ନୂଆଦିଲ୍ଲୀ ୨୦/୧୨: ମିଶରରେ ଖୋଦେଇ ସମୟରେ ଅନେକ ହଜାର ବର୍ଷ ପୁରୁଣା ସୁନା ଜିଭ ଓ ନଖ ମିଳିଛି । ଏହାର ମୂଲ୍ୟ ଅନେକ କୋଟି ବୋଲି ଆକଳନ କରାଯାଇଛି । ଅଲ୍‌-ବହନସା ପ୍ରତ୍ନତାତ୍ତ୍ୱିକ ସ୍ଥଳୀରେ ଏହି ସାମଗ୍ରୀ ମିଳିଛି, ଯାହା ବିଷୟରେ ପ୍ରତ୍ନତତ୍ତ୍ୱ ମନ୍ତ୍ରାଳୟ ସୋସିଆଲ ମିଡିଆ ପୋଷ୍ଟ୍‌ ମାଧ୍ୟମରେ ଘୋଷଣା କରିଛି । ଅଧିକାରୀଙ୍କ ଅନୁମାନ, ଏହି କଳାକୃତି ଟୋଲମାଇକ ଯୁଗର । ସେତେବେଳେ ଖ୍ରୀ.ପୂ ୩୦୫ରୁ ଖ୍ରୀ.ପୂ ୩୦ ପର୍ଯ୍ୟନ୍ତ ମାସିଡୋନିଆ ଗ୍ରୀକ୍‌ ମିଶର ଉପରେ ଶାସନ କରୁଥିଲେ । ରୋମ ଶାସନର ଆରମ୍ଭ ସହିତ ଏହି ଯୁଗ ଶେଷ ହୋଇଥିଲା । 

ଏ ନେଇ ହୋଇଥିବା ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ମନ୍ତ୍ରାଳୟ କହିଛି, ଏହି ସମାଧି ସ୍ଥଳରେ ରା, ଆଇସିସ୍‌, ହୋରସ ଓ ଓସିରିସ୍‌ ଭଳି ପ୍ରାଚୀନ ମିଶର ଦେବତାଙ୍କୁ ଚିତ୍ରିତ କରୁଥିବା ବିଭିନ୍ନ ତାବିଜ ଓ ଜାର୍‌ ମିଳିଛି । ଏଥିରେ ୧୩ ସୁନାର ମାନବ ଜିଭ ମଧ୍ୟ ରହିଛି । ଏ ସମସ୍ତ ବସ୍ତୁ ଟୋଲମାଇକ ଯୁଗର ବୋଲି ଏଥିରୁ ଜଣାପଡୁଛି । ବାର୍ସିଲୋନା ବିଶ୍ୱବିଦ୍ୟାଳୟ ଓ ଶିକାଗୋ ବିଶ୍ୱବିଦ୍ୟାଳୟର ମିଳିତ ପ୍ରୟାସରେ ଏହି ଖନନ କରାଯାଇଥିଲା । ଏଥିରେ ଟୋଲମାଇକ ଯୁଗର ସମାଧି ସ୍ଥଳରେ ରଙ୍ଗୀନ ଚିତ୍ର ଓ ଶିଳାଲେଖ ସମେତ ମମି ଓ କଫିନ୍‌ ଆଦି ସାମିଲ । ମନ୍ତ୍ରାଳୟ ଏହି ଆବିଷ୍କାରକୁ ଉକ୍ତ ସ୍ଥାନର ଇତିହାସ ଓ ସେ ସମୟର ଧାର୍ମିକ ପ୍ରଥା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି । ଏହି ଅଦ୍ଭୁତ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ରର ରହସ୍ୟକୁ ଉଜାଗର କରିବା ପାଇଁ ଖନନ କାର୍ଯ୍ୟ ଜାରି ରହିବ ବୋଲି ମନ୍ତ୍ରାଳୟ କହିଛି ।