ନୂଆଦିଲ୍ଲୀ,୧୩/୦୨: ସିଙ୍ଗାପୁର ସ୍ଥିତ ଏକ କମ୍ପାନି ନିଜ କର୍ମଚାରୀଙ୍କୁ ୩.୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଉପହାର ଦେଇଛି । ଚାଙ୍ଗ୍ ଚେଙ୍ଗ୍ ହୋଲ୍ଡିଂସ ନାମକ ଏହି କମ୍ପାନି ସେହି କର୍ମଚାରୀଙ୍କୁ ସମ୍ମାନିତ କରିଛି, ଯେଉଁମାନେ ୧୦ ବର୍ଷ କିମ୍ବା ତା’ଠୁ ଅଧିକ ସମୟ ହେଲା କମ୍ପାନିରେ କାମ କରୁଛନ୍ତି । ସେମାନଙ୍କୁ ସୁନାର ଏକ ସ୍ମୃତି ଚିହ୍ନ ଉପହାର ଦେଇଛି, ଯାହାର ଓଜନ ୨୦-୩୦ ଗ୍ରାମ୍ ।

ରିପୋର୍ଟ ଅନୁସାରେ,୧୯୯୪ରେ ଏକ ଛୋଟ ଚିନି ପରିବା-ଚାଉଳ ଷ୍ଟଲରୁ ଚାଙ୍ଗ୍ ଚେଙ୍ଗ୍ ହୋଲ୍ଡିଂସ କମ୍ପାନି ଆରମ୍ଭ ହୋଇଥିଲା । ଏବେ ଏହା ୧୬୦ ରେସ୍ତୋରାଁ ଓ ୩୦ରୁ ଅଧିକ କଫି ସପ୍ ଚଳାଉଛି, ଯେଉଁଠି ୧,୨୦୦ରୁ ଅଧିକ ଲୋକ କାମ କରୁଛନ୍ତି । ନିକଟରେ ୩୨ତମ ବାର୍ଷିକୀ ଅବସରରେ କମ୍ପାନି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ୧୦ ବର୍ଷରୁ ଉର୍ଧ୍ୱ ସମୟ ହେଲା କମ୍ପାନିରେ କାମ କରୁଥିବା ବିଶ୍ୱସ୍ତ କର୍ମଚାରୀଙ୍କୁ ୯୯୯ ପ୍ରତିଶତ ଶୁଦ୍ଧ ସୁନାରେ ପ୍ରସ୍ତୁତ ସୁନାର ସ୍ମୃତି ଚିହ୍ନ ପ୍ରଦାନ କରାଗଲା । ଏଥିରେ କମ୍ପାନି ମୁଖ୍ୟାଳୟ ଓ ବ୍ରାଣ୍ଡ୍ ଲୋଗୋ ରହିଛି ।

କର୍ମଚାରୀଙ୍କ କାର୍ଯ୍ୟକାଳର ବର୍ଷ ସହିତ ୨୦,୨୫ ବା ୩୦ ଗ୍ରାମର ‘୯୯୯ ଶୁଦ୍ଧ ସୁନା’ ବି ଉଲ୍ଲେଖ ହୋଇଛି । ୧୦ରୁ ୧୪ ବର୍ଷ ହେଲା କମ୍ପାନିରେ କାମ କରୁଥିବା କର୍ମଚାରୀଙ୍କୁ ୨୦ ଗ୍ରାମ୍ ସ୍ୱର୍ଣ୍ଣ ସ୍ମୃତି ଚିହ୍ନ, ୧୫ରୁ ୧୯ ବର୍ଷ ହେଲା କାମ କରିଥିବା କର୍ମଚାରୀଙ୍କୁ ୨୫ ଗ୍ରାମ୍ ସୁନା ଏବଂ ୨୦ ବର୍ଷରୁ ଅଧିକ ସମୟ ହେଲା ସେବା ଦେଉଥିବା କର୍ମଚାରୀଙ୍କୁ ୩୦ ଗ୍ରାମ୍ର ସୁନା ସ୍ମୃତି ଫଳକ ପ୍ରଦାନ କରାଯାଇଛି । କର୍ମଚାରୀଙ୍କୁ ଦିଆଯାଇଥିବା ପୁରସ୍କାରର ମୋଟ୍ ମୂଲ୍ୟ ୫୦୦,୦୦୦ ସିଙ୍ଗାପୁର ଡଲାରରୁ ଅଧିକ, ଯାହା ପ୍ରାୟ ୩.୫ କୋଟି ଟଙ୍କା ।