ଆଜି କଥା କାଲିକି ନାହିଁ । ଆସନ୍ତା କାଲି କେହି  ଦେଖିନି ଏବଂ ଭବିଷ୍ୟତରେ ସମସ୍ତେ ମୃତ ।  ଜୀବନ ଅନିଶ୍ଚିତ ଏବଂ କରୋନା ମହାମାରୀ ସୂଚାଇ  ଦେଇଛି ଯେ, ଜୀବନ କେତେ ଅଧିକ ଅନିଶ୍ଚିତ । ଏଣୁ  ଜଣେ ବ୍ୟକ୍ତି ହେଉ ବା ଦେଶ ହେଉ, ଭବିଷ୍ୟତ ପାଇଁ  ଲକ୍ଷ୍ୟ ରଖିବା, ଚିନ୍ତା କରିବା, କିପରି ତାକୁ ହାସଲ  କରିବା, ସେଥିପାଇଁ ଯୋଜନା କରିବା ଉଚିତ୍‌ । କିନ୍ତୁ  ଲକ୍ଷ୍ୟ ଯେପରି ବାସ୍ତବ ହେବ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଲକ୍ଷ୍ୟ ବାସ୍ତବ ନହେଲେ ବିଫଳତାର ସ୍ୱାଦ  ଚାଖିବାକୁ ପଡ଼ିଥାଏ । ପୁନଶ୍ଚ ବର୍ତ୍ତମାନର ସମସ୍ୟାକୁ  ଅଣଦେଖା କରିବା ଅନୁଚିତ୍‌³ ବରଂ ବର୍ତ୍ତମାନର  ଜୀବନକୁ ବା ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେବା  ଉଚିତ । କିନ୍ତୁ ଚିନ୍ତାର ବିଷୟ ହେଉଛି ଦାରିଦ୍ର‌୍ୟ, କ୍ଷୁଧା,  ବେକାରୀ, ବୈଷମ୍ୟ ଓ ଦରଦାମ୍‌ ବୃଦ୍ଧି ଆଦି ବର୍ତ୍ତମାନର  ବିଭିନ୍ନ ସମସ୍ୟା ସମ୍ପର୍କରେ ବେଶୀ ଆଲୋଚନା ନହୋଇ  ଭବିଷ୍ୟତରେ କ’ଣ ହେବ ତାହା ଆଲୋଚନା ହେଉଛି ।  

ବିଭିନ୍ନ ସମସ୍ୟାରୁ ଜନତାଙ୍କ ଭାବନାକୁ  ଦୂରେଇଦେବା ପାଇଁ ବିକଶିତ ଭାରତର  କଥା କୁହାଯାଉଛି । ଆଜିର ବିକାଶଶୀଳ  ଭାରତ ୨୦୪୬-୪୭ରେ ବିକଶିତ ଭାରତ  ହେବ ବୋଲି କୁହାଯାଉଛି । ସେତେବେଳକୁ  କେତେଜଣ ବଞ୍ଚିଥିବେ? ପୁନଶ୍ଚ କେଉଁ  ମାନଦଣ୍ଡରେ ଭାରତ ବିକଶିତ ରାଷ୍ଟ୍ରରେ  ପରିଣତ ହେବ ବୋଲି ତାହା ମଧ୍ୟ  କୁହାଯାଉନି । ଭାରତ ବିକଶିତ ରାଷ୍ଟ୍ର ହେଲେ ଗରିବ ଓ  ସାଧାରଣ ଜନତାଙ୍କ କି ପ୍ରକାର ଉପକାର ହେବ ତାହା  ମଧ୍ୟ କୁହାଯାଉନି । ଯଦି କେବଳ ଜିଡିପିକୁ ମାପକାଠି  ଭାବେ ଧରାଯାଏ, ତେବେ ତାହା ତ୍ରୁଟିପୂର୍ଣ୍ଣ । କାରଣ  ଭାରତର ଜନସଂଖ୍ୟା ୧୪୦ କୋଟିରୁ ଊଦ୍ଧ୍ୱର୍ । ଯଦି ୪୦  କୋଟି ଅଧିକ ଆୟ କରନ୍ତି ଏବଂ ବ୍ୟୟ କରନ୍ତି ତେବେ  ଜିଡିପି ମଧ୍ୟ ବୃଦ୍ଧିପାଇବ । କିନ୍ତୁ ଭାରତ ବିକଶିତ ରାଷ୍ଟ୍ର  ବୋଲି କୁହାଯିବନି । ପୁନଶ୍ଚ ଜିଡିପି ଜନସାଧାରଣଙ୍କ  ଭଲ ମନ୍ଦ ଦର୍ଶାଇନଥାଏ । ଏହା କେବଳ ଅର୍ଥନୈତିକ  କାର୍ଯ୍ୟକଳାପର ପ୍ରତିଫଳନ । ଏହା ବର୍ତ୍ତମାନ ସମତୁଲ ଓ  ସମାନୁପାତିକ ହେଉନାହିଁ । 

ଅବଶ୍ୟ ପ୍ରଶ୍ନ ନୁହେଁ, କିଏ ଶାସନ କରୁଛି ବା କେଉଁ  ନୀତି ଆପଣାଇଲେ ଭାରତ ବିକଶିତ ରାଷ୍ଟ୍ର ହେବ,  ସମସ୍ୟା ହେଉଛି ଯିଏବି ଶାସନ କରୁ ୨୦୪୭ ସୁଦ୍ଧା  ଭାରତ ବିକଶିତ ରାଷ୍ଟ୍ର ହେବାର କୌଣସି ସମ୍ଭାବନା  ନାହିଁ । ବର୍ତ୍ତମାନ ଭାରତୀୟ ଅର୍ଥନୀତିର ଆକାର ୩.୬  ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଆମେରିକା ଅର୍ଥନୀତିର  ଆକାର ପ୍ରାୟ ୨୯ ଟ୍ରିଲିଅନ ଡଲାର । ଆମେରିକା, ଚୀନ୍‌,  ଜାପାନ ଏବଂ ଜର୍ମାନୀ ପରେ ଭାରତ ବିଶ୍ୱର ପଞ୍ଚମ  ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । କିନ୍ତୁ ୨୦୧୧  ଠାରୁ କ୍ରୟଶକ୍ତି ସମାନତା ହିସାବରେ ତୃତୀୟ ବୃହତ୍ତମ  ଅର୍ଥନୀତି ହୋଇଛି, ଯାହା ଅର୍ଥନୀତିର ପ୍ରକୃତ ଆକାରକୁ  ପ୍ରତିଫଳିତ କରେ । କିନ୍ତୁ ଗତ ୧୩ବର୍ଷରେ କୌଣସି  ଉନ୍ନତି ହୋଇନାହିଁ । ଚୀନ ଓ ଆମେରିକା ପ୍ରଥମ ଓ  ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହା ସତ୍ତେ୍ୱ ଯଦି ନାମାଙ୍କନ  ଜିଡିପିକୁ ବିଚାରକୁ ନିଆଯାଏ, ଇଣ୍ଡିଆ ରେଟିଂ ଏବଂ  ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ, ଏବେଠୁ ଭାରତ  କ୍ରମାଗତ ଭାବରେ ୯.୭ ପ୍ରତିଶତରୁ ଅଧିକ ହାରରେ  ବୃଦ୍ଧି ପାଇଲେ ୨୦୪୬-୪୭ରେ ଜିଡିପି ୩୦ ଟ୍ରିଲିୟନ  ଡଲାରରେ ପହଞ୍ଚିବ । ଯାହା ସହଜ ନୁହେଁ, କାରଣ  ଗତ ୧୦ବର୍ଷରେ ଜିଡିପି ହାରାହାରି ମାତ୍ର ୫.୯% ବୃଦ୍ଧି  ପାଇଛି । 

ଏପ୍ରିଲ୍‌-ଜୁନ୍‌ ୨୦୨୩ ତ୍ରୈମାସରେ ଜିଡିପି  ଅଭିବୃଦ୍ଧି ୭.୮% ହୋଇଥିଲା ବେଳେ ଏପ୍ରିଲ୍‌-ଜୁନ୍‌  ୨୦୨୪ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୬.୭%କୁ ହ୍ରାସ  ପାଇଛି, ଯାହା ଗତ ୧୫ମାସରେ ସର୍ବନିମ୍ନ । ପୁନଶ୍ଚ  ଅର୍ଥନୀତିର ଆକାର ବାସ୍ତବ ଜିଡିପି ଅଭିବୃଦ୍ଧି, ମୁଦ୍ରାସ୍ଫୀତି  (ଜିଡିପି ଡିଫ୍ଲେଟର ଅନୁସାରେ) ଏବଂ ଟଙ୍କାର ଡଲାର  ସହିତ ବିନିମୟ ମୂଲ୍ୟ ଉପରେ ନିର୍ଭର କରେ । ବିଶ୍ୱରେ  ବର୍ତ୍ତମାନ ପଲିକ୍ରାଇସିସ୍‌ ଦେଖାଦେଇଛି । ଏହାର ଅର୍ଥ,  ଗୋଟିଏ ଗୋଟିଏ ସଂକଟର କୁପ୍ରଭାବକୁ ମିଶାଇଲେ ଯାହା  ହେବ ତାହାଠାରୁ ସବୁ ସଂକଟର ମିଳିତ କୁପ୍ରଭାବ ଅଧିକ  ହେବ । ବର୍ତ୍ତମାନ ଭୌଗାଳିକ, ରାଜନୈତିକ ଉତ୍ତେଜନା,  ଦେଶ-ଦେଶ ମଧ୍ୟରେ ଯୁଦ୍ଧ ଓ ଶତ୍ରୁତା, ରାଜନୈତିକ  ବିଦ୍ରୋହ, ମୂଲ୍ୟ ବୃଦ୍ଧି, ଜଳବାୟୁର ପରିବର୍ତ୍ତନ ସହିତ  ସାମାଜିକ-ଅର୍ଥନୈତିକ ଅସମାନତା, ବିଶ୍ୱ ତଥା  ଭାରତର ଆର୍ଥିକ ଅଭିବୃଦ୍ଧିକୁ ପ୍ରଭାବିତ କରିବ। ଏଣୁ  ଅଧିକ ଉଚ୍ଚ ଅଭିବୃଦ୍ଧି ବଜାୟ ରଖିବା ସର୍ବଦା ସମ୍ଭବ  ନୁହେଁ । 

ଏକ ଦେଶ ବିକଶିତ ରାଷ୍ଟ୍ର ହୋଇଛି କି ନାହିଁ ଯଦି  ବିଚାର କରାଯାଏ ତେବେ ମୁଣ୍ଡପିଛା ଆୟ ଏକ ମୁଖ୍ୟ  ମାପକାଠି । ମୁଣ୍ଡପିଛା ଆୟ ଦୃଷ୍ଟିରୁ ଭାରତ ବିଶ୍ୱରେ  ୧୪୨ତମ ସ୍ଥାନରେ ରହିଛି, ଅର୍ଥାତ୍‌ ଏହା ୧୪୧ ଦେଶ  ତଳେ ଅଛି । ସେହିପରି, ମୁଣ୍ଡପିଛା ଆୟ (କ୍ରୟଶକ୍ତି  ସମତା) ଦୃଷ୍ଟିରୁ ଭାରତ ବିଶ୍ୱରେ ୧୨୭ତମ ସ୍ଥାନରେ  ଅଛି, ଅର୍ଥାତ୍‌ ଏହା ୧୨୬ ଦେଶ ତଳେ ଅଛି । ୨୦୦୬  ପର୍ଯ୍ୟନ୍ତ ବିଶ୍ୱ ବ୍ୟାଙ୍କ ଭାରତକୁ ଏକ ନିମ୍ନ ଆୟକାରୀ  ଦେଶଭାବରେ ଶ୍ରେଣୀଭୁକ୍ତ କରିଥିଲା । ୨୦୦୭ରେ  ଭାରତ ନିମ୍ନ ମଧ୍ୟମ ଆୟକାରୀ ଦେଶ ଭାବେ ପରିଗଣିତ  ହେଲା ଏବଂ ସେଥିରେ ଆଉ ଉନ୍ନତି ହୋଇନାହିଁ ।  

ବିକଶିତ ରାଷ୍ଟ୍ର ହେବାପାଇଁ ଭାରତକୁ ଏକ ଉଚ୍ଚ ମଧ୍ୟମ  ଆୟ ଏବଂ ତା’ପରେ ଉଚ୍ଚ ଆୟକାରୀ ରାଷ୍ଟ୍ର ଭାବେ ପରିଗଣିତ ହେବାକୁ ପଡ଼ିବ, ଯାହା ସହଜ ନୁହେଁ । ବିଶ୍ୱ  ବ୍ୟାଙ୍କ ଆଟଲାସ୍‌ ପଦ୍ଧତି ବ୍ୟବହାର କରି ୨୦୨୪-୨୫  ଆର୍ଥିକ ବର୍ଷ ପାଇଁ, ଦେଶଗୁଡିକ ମୁଣ୍ଡପିଛା ଜାତୀୟ  ଆୟକୁ ଭିତ୍ତିକରି ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି ।  ୨୦୨୩ ମସିହାରେ ୧୧୪୫ ଡଲାର କିମ୍ବା ତା'ଠାରୁ  କମ୍‌ ଥିବା ଦେଶକୁ ନିମ୍ନ ଆୟକାରୀ ଦେଶ, ୧୧୪୬  ଡଲାରରୁ ଅଧିକ ୪୫୧୫ ଡଲାରରୁ କମ୍‌ ଥିଲେ ନିମ୍ନ  ମଧ୍ୟମ ଆୟକାରୀ ଦେଶ, ୪୫୧୫ ଡଲାରରୁ ଅଧିକ ଓ  ୧୪,୦୦୫ ଡଲାରରୁ କମ୍‌ ଥିଲେ ଉଚ୍ଚ ମଧ୍ୟମ ଆୟକାରୀ  ଦେଶ ଏବଂ ୧୪,୦୦୫ ଡଲାରରୁ ଅଧିକ ହେଲେ ଉଚ୍ଚ  ଆୟକାରୀ ଦେଶ ଭାବେ ପରିଗଣନା କରାଯାଇଛି ।  

ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଅନୁସାରେ, ଭାରତର ମୁଣ୍ଡପିଛା  ଆୟ ପ୍ରାୟ ୨୮୫୦ ଡଲାର ଏବଂ ଏହା ନିମ୍ନ ମଧ୍ୟମ  ଦେଶ ଭାବରେ ବର୍ଗୀକୃତ କରାଯାଇଛି । ଅପର ପକ୍ଷରେ  ଆମେରିକାର ଏବଂ ଚୀନର ମୁଣ୍ଡପିଛା ଆୟ ଯଥାକ୍ରମେ  ୭୬,୪୦୦ ଡଲାର ଏବଂ ୧୨,୭୦୦ ଡଲାର ଅଟେ । ବିଶ୍ୱ  ବ୍ୟାଙ୍କର "ବିଶ୍ୱ ବିକାଶ ରିପୋର୍ଟ ୨୦୨୪' ଅନୁଯାୟୀ,  ଭାରତ ଯଦି ଠିକ୍‌ ପଦକ୍ଷେପ ନନିଏ, ତେବେ ୧୦୦ଟି  ଦେଶ ମଧ୍ୟରୁ ଗୋଟିଏ ଦେଶ ହୋଇପାରେ, ଯାହା ମଧ୍ୟମ  ଆୟ ଜାଲରେ ପଡ଼ିରହିବ । ବିଶ୍ୱ ବ୍ୟାଙ୍କ ମଧ୍ୟ କହିଛି,  ବର୍ତ୍ତମାନର ହାରରେ ବୃଦ୍ଧିପାଇଲେ ଆମେରିକାର ଜିଡିପି  ଓ ମୁଣ୍ଡପିଛା ଆୟର ଏକ-ଚତୁର୍ଥାଂଶ ହାସଲ କରିବାକୁ  ଭାରତକୁ ୭୫ବର୍ଷ ଲାଗିବ । ଅନ୍ୟପକ୍ଷରେ ଚୀନକୁ  ସମାନ ପର୍ଯ୍ୟାୟରେ ପହଞ୍ଚିବାକୁ ୧୦ବର୍ଷ ଲାଗିବ । 

ବିକଶିତ ରାଷ୍ଟ୍ର ହେବାର ଆଉ ଏକ ମାନଦଣ୍ଡ ହେଲା,  ମିଳିତ ଜାତିସଂଘର ମାନବ ଉନ୍ନୟନ ସୂଚକାଙ୍କରେ  ଉନ୍ନତ ସ୍ଥିତି । ହାରାହାରି ଆୟୁ, ମୁଣ୍ଡପିଛା ଆୟ ଓ  ଶିକ୍ଷା ଉପରେ ପର୍ଯ୍ୟବସିତ ହୋଇଛି ମାନବ ଉନ୍ନୟନ  ସୂଚକାଙ୍କ । ୧୯୯୯ରୁ ୨୦୨୨ ମଧ୍ୟରେ, ଭାରତର ମାନବ  ଉନ୍ନୟନ ସୂଚକାଙ୍କ ମୂଲ୍ୟ ୦.୪୩୪ ରୁ ୦.୬୪୪କୁ  ବା ୪୮.୪ ଧ ବୃଦ୍ଧି ପାଇଛି । କିନ୍ତୁ ଅସମାନତା ହେତୁ  ମାନବ ଉନ୍ନୟନ ସୂଚକାଙ୍କ ମୂଲ୍ୟ ୩୧.୧% ହ୍ରାସପାଉଛି,  ଯାହାକି ୨୦୨୨ରେ ୦.୪୪୪କୁ ହ୍ରାସପାଇଛି । ଏହି  ଅବଧି ମଧ୍ୟରେ ଭାରତୀୟ ହାରାହାରି ଆୟୁ ୯.୧ବର୍ଷ,  ଅଧ୍ୟୟନ କରିବା ଦୃଷ୍ଟିରୁ ୪.୬ବର୍ଷ ଏବଂ ହାରାହାରି ଶିକ୍ଷା  ୩.୮ବର୍ଷ, ମୁଣ୍ଡପିଛା ଆୟ ପ୍ରାୟ ୨୮୭% ବୃଦ୍ଧିପାଇଛି ।  ଏହା ସତ୍ତେ୍ୱ ଭାରତ ମାତ୍ର ମଧ୍ୟମ ମାନବ ବିକାଶ ବର୍ଗରେ  ସ୍ଥାନିତ ହୋଇଛି । ମାନବ ଉନ୍ନୟନ ସୂଚକାଙ୍କରେ  ୨୦୨୩-୨୪ରେ ୧୯୩ ଦେଶ ମଧ୍ୟରୁ ଭାରତ ୧୩୪ ସ୍ଥାନ  ବା ୧୩୩ଟି ଦେଶ ତଳେ ରହିଛି । ସର୍ବାଧିକ ହାରାହାରି  ଦରମା ପାଇବାରେ ବିଶ୍ୱର ଉପର ୩୦ଟି ଦେଶ ମଧ୍ୟରେ  ଭାରତ ନାହିଁ, ଅଥଚ କ୍ଷୁଧା, କୁପୋଷଣ, ଅସମାନତା  ଆଦିରେ ସର୍ବାଚ୍ଚ ସ୍ତରରେ ରହିଥିବା ବିଶ୍ୱର ଦେଶମାନଙ୍କ  ମଧ୍ୟରେ ଭାରତ ସବୁଠାରୁ ଆଗରେ ରହିଛି । 

ବିକଶିତ ଅର୍ଥନୀତି ହେବାକୁ ହେଲେ ନିଯୁକ୍ତି ବୃଦ୍ଧି  ପାଇବା ଆବଶ୍ୟକ । ବର୍ତ୍ତମାନ ଭାରତ ବିଶ୍ୱରେ ଏକ  ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରଭାବେ ଉଭା ହେବା ସତ୍ତେ୍ୱ  ନିଯୁକ୍ତି ବୃଦ୍ଧିପାଉନି । ନିଯୁକ୍ତିବିହୀନ ଅଭିବୃଦ୍ଧି ଦେଖିବାକୁ  ମିଳୁଛି । ଉଦାହରଣ ସ୍ୱରୂପ, ୨୦୦୦ରୁ ୨୦୧୨ ମଧ୍ୟରେ  ଅର୍ଥନୀତି ବାର୍ଷିକ ୬.୨% ହାରରେ ବୃଦ୍ଧି ପାଇଥିଲା  ବେଳେ ନିଯୁକ୍ତି ମାତ୍ର ୧.୬% ହାରରେ ବୃଦ୍ଧି ପାଉଛି ।  ପରିସ୍ଥିତି ଆହୁରି ପୁନଶ୍ଚ ଖରାପ୍‌ ହୋଇଛି । ୨୦୧୨ରୁ  ୨୦୧୯ ମଧ୍ୟରେ ଅଭିବୃଦ୍ଧି ହାର ୬.୭% ହୋଇଥିଲା  ବେଳେ ନିଯୁକ୍ତି ବୃଦ୍ଧି ହାର ମାତ୍ର ୧.୭% । ସେହିପରି  ବିକଶିତ ରାଷ୍ଟ୍ର ହାସଲ ପାଇଁ ଆଉ ଏକ ଲକ୍ଷ୍ୟ ହେଉଛି  ଦାରିଦ୍ର‌୍ୟର ବିଲୋପ । ଭାରତରେ ଗତ ୧୦ବର୍ଷରେ  ୨୫କୋଟି ଦାରିଦ୍ର‌୍ୟରୁ ମୁକୁଳିଛନ୍ତି ଏବଂ ଦାରିଦ୍ର‌୍ୟ ହାର  ମାତ୍ର ୫% ରହିଛି ବୋଲି କୁହାଯାଉଛି । କିନ୍ତୁ ଯଦି  ଗରିବୀ ହଟିଛି ତେବେ ୮୦କୋଟି ଲୋକଙ୍କୁ ଖାଦ୍ୟଶସ୍ୟ  ସହାୟତା ଦେବାର ଆବଶ୍ୟକତା କାହିଁକି ପଡୁଛି? କିନ୍ତୁ  ବିଶ୍ୱବ୍ୟାଙ୍କର ଉଚ୍ଚ ମଧ୍ୟମ ଆୟକାରୀ ରାଷ୍ଟ୍ରର ଦାରିଦ୍ର‌୍ୟ  ସୀମାରେଖା (କ୍ରୟଶକ୍ତି ସମତା ଦୃଷ୍ଟିରୁ ଦୈନିକ ୩.୬୫  ଡଲାର ଆୟ)କୁ ବିଚାର କଲେ ଭାରତରେ ଦାରିଦ୍ର‌୍ୟ  ହାର ୪୪% । ଯଦି ଉଚ୍ଚ ଆୟକାରୀ ରାଷ୍ଟ୍ରର ଦାରିଦ୍ର‌୍ୟ  ସୀମାରେଖା (କ୍ରୟଶକ୍ତି ସମତା ଦୃଷ୍ଟିରୁ ଦୈନିକ ୬.୮୫  ଡଲାର ଆୟ)କୁ ବିଚାର କଲେ ଭାରତରେ ଦାରିଦ୍ର‌୍ୟ  ହାର ୮୨% । 

ସରକାରଙ୍କର ସାର୍ବଜନୀନ ନୀତିର ଏକ ଲକ୍ଷ୍ୟ  ହେଉଛି ଏକ ଅର୍ଥନୀତି ସୃଷ୍ଟି କରିବା, ଯାହାକି  ଦୀର୍ଘକାଳୀନ ଅଭିବୃଦ୍ଧି ଏବଂ ସହଭାଗୀ ସମୃଦ୍ଧତା ପ୍ରଦାନ  କରିଥାଏ । ଏକ ବିକାଶଶୀଳ ଦେଶ ଏକ ବିକଶିତ  ଦେଶ ହେବା ପାଇଁ ଏହାର ଅଭିବୃଦ୍ଧି ହାରକୁ ତ୍ୱରାନ୍ୱିତ  କରିବାକୁ ପଡିବ । ବିକାଶଶୀଳ ଦେଶ ଏବଂ ବିକଶିତ  ଦେଶ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ବିକଶିତ  ଦେଶମାନଙ୍କୁ କେବଳ ଅତୀତର ଅଭିବୃଦ୍ଧି ହାର ବଜାୟ  ରଖିବାକୁ ପଡିଲାବେଳେ ଭାରତ ପରି ବିକାଶଶୀଳ  ଦେଶକୁ ଦ୍ରୁତ ଅଭିବୃଦ୍ଧି ହାରରେ ବୃଦ୍ଧି ପାଇବାକୁ ପଡିବ ।  ପୁନଶ୍ଚ ଅଭିବୃଦ୍ଧି ନିରନ୍ତର ହେବା ସହିତ ସମତୁଲ,  ସମାନୁପାତିକ ହେବା ଆବଶ୍ୟକ । ଉଚ୍ଚମାନର ଚାକିରି  ସୃଷ୍ଟି ହେବା ଜରୁରି । ଅଭିବୃଦ୍ଧିର ସୁଫଳ ଗରିବଙ୍କ  ନିକଟରେ ପହଞ୍ଚିବା ଆବଶ୍ୟକ । ଦ୍ରୁତ ଅଭିବୃଦ୍ଧି ସହିତ  ମୁଣ୍ଡପିଛା ଆୟ, ଶିଳ୍ପାୟନର ସ୍ତର, ସାଧାରଣ ଜୀବନର  ମାନଦଣ୍ଡ, ବୈଷୟିକ ଭିତ୍ତିଭୂମି ଏବଂ ମାନବ ବିକାଶ  ସୂଚକାଙ୍କ ପରି ବିଭିନ୍ନ ସୂଚକାଙ୍କରେ ଉନ୍ନତି ଆବଶ୍ୟକ ।  ଶିକ୍ଷା, ସ୍ୱାସ୍ଥ୍ୟ ସହଜରେ ଉପଲବ୍ଧ ହେବା ଉଚିତ୍‌ ।  ପରିବେଶର ସୁରକ୍ଷା ପ୍ରାଧାନ୍ୟ ପାଇବା ଆବଶ୍ୟକ ।  ଗ୍ରାମୀଣ ତଥା କୃଷି ଦୁଃସ୍ଥିତି, ସଂକଟ ରୋକିବା ଜରୁରି ।  ଲୋକଙ୍କ କ୍ରୟଶକ୍ତି ବୃଦ୍ଧିକରି ଚାହିଦା ବୃଦ୍ଧି କରାଇବା  ସହିତ ଆର୍ଥିକ ସଞ୍ଚୟ ବୃଦ୍ଧି ଆବଶ୍ୟକ । ସର୍ବୋପରି  ଦାରିଦ୍ର‌୍ୟ, କ୍ଷୁଧା, ବେକାରୀ ଏବଂ ଅସମାନତାର ସମସ୍ୟା  ସମାଧାନ ପାଇଁ ସର୍ବଦା ଚେଷ୍ଟା ଜାରି ରହିବା ଉଚିତ୍‌ ।