍ରୀ ଅତିଷ୍ଠ ହେଉଛନ୍ତି । ଅନେକ ଲୋକଲଜ୍ଜାରେ କିଛି କହିବାକୁ ସାହାସ କରୁନାହାନ୍ତି । ତଥାପି ଜଣେ ଛାତ୍ରୀ  ନିଜର ସାହାସ ଦେଖାଇ ରୋଡ୍‌ ରୋମିଓଙ୍କୁ ଧରି ସାବାଡ଼  କରିବା ଘଟଣାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।  ଭଞ୍ଜନଗର ଭଳି ଛୋଟିଆ ସହରରେ ରୋଡ୍‌ ରୋମିଓଙ୍କୁ  ସାବାଡ଼ କରିବା ନିହାତି ଜରୁରି ହୋଇପଡ଼ିଛି । ନଚେତ୍‌  ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ଯେ ନଘଟିବ  ତାହା କିଏ କହିପାରିବ ବୋଲି ବରିଷ୍ଠ ନାଗରିକ ମଞ୍ଚ  ସଭାପତି ସୋମନାଥ ନାୟକ ପ୍ରତିକ୍ରିୟାରେ କହିଛନ୍ତି ।