ଭବାନୀପାଟଣା,୧୯/୧୦: ପ୍ରେମରେ ମାନ-ଅଭିମାନ ସ୍ୱାଭାବିକ କଥା । କିନ୍ତୁ  ଅଭିମାନ ଯେ ଭୟଙ୍କର ରୂପ ଧାରଣ କରିପାରେ ତାହାର ଏକ ବିକୃତ ଚିତ୍ର ଦେଖିବାକୁ ମିଳିଛି ଭବାନୀପାଟଣା ସହରରେ । ପ୍ରେମିକାର ଜନ୍ମଦିନରେ ପ୍ରେମିକ ପହଞ୍ଚି  ପାରିଲେନି । ପରଦିନ ସକାଳୁ ଆସିଲେ ବୋଲି  ଉଚ୍ଚବାଚ ହେଲା । ବାସ୍‌, ଏତିକି କଥାରେ ଅଭିମାନୀ ପ୍ରେମିକା ବେକରେ ଦଉଡ଼ିଦେଇ  ଝୁଲି ପଡ଼ିଲେ! 

ଭବାନୀପାଟଣା ସଦର ଥାନା  ଜନକପୁର ଗାଁର ମନିଷା ଗୌଡ଼(୨୨) ଭବାନୀପାଟଣା ସହରର ବାହାଦୂରବଗିଚା  ପଡ଼ାରେ ଏକ ଘର ଭଡ଼ାରେନେଇ ନିଜ  ଭାଣିଜିଙ୍କ ସହ ରହୁଥିଲେ । ସେ ସ୍ଥାନୀୟ  ଏକ ଅଟୋମୋବାଇଲ ସୋ’ରୁମରେ କାମ  କରୁଥିଲେ । ମଦନପୁର ରାମପୁର ଅଞ୍ଚଳର  ଜଣେ ଯୁବକଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ  ରହିଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ- ପୀରତିର ଭାବ ମଧ୍ୟ ଭଲ ଥିଲା । ଗତ  ଗୁରୁବାର ଥିଲା ମନିଷାଙ୍କ ଜନ୍ମଦିନ । ଜନ୍ମଦିନ  ପାଳନ ପାଇଁ ତାଙ୍କ ପ୍ରେମିକ ଆସିବାର ଥିଲା ।  କିନ୍ତୁ କୌଣସି କାରଣରୁ ସେ ଆସିଲେ ନାହିଁ । ମନିଷା ତାଙ୍କ ବାଟ ଚାହିଁଚାହିଁ ନିରାଶ  ହୋଇଥିଲେ । 

ପରଦିନ ଅର୍ଥାତ୍‌, ଶୁକ୍ରବାର  ସକାଳେ ପ୍ରେମିକ ଆସିବାରୁ ମନିଷା  ତାଙ୍କ ଉପରେ ଅଭିମାନକରି ପାଟିତୁଣ୍ଡ  କରିଥିଲେ । ଉଭୟଙ୍କ ମଧ୍ୟରେ ଝଗଡ଼ା  ହୋଇଥିଲା । ଝଗଡ଼ା ଉଗ୍ରରୂପ ଧାରଣକରି  ସେ ନିଜ ପ୍ରେମିକଙ୍କୁ ବାଥରୁମରେ ବନ୍ଦ  କରିଦେଇଥିଲେ । ପରେ ମନିଷା ଘର ଛାତରେ  ଦୌଡି ଲଗାଇ ଆତ୍ମହତ୍ୟା କରିଥିଲେ ।  ଦୀର୍ଘ ସମୟଧରି ସେ କବାଟ ନଖୋଲିବାରୁ  ପ୍ରେମିକଜଣକ ପାଟିତୁଣ୍ଡ କରିଥିଲେ । ସେତେବେଳକୁ ମନିଷାଙ୍କ ଶରୀର ଝୁଲୁଥିବା  ଦେଖିବାକୁ ମିଳିଥିଲା । ଖବରପାଇ ଟାଉନ୍ ଥାନା ପୁଲିସ୍‌ ବାହାଦୂରବଗିଚା ପଡ଼ାସ୍ଥିତ ଭଡ଼ାଘରୁ ମନିଷାଙ୍କ ଝୁଲନ୍ତା ଶବକୁ ଉଦ୍ଧାର  କରିଥିଲା । ପ୍ରାଥମିକ ତଦନ୍ତରୁ ଅଭିମାନରେ  ମନିଷା ଝୁଲିପଡ଼ିଥିବା ଜଣାପଡ଼ଥିଲେ ହେଁ ଆତ୍ମହତ୍ୟାର ସଠିକ୍‌ କାରଣ ଜାଣିବା ପାଇଁ  ପ୍ରେମିକକୁ ଟାଉନ ଥାନାରେ ଅଟକରଖି  ପୁଲିସ ପଚରାଉଚୁରା ଚଳାଇଛି।