ଭୁବନେଶ୍ୱର,୨୨/୧୧: ମଞ୍ଚେଶ୍ୱର ଶିଳ୍ପ ଅଞ୍ଚଳରେ ସାଂଘାତିକ ହାଇଡ୍ରାମା ଦେଖିବାକୁ ମିଳିଛି । ରାସ୍ତା ଉପରେ ଜଣେ ଯୁବକଙ୍କ ଗାଲକୁ ପିଟିଛନ୍ତି ଯୁବତୀ ଜଣଙ୍କ । ଏହି  ହାଇଡ୍ରାମା ଦୀର୍ଘ ସମୟ ଧରି ଚାଲିଥିଲା । ବାଟରେ ଯାଉଥିବା ଲୋକମାନେ ତାଜୁବ  ହୋଇ ଚାହିଁଥିଲେ । ଏଥିପାଇଁ ଟ୍ରାଫିକ୍‌ ଜାମ୍‌ ହୋଇଥିଲା । ଖବର ପାଇ ପୁଲିସ୍‌  ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ନେଇ ଥାନାକୁ ଯାଇଥିଲା । 

ସୂଚନା  ମୁତାବକ, ରାତି ପ୍ରାୟ ୮ଟା ବେଳେ  ମଞ୍ଚେଶ୍ୱର ଶିଳ୍ପାଅଞ୍ଚଳରେ ଥିବା ଏକ  ଘରୋଇ ହସ୍ପିଟାଲ୍‌ ସମ୍ମୁଖରେ ବାଇକ୍‌  ନେଇ ପହଞ୍ଚିଥିଲେ ଜଣେ ଯୁବକ । ସେଠାରେ କାମ କରୁଥିବା ଜଣେ  ଯୁବତୀଙ୍କୁ ଖୋଜିବା ସହ ପାଟିତୁଣ୍ଡ  କରୁଥିଲେ । ଏହି ସମୟରେ ଜଣେ ଯୁବତୀ ସେଠାରେ ପହଞ୍ଚିଥିଲେ ।  ଆଉ ଯୁବକ ଜଣଙ୍କୁ କହିଥିଲେ, ଏଠି  ଆସି ମୋ ଇଜ୍ଜତ ସହ ଖେଳୁଛି... ।  ମୋତେ ବଦନାମ କରୁଛି...। ମୁଁ  ତୋଠୁ କେତେବେଳେ ଟଙ୍କା ନେଲି ?  କ’ଣ ଭାବିଛୁ.... । ଏହା ପରେ ଯୁବକ ଜଣଙ୍କ କିଛି କହିବା ଆଗରୁ  ଯୁବତୀ ଜଣଙ୍କ ତାଙ୍କୁ ଚାପୁଡା ଉପରେ ଚାପୁଡା ସେକି ଦେଇ ଯାଇଥିଲେ । ଏ ସବୁ ଦୃଶ୍ୟକୁ କିଛି ଲୋକ ନିଜ ମୋବାଇଲ୍‌ରେ ରେକର୍ଡିଂ କରୁଥିଲେ ।  ଖବର ପାଇ ପୁଲିସ ଘଟଣା ସ୍ଥଳରେ  ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଥିଲା ।  ତେବେ ଏନେଇ ଉଭୟ ପକ୍ଷରୁ କେହି  ଥାନାରେ ଅଭିଯୋଗ କରି ନ ଥିବା ଥାନା  ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ କହିଛନ୍ତି ।