ଭୁବନେଶ୍ୱର,୨୪/୯ : ସର୍ବକାଳୀନ ରେକର୍ଡ ସ୍ତର ଡେଇଁଲା ହଳଦିଆ ଧାତୁ। ସୁନା ଓ ରୁପା ଦର ଉଚ୍ଚ ସ୍ତରରେ ପହଞ୍ଚିଯାଇଛି । ସୁନା ୧,୧୫,୫୦୦ ଟଙ୍କା ପାର୍‌ କରିଛି । ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ୍‌ ସୁନା ଦର ଯଥାକ୍ରମେ ୨୪୦୦ ଟଙ୍କା ଏବଂ ୨୬୨୦ ଟଙ୍କା ମହଙ୍ଗା ହୋଇଛି । ଫଳରେ ଉଭୟ ଯଥାକ୍ରମେ ୧,୦୬,୦୫୦ ଟଙ୍କା ଏବଂ ୧,୧୫,୬୯୦ ଟଙ୍କା ହୋଇଛି । ସେହିଭଳି ରାଜଧାନୀ ଭୁବନେଶ୍ୱରରେ କିଲୋଗ୍ରାମ ପିଛା ରୁପା ୨,୦୦୦ ଟଙ୍କା ମହଙ୍ଗା ହୋଇ ୧,୫୦,୦୦୦ ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି । ଏ ବର୍ଷ ଏଯାବତ୍‌ ସୁନା ଦର ୩୮,୦୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ସେହିଭଳି ରୁପା ୪୯,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି । ସୁନା ଦର ବଢ଼ିବାର ଅନେକ ପ୍ରମୁଖ କାରଣ ରହିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ନୀତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି । ଏଭଳି ସ୍ଥିତିରେ ବାଣିଜ୍ୟ ଯୁଦ୍ଧ ଡରରେ ନିବେଶକ ସୁନାକୁ ସୁରକ୍ଷିତ ମଣି ଏଥିରେ ଅଧିକ ନିବେଶ କରୁଛନ୍ତି । ଏହା ଦରକୁ ତେଜୁଛି । ସେହିଭଳି ବିଭିନ୍ନ ଦେଶ ବିଶେଷ କରି ରୁଷ ଏବଂ ଚୀନ୍‌ ଭଳି ରାଷ୍ଟ୍ରଗୁଡ଼ିକର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପ୍ରଚୁର ମାତ୍ରାରେ ସୁନା କିଣୁଛନ୍ତି । କୌଣସି ପ୍ରକାର ଆପାତ କାଳ ପାଇଁ ଏମାନେ ସୁନା କିଣି ନିଜକୁ ପ୍ରସ୍ତୁତ ରଖୁଛନ୍ତି । ଏହାଦ୍ୱାରା ହଳଦିଆ ଧାତୁର ଚାହିଦା ବୃଦ୍ଧି ପାଇଛି । ସେହିଭଳି ରୁଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ ନ ହେବା କାରଣରୁ ଦେଖାଦେଇଥିବା ଅସ୍ଥିରତାରୁ ଲୋକେ ସୁନାରେ ନିବେଶ ବଢ଼ାଉଛନ୍ତି। ମୁଦ୍ରାସ୍ଫୀତି ଡର ଏବଂ ଫେଡେରାଲ ରିଜର୍ଭର କମ୍‌ ସୁଧ ହାର ଯୋଗୁ ସୁନା ଆକର୍ଷକ ପାଲଟିଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁ ମଧ୍ୟ ସୁନା ମହଙ୍ଗା ହେଉଛି। 

ସେହିଭଳି ଗତକାଲି ସର୍ବକାଳୀନ ରେକର୍ଡ ନିମ୍ନ ସ୍ତରକୁ ଖସିଆସିଛି ଟଙ୍କା। ମଙ୍ଗଳବାର ଡଲାର ତୁଳନାରେ ଏହାର ବିନିମୟ ମୂଲ୍ୟରେ ୪୭ ପଇସା ହ୍ରାସ ଘଟିଛି। ୧ ଡଲାରର ବିନିମୟ ମୂଲ୍ୟ ୮୮.୭୫ ଟଙ୍କା ହୋଇଛି । ମୁଦ୍ରାସ୍ଫୀତି ଭୟ ଏବଂ ଫେଡେରାଲ ରିଜର୍ଭର କମ୍‌ ସୁଧ ହାର ଯୋଗୁ ମଧ୍ୟ ସୁନା ନିବେଶର ଆକର୍ଷକ ମାଧ୍ୟମ ପାଲଟିଛି। ବିଶେଷଜ୍ଞମାନଙ୍କ କହିବାନୁସାରେ, ଆମେରିକା ଟାରିଫ୍‌ ମଧ୍ୟରେ ଭୁ-ରାଜନୈତିକ ସମସ୍ୟା ଜାରି ରହିଛି। ଏହା ଦ୍ୱାରା ସୁନା ଚାହିଦା ବୃଦ୍ଧି ପାଇଛି, ଯାହାକି ଦରକୁ ବଢ଼ାଉଛି। ଆଗକୁ ମଧ୍ୟ ବୃଦ୍ଧି ଧାରା ଜାରି ରହିବ ଏବଂ ସୁନା ନୂଆ ରେକର୍ଡ କରିବ।