ଭୁବନେଶ୍ୱର,୨୨/୦୪: ସୁନା  ଏବଂ ରୁପା ଦର ଦିନକୁ ଦିନ ନୂଆ ରେକର୍ଡ  ଛୁଇଁବାରେ ଲାଗିଛି । ଚୀନ୍‌-ଆମେରିକା ବାଣିଜ୍ୟ  ଯୁଦ୍ଧ ଏବଂ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ନିବେଶକ ଉଭୟ ଧାତୁରେ ମୋଟା  ଆକାରରେ ନିବେଶ କରୁଛନ୍ତି । ଏଥିସହିତ  ୧୦ ଗ୍ରାମ ପିଛା ସୁନା ଦର ପ୍ରଥମ ଥର ଲାଗି  ଐତିହାସିକ ରେକର୍ଡ ସ୍ତର ଲକ୍ଷେ ଟପିଛି । ମାନ୍ଦାବସ୍ଥା ଆଶଙ୍କା ଏବଂ ବିବାହ ଋତୁ ସୁନା  ଚାହିଦାରେ ଆଣିଛି ବଡ଼ ବୃଦ୍ଧି । ବିଶ୍ୱ ବଜାରରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି ଏହି ହଳଦିଆ ଧାତୁ । ଚାହିଦା ବୃଦ୍ଧି ସହ ସୁନା ଦର ୯୯,୦୦୦ ଟଙ୍କା ପାର୍‌ କରିଛି ।  

ଜାତୀୟ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ପିଛା  ୨୪ କ୍ୟାରେଟ୍‌ ସୁନା ଦର ୧,୬୫୦ ଟଙ୍କା ବଢ଼ି  ୯୯,୮୦୦ ଟଙ୍କା ହୋଇଛି । ଲକ୍ଷେ ହେବାକୁ  ଆଉ ୨୦୦ ଟଙ୍କାର ଫରକ । ମାତ୍ର ସୁନାରେ ୩%  ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗିବା  ପରେ ଏହାର ଦର ୧,୦୦,୧୬୬ ଟଙ୍କା ଛୁଇଁଛି ।  ଅଖିଳ ଭାରତୀୟ ସରାଫା ସଂଘ ମୁତାବକ,  ଦିଲ୍ଲୀରେ  ୯୯.୯% ଶୁଦ୍ଧତାଯୁକ୍ତ ସୁନା ଦର  ୯୯,୮୦୦ ଟଙ୍କା ହୋଇଛି । ସେହିଭଳି ୯୯.୫%  ଶୁଦ୍ଧତାଯୁକ୍ତ ସୁନା ୧,୬୦୦ ଟଙ୍କା ବଢ଼ି ୯୯,୩୦୦  ଟଙ୍କା ହୋଇଛି । ଗତ ଡିସେମ୍ବର ୩୧ରୁ ବର୍ତ୍ତମାନ  ସୁଦ୍ଧା ସୁନା ଦର ମୋଟ ୨୦,୮୫୦ ଟଙ୍କା ବା  ୨୬.୪% ମହଙ୍ଗା ହୋଇଛି ।  

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ  ସୋମବାର ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା  ଦର ୭୭୦ ଟଙ୍କା ବଢ଼ି ହୋଇଛି ୯୮,୩୫୦  ଟଙ୍କା । ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌  ସୁନା ଦର ୭୦୦ ଟଙ୍କା ବଢ଼ିଛି । ଫଳରେ ଏହା  ୯୦,୧୫୦ ଟଙ୍କାରେ ପହଞ୍ଚିଛି ।  

ସୁନା ଦର ବଢ଼ିବାର ଅନେକ କାରଣ  ରହିଛି । ଆମେରିକାର ଶୁଳ୍କ ନୀତି ଯୋଗୁ  ବାଣିଜ୍ୟ ଯୁଦ୍ଧ ଭୟଙ୍କର ହେବାର ଆଶଙ୍କା ରହିଛି । ଫଳରେ ଅର୍ଥନୀତିର ଗତି ଧୀମା ହୋଇପାରେ ।  ବିଶ୍ୱ ମାନ୍ଦାବସ୍ଥା ଆଶଙ୍କା ବଢ଼ିଯାଇଛି । ଏଭଳି  ପରିସ୍ଥିତିରେ ଲୋକେ ସୁନାରେ ନିବେଶ  ବଢ଼ାଉଛନ୍ତି।  

ସେହିଭଳି ଡଲାର ତୁଳନାରେ ଟଙ୍କା ଦୁର୍ବଳ  ହେବା ଦ୍ୱାରା ସୁନା ଦରରେ ବୃଦ୍ଧି ଘଟୁଛି । କାରଣ  ଯେତେବେଳେ ଟଙ୍କା ଦୁର୍ବଳ ହୁଏ, ସେତେବେଳେ  ଆମଦାନିରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ।  ଏ ବର୍ଷ ଟଙ୍କାର ବିନିମୟ ମୂଲ୍ୟରେ ପାଖାପାଖି  ୪% ହ୍ରାସ ଘଟିଛି । ଫଳରେ ସୁନା ଦର ଉପରେ  ଚାପ ବୃଦ୍ଧି ପାଇଛି । 

ବିବାହ ଋତୁ ପାଖେଇ ଆସିଲାଣି । ଏଭଳି  ସମୟରେ ସୁନା ଗହଣା ଚାହିଦା ବୃଦ୍ଧି ପାଇଛି । ଏହା  ମଧ୍ୟ ଦରକୁ ଊଦ୍ଧ୍ୱର୍ମୁଖୀ କରିବାର ଅନ୍ୟ ଏକ କାରଣ । ନିବେଶ ଲାଗି ସୁରକ୍ଷିତ ମାଧ୍ୟମ ହେବା ସହ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଏହି ଧାତୁକୁ ମହଙ୍ଗା କରୁଥିବା ବଜାର  ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଖାଲି ସୁନା ନୁହେଁ, ରୁପା ଦର ମଧ୍ୟ ଦ୍ରୁତ ବେଗରେ ବଢ଼ିଚାଲିଛି । 

ଭୁବନେଶ୍ୱରରେ କିଲୋଗ୍ରାମ ପିଛା  ରୁପା ଦର ୧,୦୦୦ ଟଙ୍କା ବଢ଼ି ୧,୧୧,୦୦୦  ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି ।