ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ‘ଲେଡି ଅଫ୍ ଜଷ୍ଟିସ୍’ ବା ନ୍ୟାୟର ଦେବୀଙ୍କ ନୂଆ ମୂର୍ତ୍ତି ସ୍ଥାପନ କରାଯାଇଛି । ନ୍ୟାୟ ଦେବୀଙ୍କ ଆଖିରୁ କଳାପଟି ହଟାଇ ଦିଆଯାଇଛି । ଏହି କଳାପଟି କାନୁନ ଅନ୍ଧ ବୋଲି ଦର୍ଶାଉଥିଲା । ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ କାନୁନ୍ । ନ୍ୟାୟ ଦେବୀଙ୍କ ଆଖିରୁ ହଟିଛି କଳାପଟି, ହାତରେ ଖଡ୍ଗ ବଦଳରେ ଧରିଛନ୍ତି ସମ୍ବିଧାନ । ଭାରତୀୟ ନ୍ୟାୟଦେବୀଙ୍କର ନୂଆ ରୂପକୁ ନେଇ ଚର୍ଚ୍ଚା ।
ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି । ପ୍ରଧାନ ବିଚାରପତିଙ୍କ ବିଚାରରେ, ଖଡ୍ଗ ହେଉଛି ହିଂସାର ପ୍ରତୀକ। କିନ୍ତୁ ଅଦାଲତଙ୍କ କାର୍ଯ୍ୟ ହିଂସାତ୍ମକ ନୁହେଁ। ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ନ୍ୟାୟ ପ୍ରଦାନ କରିଥାନ୍ତି କୋର୍ଟ । ସେହିପରି ନ୍ୟାୟଦେବୀଙ୍କ ଆଖିରେ ବନ୍ଧା ଯାଉଥିବା କଳା କପଡ଼ାଟିକୁ କାଢ଼ି ଦିଆଯାଇଛି । କିନ୍ତୁ ହାତରେ ଧରିଥିବା ନ୍ୟାୟ ତରାଜୁ ପୂର୍ବପରି ରହିଛି । ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଇଂରେଜ ଅମଳର ନ୍ୟାୟ ବ୍ୟବସ୍ଥାକୁ ବଦଳାଇ ଦିଆଯାଇଥିଲା । ଏବେ ନ୍ୟାୟଦେବୀଙ୍କ ସ୍ୱରୂପରେ ପରିବର୍ତ୍ତନ କରାଯାଇଛି ।
ମାନବ ସମାଜ ପାଇଁ ନ୍ୟାୟର ଆବଶ୍ୟକତା ଯୁଗ ଯୁଗ ଧରି ରହିଆସିଛି । ରାଜନୀତିରେ ନ୍ୟାୟ ବ୍ୟବସ୍ଥାର ଦୃଢତା ହିଁ କୌଣସି ଶାସନ ତନ୍ତ୍ରର ଆଧାର ହୋଇଆସିଛି। ଯେତେବେଳେ ନ୍ୟାୟର ପ୍ରସଙ୍ଗ ଉଠେ ସେତେବେଳେ ଆମ ଆଖି ସାମ୍ନାରେ ନ୍ୟାୟର ଦେବୀଙ୍କ ଏକ ପ୍ରତିମା ସ୍ୱତଃ ଚାଲିଆସେ । ଯିଏ ଆଖିରେ ପଟି ବାନ୍ଧିବା ସହିତ ଗୋଟିଏ ହାତରେ ଖଣ୍ଡା ଓ ଅନ୍ୟ ହାତରେ ତରାଜୁ ଧରିଥାନ୍ତି । ନ୍ୟାୟର ଏହି ଦେବୀଙ୍କ ଧାରଣା ପ୍ରଥମେ ଉଭୟ ଇଜିପ୍ଟ, ଗ୍ରୀକ୍ ଏବଂ ରୋମାନ୍ ସାମ୍ରାଜ୍ୟରେ ଦେଖିବାକୁ ମିଳିଥିଲା । ସେବେଠାରୁ ଧୀରେ ଧୀରେ ଏହାର ସମାନ ରୂପ ସମଗ୍ର ବିଶ୍ୱରେ ଦେଖାଯିବାକୁ ଲାଗିଲା । କିନ୍ତୁ ଭାରତର ସୁପ୍ରିମକୋର୍ଟରେ ନ୍ୟାୟ ଦେବୀଙ୍କ ରୂପ ପରିବର୍ତ୍ତନ କରାଯାଇଛି ।