ନୂଆଦିଲ୍ଲୀ,୧୧/୧୨: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣା। ଏଥିରେ ମୁଖ୍ୟ ଅଭିଯୁକ୍ତ ଗୌରବ ଲୁଥ୍ରା ଏବଂ ସୌରଭ ଲୁଥ୍ରା ଏବେବି ଫେରାର ଥିବା ବେଳେ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଛି । ସେ ଦେଶ ଛାଡି ପଳାଇଥିବାରୁ ଉଭୟଙ୍କୁ ଧରିବା କଷ୍ଟକର ହୋଇପଡିଛି । ଯାହାକୁ ନେଇ  ଗୋଆ ପୁଲିସ ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟକୁ ସସପେଣ୍ଡ କରିଛି । ପାସପୋର୍ଟ ସସପେଣ୍ଡ୍ ହେଲା ପରେ ଉଭୟ ଥାଇଲାଣ୍ଡର ଫୁକେଟରୁ ଆଗକୁ ଯାତ୍ରା କରିପାରିବେ ନାହିଁ  ବୋଲି ସୂଚନା ମିଳିଛି। ଏହାଦ୍ୱାରା ଇଣ୍ଟରପୋଲ୍ ଏବଂ କୁଟନୈତିକ ମାଧ୍ୟମରେ ସେମାନଙ୍କୁ ଭାରତ ପ୍ରତ୍ୟାର୍ପଣ ସହଜ ହେବ ।

ସୂଚନା ମୁତାବକ, ଗୋଆ ସରକାର ବୈଦେଶିକ ମନ୍ତ୍ରାଳୟକୁ ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟ ରବ୍ଦ ପାଇଁ ଅନୁରୋଧ କରିଥିଲା ।ଯାହାପରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ବୈଦେଶିକ ମନ୍ତ୍ରାଳୟ । ମଙ୍ଗଳବାର ସେମାନଙ୍କ ବିରୋଧରେ ବ୍ଲୁ କର୍ଣ୍ଣର୍ ନୋଟିସ ମଧ୍ୟ ଜାରି ହୋଇଛି । ସେମାନେ ଫୁକେଟରେ ଲୁଚିଥିବା ଅନୁମାନ କରାଯାଉଛି ।ତଦନ୍ତକାରୀ ଅଧିକାରୀଙ୍କ କହିବାନୁସାରେ, ଦୁଇ ଭାଇ ଡିସେମ୍ବର ୭ ତାରିଖ ରାତିରେ ଥାଇଲାଣ୍ଡ୍ ପାଇଁ ଟିକେଟ୍ ବୁକ୍ କରିଥିଲେ । ଏହି ସମୟରେ ବିର୍ଚ ବାଏ ରୋମିଓ ଲେନ୍ ନାଇଟ୍ କ୍ଲବରେ ନିଆଁ ଲାଗିଯାଇଥିଲା । ପୁଲିସ ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସେମାନେ ଦେଶ ଛାଡି ଚାଲିଯାଇଥିଲେ ।

ତେବେ କୋର୍ଟରେ ଲୁଥ୍ରା ବ୍ରଦର୍ସଙ୍କ କହିବାନୁସାରେ, ସେମାନେ ପୂର୍ବରୁ ଯାତ୍ରା କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଡିସେମ୍ବର ୬ ତାରିଖରେ ହିଁ ସେମାନେ କୌଣସି କାମରେ ଥାଇଲାଣ୍ଡ ଚାଲିଯାଇଥିଲେ । ସେମାନଙ୍କୁ ଗିରଫଦାରୀ ବିନା ଭାରତ ଆସିବାକୁ ଅନୁମତି ମିଳୁ ବୋଲି କୋର୍ଟରେ ଉଭୟଙ୍କ ଓକିଲ ଆବେଦନ କରିଛନ୍ତି ।

ଏପର୍ଯ୍ୟନ୍ତ ୬ ଜଣଙ୍କୁ କରାଯାଇଛି ଗିରଫ

ଗୋଆ ନାଇଟ୍ କ୍ଲବ୍ ମାମଲାରେ ଏପର୍ଯ୍ୟନ୍ତ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ କ୍ଲବ୍‌ର ପାର୍ଟନର। ଅଭିଯୁକ୍ତ ଜଣକ ହେଉଛନ୍ତି ଦିଲ୍ଲୀର ବାସିନ୍ଦା ଅଜୟ ଗୁପ୍ତା। କୋର୍ଟରେ ହାଜର କରାଯିବା ପରେ ଅଜୟଙ୍କୁ ୩୬ ଘଣ୍ଟାର ଟ୍ରାଞ୍ଜିଟ୍ ରିମାଣ୍ଡରେ ପଠାଯାଇଛି। ଏହା ବ୍ୟତୀତ ନାଇଟ୍ କ୍ଲବର ମୁଖ୍ୟ ମହାପ୍ରବନ୍ଧକ ରାଜୀବ ମୋଦକ, ମହାପ୍ରବନ୍ଧକ ବିବେକ ସିଂହ, ବାର ପରିଚାଳକ ରାଜୀବ ସିଂଘାନିଆ, ଗେଟ୍ ପରିଚାଳକ ରିୟାଂଶୁ ଠାକୁର ଏବଂ କର୍ମଚାରୀ ଭାରତ କୋହଲିଙ୍କୁ ମଧ୍ୟ ଗିରଫ କରାଯାଇଛି।