ଭୁବନେଶ୍ବର୧/୫ : ଆଜି ଶ୍ରମିକ ଦିବସ । ଏହି ଅବସରରେ ଓଡିଶା ଶ୍ରମିକଙ୍କ ପାଇଁ ଖୁସି ଖବର । ନିର୍ମାଣ ଅଂଚଳରେ କାମ କରୁଥିଲେ ମଧ୍ୟ ପାଇବେ ପାଠ ପଢିବାର ସୁଯୋଗ । କେବଳ ପାଠ ପଢ଼ା ନୁହେଁ ୩ବର୍ଷର ବ୍ୟାଚେଲର ଭୋକେସନାଲର ଡିଗ୍ରୀ ମଧ୍ୟ ପାଇପାରିବେ । ଏ ନେଇ ସୂଚନା ଦେଇଛନ୍ତି ସିଆଇଡିସିର ଡ଼ାଇରେକ୍ଟର ଜେନେରାଲ ପି ଆର ସ୍ୱରୂପ । ଭୁବନେଶ୍ୱର ଗସ୍ତରେ ଆସି news 7କୁ ଏହି ସୂଚନା ଦେଇଛନ୍ତି । ଏ ନେଇ ଖୁବଶୀଘ୍ର ଓଡିଶାର ଏକ ବିଶ୍ୱବିଦ୍ୟାଳୟ ସହ ହେବ ଚୁକ୍ତିନାମା । ଦେଶ ଓ ବିଦେଶରେ ସ୍କିଲଡ଼ ଶ୍ରମିକ ବାହାର କରିବା ପାଇଁ ଅଣ୍ଟା ଭିଡ଼ିଛି construction industry development କାଉଁସିଲ ।
ବ୍ୟାଚେଲର ଭୋକେଶନାଲ ଏହି ଯୋଜନା ଖୁବଶୀଘ୍ର ଓଡ଼ିଶାରେ ମଧ୍ୟ କାର୍ଯ୍ୟକାରୀ ହେବ । ଏ ନେଇ ଓଡିଶାରେ ଏକ ବିଶ୍ୱବିଦ୍ୟାଳୟ ସହ ଏମଓୟୁ ସ୍ବାକ୍ଷର ହେବ । ଜୁଲାଇରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ ରଖିଛି ସିଆଇଡିସି । ଓଡିଶାରେ ଅନେକ କୁଶଳ କାରଗର ରହିଛନ୍ତି। ତାଙ୍କ କାର୍ଯ୍ୟକୁ ଶିକ୍ଷାର ରୂପ ଦେଇ ଡିଗ୍ରୀ ପ୍ରଦାନ କରିବାର ଲକ୍ଷ ରହିଥିବା କହିଛନ୍ତି ସିଆଇଡିସି ଡ଼ାଇରେକ୍ଟର ଜେନରାଲ।
କୃଷି ପରେ ନିର୍ମାଣ କାର୍ଯ୍ୟରେ ବୃହତମ ରୋଜଗାର ସୃଷ୍ଟି ହେଉଛି । କିନ୍ତୁ ସ୍କିଲଡ଼ର ଅଭାବ ରହିଥିବାରୁ ଏହାର ପ୍ରଭାବ ନିର୍ମାଣ କାର୍ଯ୍ୟରେ ପଡୁଛି। ରୋଡ, ବ୍ରିଜ, ଘର, ହସ୍ପିଟାଲ ପରି ବିଭିନ୍ନ ନିର୍ମାଣରେ ଏହାର ପ୍ରଭାବ ପଡୁଛି। ଦେଶରେ ନିର୍ମାଣ କାର୍ଯ୍ୟ ପାଇଁ ସାଢେ ୧୨ଶହ କୋଟି ଲୋକଙ୍କ ଆଵଶ୍ୟକତା ଥିବାବେଳେ ଦେଶରେ ମାତ୍ର ଅଢେ଼ଇ କୋଟି ଲୋକେ ଏଥିରେ ନିୟୋଜିତ ଅଛନ୍ତି । ତେଣୁ ଏହି ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ସହ ଏମାନଙ୍କର ବିକାଶ ଓ ସ୍କିଲଡ଼ ଉପରେ ସିଆଇଡିସି ଗୁରୁତ୍ୱ ଦେଉଥିବା ସୂଚନା ଦେଇଛନ୍ତି ଡିଜି, ପିଆର ସ୍ୱରୂପ । ଏହି ବ୍ୟାଚେଲର ଭୋକେଶନାଲ ପାଇଁ ଦେଶର ୭ଟି ବିଶ୍ୱବିଦ୍ୟାଳୟ ସହ ସିଆଇଡିସିର ଏମଓୟୁ ସ୍ବାକ୍ଷର ହୋଇସାରିଛି। ଦୁଇ ବର୍ଷ ମଧ୍ୟରେ ୧୯୦୦ରୁ ଊର୍ଦ୍ଧ୍ବ ଶ୍ରମିକଙ୍କୁ ୩ବର୍ଷର ବ୍ୟାଚେଲର ଭୋକେଶନାଲ ଡିଗ୍ରୀ ପ୍ରଦାନ କରାଯାଇଛି । ଏହା ଛଡା ଅନ୍ୟ ଶ୍ରମିକଙ୍କ ତାଙ୍କ ଯୋଗ୍ୟତା ଅନୁଯାୟୀ ସ୍କିଲଡ଼ କରାଯାଇ ତାଙ୍କୁ ମଧ୍ୟ ସାର୍ଟିଫିକେଟ ପ୍ରଦାନ କରାଯାଉଛି।
ଶ୍ରମିକଙ୍କ କାର୍ଯ୍ୟ ଓ ତାଙ୍କୁ ପ୍ରୋତ୍ସାହିତ କରିବା ସହ ନିର୍ମାଣ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା କମ୍ପାନୀ, ଶ୍ରମିକ, ସରକାରୀ କର୍ମଚାରୀଙ୍କୁ ବିଭିନ୍ନ କ୍ଷେତ୍ରରେ ବିଶ୍ୱକର୍ମା ସମ୍ମାନରୁ ମଧ୍ୟ ସମ୍ମାନିତ କରୁଛି ସିଆଇଡିସି । ଦେଶରେ ନିର୍ମାଣ କାର୍ଯ୍ୟର ଗୁଣବତାକି ଭଳି ବଢିବ ଓ ଶ୍ରମିକ ମଧ୍ୟ ଉପକୃତ ହେବେ ସେ ଦିଗରେ କାର୍ଯ୍ୟ କରିବାକୁ ଉଦ୍ୟାମ ଆରମ୍ଭ ହୋଇଛି।