ନୂଆଦିଲ୍ଲୀ, ୮।୬: ବିବାହ ଋତୁ ମଧ୍ୟରେ ସୁନା ଓ ରୁପା କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଆଜି ଭାରତୀୟ ବଜାରରେ ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ ରେ ପ୍ରାରମ୍ଭିକ କାରବାର ସମୟରେ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୨,୪୦୦ ଟଙ୍କାରୁ ଅଧିକ ଶସ୍ତା ହୋଇଥିବା ବେଳେ ରୁପା ମୂଲ୍ୟରେ କେଜି ପିଛା ପ୍ରାୟ ୮,୯୦୦ ଟଙ୍କାର ବଡ଼ ହ୍ରାସ ରେକର୍ଡ କରାଯାଇଛି । ଅପରପକ୍ଷରେ, ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇଛି, ଯାହା ଆଗକୁ ମୁଦ୍ରାସ୍ଫୀତିବଢ଼ିବାର ଆଶଙ୍କା ସୃଷ୍ଟି କରିଛି । ଏହା ସହିତ ଆମେରିକାର ସକାରାତ୍ମକ ଅର୍ଥନୈତିକ ସୂଚକାଙ୍କ ଯୋଗୁଁ ସେଠାରେ ସୁଧ ହାର ଦୀର୍ଘ ସମୟ ଧରି ଉଚ୍ଚ ସ୍ତରରେ ରହିବା ଆଶଙ୍କାରେ ବଜାରରେ ଏଭଳି ହଲଚଲ ଦେଖିବାକୁ ମିଳିଛି ।

MCX ବଜାରରେ ସୁନା ଦରର ସ୍ଥିତି:

ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଅଗଷ୍ଟ ୫ ତାରିଖ ଡେଲିଭରି ଥିବା ସୁନା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଗତ କାରବାର ସେସନ୍ ରେ ସୁନା ପ୍ରତି ୧୦ ଗ୍ରାମ ୧,୫୫,୫୯୪ ଭାବରେ ବନ୍ଦ ହୋଇଥିଲା । ଆଜି ବଜାର ଖୋଲିବା ସମୟରେ ଏହା ୧,୫୪,୧୭୭ ରେ ଓପନ୍ ହୋଇଥିଲା । ପ୍ରାରମ୍ଭିକ କାରବାରରେ ଏହା ୨,୪୬୪ ହ୍ରାସ ପାଇ ୧,୫୨,୭୧୨ର ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା । ପୂର୍ବାହ୍ନ ୧୧:୧୫ ସୁଦ୍ଧା ସୁନା ପ୍ରାୟ ୧.୩୮% (୨,୧୪୯) ହ୍ରାସ ସହ ୧,୩,୪୪୫ ରେ କାରବାର କରୁଥିଲା ।

ରୁପା ବଜାରରେ ବଡ଼ କ୍ରାଶ୍:

ସୁନା ଅପେକ୍ଷା ରୁପା ମୂଲ୍ୟରେ ଆଜି ସବୁଠାରୁ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଜୁଲାଇ ୩ ତାରିଖ ଡେଲିଭରି ଥିବା ରୁପା ମୂଲ୍ୟରେ ବଡ଼ ପତନ ଘଟିଛି । ଗତ ସେସନ୍ ରେ ରୁପା କେଜି ପିଛା ୨,୪୮,୫୩୭ ରେ ବନ୍ଦ ହୋଇଥିଲା । ଆଜି ସକାଳେ ଏହା ୨,୫୧,୦୦୧ ରେ ଖୋଲିଥିଲା ଏବଂ ଦେଖୁଦେଖୁ ୮,୮୯୫ ଶସ୍ତା ହୋଇ ୨,୩୯,୦୬୪ ସ୍ତରକୁ ଖସି ଯାଇଥିଲା । ପୂର୍ବାହ୍ନ ୧୧:୧୫ ସୁଦ୍ଧା ରୁପା ୩.୪୩% (୮,୫୧୩) ହ୍ରାସ ପାଇ କିଲୋଗ୍ରାମ ପିଛା ୨,୪୦,୦୨୪ ରେ ଟ୍ରେଡ୍ ହେଉଥିଲା ।

କାହିଁକି କମିଲା ଦର ?

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଆମେରିକାରେ ନିକଟରେ ପ୍ରକାଶ ପାଇଥିବା ଆର୍ଥିକ ଆକଳନ ଆଶାଠାରୁ ବହୁତ ଭଲ ରହିଛି । ଏହାଦ୍ୱାରା ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ 'ଫେଡେରାଲ ରିଜର୍ଭ' ଆଗାମୀ ଦିନରେ ସୁଧ ହାର କମାଇବା ସମ୍ଭାବନା ହ୍ରାସ ପାଇଛି । ସୁଧ ହାର ଅଧିକ ଦିନ ଧରି ଉଚ୍ଚା ରହିବା ଆଶଙ୍କା ଯୋଗୁଁ ନିବେଶକମାନେ ସୁନା ଓ ରୁପାରୁ ଲାଭ ଉଠାଇବା ଆରମ୍ଭ କରିଛନ୍ତି, ଯାହାଫଳରେ ମୂଲ୍ୟରେ ଏହି ବଡ଼ ହ୍ରାସ ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ... LPG Price Hike: 'ସିଲିଣ୍ଡର ପିଛା ୭୦୦ ଟଙ୍କା କ୍ଷତି', ଘରୋଇ ଗ୍ୟାସ୍ ବୃଦ୍ଧିକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ, କ'ଣ ପାକିସ୍ତାନ-ଆମେରିକା ଲିଙ୍କ୍ ?