କୋଲକାତା ୨୫/୦୭: ଏଣିକି ବଜାରରେ ମିଳିବ  ମମତାଙ୍କ ମୁହଁ ଥିବା ସ୍ୱର୍ଣ୍ଣ କଲମ । ଏହି କଲମରେ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହଁ ସହିତ ତୃଣମୂଳର  ଲୋଗୋ ମଧ୍ୟ ରହିଛି । ଏଥିରେ ମମତାଙ୍କ ମୁହଁ  ଜଳଜଳ କରି ଝଲସି ଉଠୁଛି । ଏପରି ଏକ ସ୍ୱତନ୍ତ୍ର  କଲମ ତିଆରି କରିଛି ଲେଭାରୀ କମ୍ପାନି । ଏହି କମ୍ପାନି  ସର୍ବଦା ସ୍ୱତନ୍ତ୍ର କଲମ ତିଆରି କରି ଚର୍ଚ୍ଚାକୁ ଆସିଛି ।  

ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ମଣିରେ ଏହି କଲମ  ତିଆରି କରିଛି କମ୍ପାନି । ବିଭିନ୍ନ ସମୟରେ ଦେଶର  ଭିନ୍ନ ଭିନ୍ନ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ମୁହଁ କଲମରେ ଖୋଦିତ  କରିଥାଏ କମ୍ପାନି । ଏଥର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀଙ୍କୁ ଉକ୍ତ ତାଲିକାରେ ସାମିଲ କରିଛନ୍ତି ।  ନିର୍ମାତା ଏହାକୁ ଫେସ୍‌ବୁକ୍‌ରେ ବିକ୍ରୟ ପାଇଁ ବିଜ୍ଞାପନ  ଦେଇଛନ୍ତି । ଏଥିରେ ଉଲ୍ଲେଖ ଅଛି ଯେ କଲମର ମୂଲ୍ୟ  ୧୪୯୯ ଟଙ୍କା । କିନ୍ତୁ ବଙ୍ଗଳାର ‘ଦିଦି' ପାଇଁ କଲମ  ଉପରେ ରିହାତି ଦିଆଯାଉଛି । ମାତ୍ର ୯୯୯ ଟଙ୍କା  ଖର୍ଚ୍ଚ କରି ଏହି କଲମକୁ ସାଧାରଣ ଲୋକେ ସଂଗ୍ରହ  କରିପାରିବେ । ସଂସ୍ଥା ସୂଚନା ଦେଇଛି ଯେ ସେମାନଙ୍କ  ଗୋଦାମରେ ମମତାଙ୍କ ମୁହଁ ଖୋଦିତ କେବଳ ୬ଟି  କଲମ ବାକି ଅଛି ।