ନୂଆଦିଲ୍ଲୀ,୦୭/୧୨; ଲାଉଡ୍ ମିଜ୍ୟୁକ, ରଙ୍ଗୀନ ଲାଇଟ ସହ ଚାଲିଥିଲା ନାଚଗୀତ । ସମସ୍ତେ ଝୁମୁଥିଲେ । ଡ୍ୟାନ୍ସ ଫ୍ଲୋରରେ ନାଚୁଥିଲେ । କେହି କଳ୍ପନା ବି କରିନଥିଲେ ଏମିତି କିଛି ହେବ ବୋଲି । ହେଲେ କ୍ଷଣିକରେ ସବୁକିଛି ହୋଇଗଲା ଛାରଖାର । କିଛି ସେକେଣ୍ଡରେ ଚିତ୍କାରର ମାହୋଲ ଖେଳିଯାଇଥିଲା । ଚାଲିଥିବା ପାର୍ଟି ଶୋକରେ ପରିଣତ ହୋଇଥିଲା । ଗୋଆର ନାଇଟ କ୍ଲବରେ ଭୟଙ୍କର ବ୍ଲାଷ୍ଟ ହୋଇ ୪ ପର୍ଯ୍ୟଟକଙ୍କ ସମେତ ୨୫ଜଣଙ୍କର ଜୀବନ ଚାଲି ଯାଇଛି । ୬ ଜଣ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡ ସମୟରେ ଗୋଆ ନାଇଟ୍ କ୍ଲବ ମୃତ୍ୟୁ କୋଠା ପାଲଟି ଯାଇଥିଲା । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । କ୍ଲବ ମ୍ୟାନେଜର ଗିରଫ ହୋଇଛନ୍ତି । ଦୁର୍ଘଟଣା ଆହୁରି ଭୟଙ୍କର ହୋଇଥାନ୍ତା ବୋଲି କହିଛନ୍ତି କ୍ଲବର ସିକ୍ୟୁରିଟି ଗାର୍ଡ । ତେବେ ଏତେ ବଡ଼ ଅଘଟଣ ପାଇଁ କିଏ ଦାୟୀ ? କାହାର ଭୁଲ ପାଇଁ ଏତେ ଜୀବନ ଜଳିଗଲା । କିଏ ଦେବ ଉତ୍ତର ?
କ୍ୟାବ୍ ବୁକ୍ ବିଳମ୍ବ ପାଇଁ ବଞ୍ଚିଗଲେ ଅବନୀଶ- ନାଇଟ୍ କ୍ଲବରେ ସାମିଲ ହେବାକୁ ଦିଲ୍ଲୀର ଅବନୀଶ ଆସିଥିଲେ । ଗଣମାଧ୍ୟମକୁ ସୂଚନା ଦେଇ ଅବନୀଶ କହିଛନ୍ତି, କ୍ୟାବ ବୁକିଂ ବିଳମ୍ବ ହୋଇଥିଲା । କ୍ୟାବ ଡେରିରେ ଆସିଲେ ତେଣୁ ମୁଁ ସେଠାରେ ଡେରିରେ ପହଞ୍ଚିଥିଲି । ଯେତେବେଳେ ସେଠାରେ ପହଞ୍ଚିଲି ଅଞ୍ଚଳ ଧୂଆଁଧୂଆଁ ହୋଇଥିଲା । ପ୍ରଥମେ ଲାଗିଲା କି ପ୍ରଦୂଷଣ ପାଇଁ ଏମିତି ହୋଇଥିବ । କାରଣ ମୁଁ ଦିଲ୍ଲୀର ନା ସେଠାରେ ପ୍ରଦୂଷଣ ଅଛି । ସୌଭାଗ୍ୟବସତଃ ମୋର କିଛି ହୋଇନାହିଁ । ଯଦି ଅବନୀଶ ନାଇଟ୍ କ୍ଲବରେ ଥାନ୍ତେ ତେବେ ତାଙ୍କ ସହିତ ବି ଅଘଟଣ ହୋଇଥାନ୍ତା ।
ଆହୁରି ଭୟଙ୍କର ହୋଇଥାନ୍ତା ଅଗ୍ନିକାଣ୍ଡ- ବିର୍ଚର ଜଣେ ସୁରକ୍ଷାକର୍ମୀ ସଞ୍ଜୟ କୁମାର ଗୁପ୍ତା କହିଛନ୍ତି, "ମୋର ଡ୍ୟୁଟି ସମୟ ରାତି ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଥିଲା । ରାତି ୧୧ଟାରୁ ୧୨ଟା ମଧ୍ୟରେ ଅଗ୍ନିକାଣ୍ଡ ଘଟିଥିଲା । ହଠାତ୍ ଏହା ଲାଗିଗଲା । ମୁଁ ଫାଟକ ପାଖରେ ଥିଲି। ଜଣେ ଡିଜେ ଏବଂ ଡ୍ୟାନ୍ସର ଆସିବାକୁ ଯାଉଥିଲେ, ଏବଂ ସେଠାରେ ଏକ ବଡ଼ ଭିଡ଼ ହେବାକୁ ଯାଉଥିଲା । ଘଟଣା ପରେ ସେମାନଙ୍କୁ କ୍ଲବ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଗଲା ନାହିଁ । ଅଧିକ ଭିଡ଼ ହୋଇଥିଲେ ଅଗ୍ନିକାଣ୍ଡ ଆହୁରି ଭୟଙ୍କର ହୋଇଥାନ୍ତା ।
#WATCH | Sanjay Kumar Gupta, a security guard at Birch says, "The incident occurred between 11 pm and 12 am. Suddenly, there was a fire...I was at the gate...A DJ, dancer was going to come here, and it was about to get really crowded..." https://t.co/upgOx2TYuW pic.twitter.com/gSJylB7QNb
— ANI (@ANI) December 7, 2025
ଅଣଓସାରିଆ ଏଣ୍ଟ୍ରୀ-ଏକଜିଟ୍, ବେଆଇନ ଭାବରେ ନିର୍ମିତ ନାଇଟ୍ କ୍ଲବ୍ ? ଗୋଆ ପୁଲିସ ମୁଖ୍ୟ ଆଲୋକ କୁମାର ପିଟିଆଇକୁ କହିଛନ୍ତି ଯେ, ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । କିନ୍ତୁ ଅନେକ ଲୋକ ଏହି ମତକୁ ବିରୋଧ କରନ୍ତି । କେତେକ କହିଛନ୍ତି ଯେ, ପ୍ରଥମ ମହଲାରୁ ନିଆଁ ଲାଗିଥିଲା, ଯେଉଁଠାରେ ପ୍ରାୟ ୧୦୦ ଜଣ ପର୍ଯ୍ୟଟକ ନାଚୁଥିଲେ । ହାଇଦ୍ରାବାଦର ଜଣେ ପର୍ଯ୍ୟଟକ ଫାତିମା ଶେଖ କହିଛନ୍ତି, ଆମେ କ୍ଲବରୁ ବାହାରକୁ ଦୌଡ଼ି ଆସି ଦେଖିଲୁ ଯେ ସମଗ୍ର କ୍ଲବରେ ନିଆଁ ଲାଗିଯାଇଥିଲା । ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ, କ୍ଲବରେ ଏଣ୍ଟ୍ରୀ ଏବଂ ଏକଜିଟ୍ ଅଣଓସାରିଆ ଥିଲା । ନିଆଁ ଲାଗିବା ଫଳରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏକଜିଟ୍ ଅଣଓସାରିଆ ହୋଇଥିବାରୁ ଲୋକମାନେ ବାହାରି ପାରି ନଥିଲେ । ପଳରେ ଏତେ ସଂଖ୍ୟାର ଜୀବନ ଜଳିଗଲା । ଏହା ସହିତ କ୍ଲବଟି ବେଆଇନ ଭାବେ ନିର୍ମିତ ହୋଇଥିବା ତଦନ୍ତରୁ ଜଣାପଡିଛି । ନାଇଟ୍ କ୍ଲବଟି ଏକ ସଂକୀର୍ଣ୍ଣ ରାସ୍ତାରେ ଅବସ୍ଥିତ । ଖବର ଅନୁଯାୟୀ ଅଗ୍ନିଶମ ଗାଡ଼ିଗୁଡ଼ିକୁ ୪୦୦ ମିଟର ଦୂରରେ ରହିବାକୁ ପଡ଼ିଥିଲା, ଯାହା ଫଳରେ ଉଦ୍ଧାର ଏବଂ ନିୟନ୍ତ୍ରଣରେ ବିଳମ୍ବ ହୋଇଥିଲା। ଅଗ୍ନିଶମ ବାହିନୀ ପାଇଁ କ୍ଲବରେ ପ୍ରବେଶ କରିବା କଷ୍ଟକର ହୋଇଥିଲା । ଆର୍ପୋରା-ନାଗୋଆ ସରପଞ୍ଚ ରୋଶନ ରେଡକର କହିଛନ୍ତି ଯେ, ଏହି ନିର୍ମାଣ ବେଆଇନ ଥିଲା । କ୍ଲବ ବିରୁଦ୍ଧରେ ଅଭିଯୋଗ ଆସିଥିଲା ଏବଂ ଯେତେବେଳେ ଆମେ ତଦନ୍ତ କରିଥିଲୁ ଜାଣିଲୁ ଯେ କୌଣସି ନିର୍ମାଣ ଲାଇସେନ୍ସ ନାହିଁ । କ୍ଲବ୍ ଭଙ୍ଗିବାକୁ ନୋଟିସ ଜାରି କରିଥିଲୁ ।''