ରାଜକନିକା,୧୦/୧୦: ଦୀର୍ଘ ୧୯ ବର୍ଷର ପ୍ରେମ ସମ୍ପର୍କ ଥିଲା । ୪ ବର୍ଷ ଧରି ଏକାଠି (ଲିଭ୍ ଇନ୍ ରିଲେସନ୍ସିପ୍) ରହୁଥିଲେ । ପ୍ରେମିକାଙ୍କ ଇଚ୍ଛା ପୂରଣ କରିବା ଲାଗି ସେ ନିଜେ ନପଢ଼ି ତାଙ୍କୁ ପାଠ ପଢ଼ାଇଥିଲେ । ସେ ଯୁକ୍ତ ୩ ପାସ୍ କରିବା ପରେ ତାଙ୍କୁ ଓଏଏସ୍ କରିବା ଲାଗି ପଢାପଢିର ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ । ତେବେ ଇତିମଧ୍ୟରେ ପ୍ରେମିକାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ଗଢ଼ି ଉଠିବାରୁ ସେ ପୁରୁଣା ପ୍ରେମିକଙ୍କୁ ରାସ୍ତାରୁ ହଟାଇବାକୁ ଚିନ୍ତା କରିଥିଲେ । ନିଜ ନୂଆ ପୁରୁଷବନ୍ଧୁଙ୍କ ସହ ମିଶି ପୁରୁଣା ପ୍ରେମିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସେ ମରି ଯାଇଥିବା ଭାବି ତାଙ୍କୁ ନଦୀରେ ଫିଙ୍ଗି ସଂପୃକ୍ତ ପୁରୁଷ ବନ୍ଧୁଙ୍କ ସହ ଫେରାର ହୋଇ ଯାଇଥିଲେ । ତେବେ ଦୁର୍ଗାପୂଜା ଭସାଣି ଦିନ କଟକ ନରାଜ ବ୍ୟାରେଜ୍ ନିକଟରୁ କେତେକ ଲୋକ ମୁମୂର୍ଷୁ ଅବସ୍ଥାରେ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସାମାନ୍ୟ ସୁସ୍ଥ ହେବା ପରେ ସେ ବାରଙ୍ଗ ଥାନାରେ ପହଞ୍ଚି ପ୍ରେମିକାଙ୍କ ବିରୋଧରେ ଏତଲା ଦେଇଛନ୍ତି । ପ୍ରତାରଣାର ଶିକାର ହୋଇଥିବା ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଅନ୍ତର୍ଗତ ହାଟସାହି ଗାଁର କାଲାଚାନ୍ଦ ବେହୁରିଆ(୩୮) ।
କାଲାଚାନ୍ଦଙ୍କ ଅଭିଯୋଗରୁ ପ୍ରକାଶ, ସେ ସ୍କୁଲ୍ ପାଠ ପଢା ଦିନରୁ ସଂପୃକ୍ତ ଯୁବତୀଙ୍କ ସହ ପ୍ରେମ ସଂପର୍କରେ ଥିଲେ । ୧୫ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ କଟକରେ ଅଲଗା ଅଲଗା ଘର ଭଡ଼ା ନେଇ ରହିଥିଲେ । ଏମିତିକି ପ୍ରେମିକାଙ୍କୁ ଓଏଏସ୍ କରାଇବାକୁ କାଲାଚାନ୍ଦ ନିଜର ସବୁ ରୋଜଗାର ତାଙ୍କ ପାଠପଢା ପିଛା ଖର୍ଚ୍ଚ କରିଥିଲେ । ଇତିମଧ୍ୟରେ ସଂପୃକ୍ତ ଯୁବତୀ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ିବା ପରେ ଭସାଣି ଦିନ କାଲାଚାନ୍ଦଙ୍କୁ ଖାଦ୍ୟରେ ନିଶା ଦେଇ ବେହୋସ କରିଥିଲେ । ଏହା ପରେ ତାଙ୍କ ତଣ୍ଟିକୁ ନଖରେ ବିଦାରିବା ସହ ମୁଣ୍ଡକୁ ଲୁହା ରଡ୍ରେ ପିଟିଥିଲେ । ପରେ ସେ ମରିଯାଇଥିବା ଜାଣି ନଦୀରେ ଫିଙ୍ଗି ଦେଇଥିଲେ । ଫେରାର ହେବା ପୂର୍ବରୁ କାଲାଚାନ୍ଦଙ୍କର ଦୁଇଟି ଲାପ୍ଟପ୍, ପ୍ରିଣ୍ଟର, ହୀରା ମୁଦି, ଦୁଇଟି ଏଟିଏମ୍ କାର୍ଡ ନେଇ ଯାଇଥିଲେ । ଭସାଣି ଦିନ ନରାଜ ଅଞ୍ଚଳର କିଛି ଲୋକ କାଲାଚାନ୍ଦଙ୍କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କ ସ୍କୁଟି ନମ୍ବର ଆଧାରରେ ପୁଲିସ ତାଙ୍କ ଭାଇଙ୍କୁ ଫୋନ୍ କରିବା ପରେ ପରିବାର ଲୋକେ ମେଡିକାଲରେ ପହଞ୍ଚି ତାଙ୍କ ଚିକିତ୍ସା ବ୍ୟବସ୍ଥା କରିଥିଲେ । ପ୍ରତାରଣାର ଶିକାର ହୋଇଥିବା କାଲାଚାନ୍ଦ ଜଣେ ୟୁ-ଟ୍ୟୁବର୍ । ସେ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚା ସାଉଣ୍ଟିଛି ।