ଗୋଆ : ଗୋଆର ଏକ କୋର୍ଟ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ପତ୍ନୀଙ୍କ ଦ୍ୱାରା ଦାଏର, ୧୦୦କୋଟି ଟଙ୍କାର ମାନହାନି ମାମଲାରେ ନୋଟିସ୍ ଜାରି କରିଛନ୍ତି। କୋର୍ଟ ସଞ୍ଜୟ ସିଂହଙ୍କୁ ୧୦ ଜାନୁୟାରୀ ୨୦୨୫ ଯାଏ ଜବାବ ମାଗିଛନ୍ତି।
ଉଲ୍ଲେଖନୀୟ ଯେ, ଗୋଆରେ ଗତ କିଛି ଦିନ ହେବ ଚର୍ଚ୍ଚା ଚାଲୁଛି ଯେ, ‘କ୍ୟାଶ୍ ଫର୍ ଜବ୍’ ମାମଲାରେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ତାଙ୍କ ପତ୍ନୀଙ୍କ ଉପରେ ଅଭିଯୋଗ ଲଗେଇ ଥିଲେ। ଏହି ଅଭିଯୋଗ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ନେତାଙ୍କ ପକ୍ଷରୁ ଏକ ପ୍ରେସ୍ କନଫରେନ୍ସରେ ଲଗାଯାଇ ଥିଲା।
ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସଞ୍ଜୟ ସିଂହଙ୍କ ଅଭିଯୋଗକୁ ଖଣ୍ଡନ କରି କହିଥିଲେ କି, ‘କ୍ୟାସ୍ ଫର୍ ଜବ୍’ ମାମଲାରେ ତାଙ୍କ ପରିବାରର କୌଣସି ନେଣଦେଣ ନାହିଁ। ସେ ମିଛ ଅଭିଯୋଗକାରୀଙ୍କ ବିରୋଧରେ ମାନହାନି ମୋକଦମା ଦାଏର କରିବାକୁ ଚେତାବନୀ ଦେଇଛନ୍ତି ।
ବିଜେପି ପ୍ରବକ୍ତା ଗିରିରାଜ ପଇ ବର୍ଣ୍ଣେକର କହିଛନ୍ତି କି, ପ୍ରମୋଦ ସାୱନ୍ତଙ୍କର ପତ୍ନୀ ସୁଲକ୍ଷଣା ସାୱନ୍ତଙ୍କ ପକ୍ଷରୁ ନର୍ଥ ଗୋଆର ବିଚୋଲିମ୍ ଡିଭିଜନ କୋର୍ଟରେ ସଞ୍ଜୟ ସିଂହଙ୍କ ବିରୋଧରେ ମାନହାନି ମୋକଦମା ଦାଏର କରାଯାଇଛି। କୋର୍ଟ ପକ୍ଷରୁ ସଞ୍ଜୟ ସିଂହଙ୍କୁ ନୋଟିସ୍ ପଠାଯାଇଛି।
ସୁଲକ୍ଷଣା ସାୱନ୍ତ ନିଜର ଅଭିଯୋଗରେ , ନିଜର ଓକିଲଙ୍କ ମାଧ୍ୟମରେ ଅଦାଲତକୁ ଅନୁରୋଧ କରିଛନ୍ତିକି ସଞ୍ଜୟ ସିଂହଙ୍କୁ ଏକ କ୍ଷମା ପ୍ରାର୍ଥନା ପ୍ରକାଶିତ କରିବାକୁ ନିର୍ଦ୍ଦେଶ ଦିଆଯାଉ , ଯେଉଁଥିରେ ଏହାସ୍ପଷ୍ଟ କରାଯାଉ କି , ଉକ୍ତ ଅପମାନଜନକ ଭିଡିଓ / ଲେଖା ଓ ସାକ୍ଷାତ୍କାର ମିଛ, ତଥ୍ୟ ଉପରେ ଆଧାରିତ ନୁହେଁ ଏବଂ ବିନା ସର୍ତ୍ତରେ କ୍ଷମା ମାଗନ୍ତୁ। ଅଭିଯୋଗକାରୀ କୋର୍ଟରେ ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ, ସେ ସଞ୍ଜୟ ସିଂହଙ୍କୁ ସୋସିଆଲ ମିଡ଼ିଆ ବା ହ୍ୱାଟ୍ସଆପ୍ , ଫେସବୁକ୍ ,ୟୁଟ୍ୟୁବ୍ ଓ ଏକ୍ସ ଭଳି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ତାଙ୍କୁ ବଦନାମ କରୁଥିବା ସବୁ ବୟାନ ଓ ପୋଷ୍ଟକୁ ହଟେଇବାକୁ ନିର୍ଦ୍ଦେଶ ଦିଅନ୍ତୁ।