ନୂଆଦିଲ୍ଲୀ ୧୩/୧୨: ଗୁଗଲ୍‌ର ନୂଆ ଉତ୍ପାଦ ‘ୱିଲୋ’କୁ ନେଇ ସବୁଠି  ଚର୍ଚ୍ଚା । ଏଲନ ମସ୍କ ମଧ୍ୟ ଏହାକୁ ନେଇ ଗୁଗଲ୍‌ ସିଇଓ  ସୁନ୍ଦର ପିଚାଇଙ୍କ ସହ ଆଲୋଚନା କରୁଛନ୍ତି । ଏହି  ଉତ୍ପାଦ ହେଉଛି ଗୁଗଲ୍‌ ୱିଲୋ ଚିପ୍‌ । ଚଳିତ ସପ୍ତାହ  କମ୍ପାନି ଏହାକୁ ଆଣିଛି । ଗୁଗଲ୍‌ ୱିଲୋ କମ୍ପାନିର କ୍ୱାଣ୍ଟମ୍‌ ଚିପ୍‌, ଯାହା ସବୁଠୁ ଜଟିଳ କାମକୁ ମିନିଟ୍‌ରେ କରିପାରେ । ଏହି ଚିପ୍‌ ସାହାଯ୍ୟରେ ପାରାଲାଲ୍‌  ୟୁନିଭର୍ସ ଓ ମଲ୍ଟିଭର୍ସ ଭଳି ଅବଧାରଣା ଉପରେ ଚର୍ଚ୍ଚା  ଆରମ୍ଭ ହୋଇଛି । ଭବିଷ୍ୟତରେ ଏହି ଚିପ୍‌ ବହୁତ  କିଛି ବଦଳାଇ ପାରିବ ବୋଲି ବିଶ୍ୱାସ କରାଯାଉଛି । ୱିଲୋକୁ ଆଗାମି ପିଢ଼ିର ଚିପ୍‌ ମଧ୍ୟ କୁହାଯାଉଛି ।  ଏହାକୁ ସେଣ୍ଟ୍‌ ବାରବାରା ସ୍ଥିତ କମ୍ପାନିର କ୍ୱାଣ୍ଟମ୍‌  ଲ୍ୟାବ୍‌ରେ ପ୍ରସ୍ତୁତ କରାଯାଇଛି । ସବୁଠୁ ଜଟିଳ  ଗାଣିତିକ ସମସ୍ୟାକୁ ଏହା ମାତ୍ର କିଛି ମିନିଟ୍‌ ମଧ୍ୟରେ  ସମାଧାନ କରିପାରେ । ଯେଉଁ ସମସ୍ୟାର ସମାଧାନ  ଲାଗି ବର୍ତ୍ତମାନର ସୁପର କମ୍ପ୍ୟୁଟରକୁ ବ୍ରହ୍ମାଣ୍ଡର  ବୟସଠୁ ମଧ୍ୟ ଅଧିକ ସମୟ ଲାଗିବ, ତାକୁ ଏହି  ଚିପ୍‌ ମାତ୍ର ୫ ମିନିଟ୍‌ରେ ସମାଧାନ କରିବ ।  

ଚିପ୍‌ ଉନ୍ମୋଚନ ସହିତ ଗୁଗଲ୍‌ ସିଇଓ ସୁନ୍ଦର  ପିଚାଇ ଲେଖିଛନ୍ତି ‘ଏହା ୱିଲୋ, ଆମର ନୂଆ  କ୍ୱାଣ୍ଟମ୍‌ କମ୍ପ୍ୟୁଟିଙ୍ଗ୍‌ ଚିପ୍‌ । ଏଥିରେ ଆମେ ଅଧିକ  କ୍ୟୁବିଟ୍‌ସ ଉପଯୋଗ କରିଛୁ । ଏହା ଦ୍ୱାରା ତ୍ରୁଟି  ସଂଖ୍ୟାକୁ ହ୍ରାସ କରାଯାଇ ପାରିବ । ଏହା କ୍ୱାଣ୍ଟମ୍‌  କ୍ଷେତ୍ରର ସମସ୍ୟାକୁ ଦୂର କରିପାରିବ । କ୍ୱାଣ୍ଟମ୍‌  କମ୍ପ୍ୟୁଟିଙ୍ଗ୍‌ରେ ଏହାର ଉପଯୋଗ ହେବ । ଗୁଗଲ୍‌  ଅନୁସାରେ, ବର୍ତ୍ତମାନର ସବୁଠୁ ଶକ୍ତିଶାଳୀ କମ୍ପ୍ୟୁଟର  ଯେଉଁ କାମକୁ ୧୦ ସେପ୍ଟିଲିଅନ୍‌ (୧୦ରେ ୨୫ଟି  ଶୂନ) ବର୍ଷରେ କରିବେ, ୱିଲୋ ତାକୁ କେବଳ ୫  ମିନିଟ୍‌ରେ କରିଦେବ । ୧୦ ସେପ୍ଟିଲିଅନ୍‌ ସେହି  ସଂଖ୍ୟା, ଯାହାଠୁ ବ୍ରହ୍ମାଣ୍ଡର ବୟସ ଛୋଟ । କ୍ୱାଣ୍ଟମ୍‌  କମ୍ପ୍ୟୁଟିଙ୍ଗ୍‌ କ୍ୱାଣ୍ଟମ୍‌ ମେକାନିକ୍ସର ସିଦ୍ଧାନ୍ତ ଉପରେ  କାମ କରେ, ଯାହା ପାରମ୍ପରିକ କମ୍ପ୍ୟୁଟର୍‌ର କ୍ଷମତାଠୁ  ଯେକୌଣସି ସମସ୍ୟାର ସମାଧାନ କରିପାରେ ।  ସରଳ ଭାଷାରେ କହିଲେ, ପାରମ୍ପରିକ କମ୍ପ୍ୟୁଟର  ବିଟ୍ସରେ କାମ କରେ । ଏଥିରେ ସୂଚନାକୁ ଶୂନ ବା ୧  ରୂପେ ପ୍ରୋସେସ୍‌ କରାଯାଏ ।

ଅନ୍ୟପକ୍ଷେ, କ୍ୱାଣ୍ଟମ୍‌  କମ୍ପ୍ୟୁଟିଙ୍ଗ୍‌ରେ କ୍ୟୁବିଟ୍ସର ଉପଯୋଗ ହୁଏ । ଏଥିରେ  ଶୂନ ବା ୧ କିମ୍ବା ଉଭୟ ଏକସଙ୍ଗେ ରହିପାରନ୍ତି । ଏହି  ପ୍ରକ୍ରିୟାକୁ ସୁପର୍‌ପୋଜିସନ୍‌ କୁହାଯାଏ । ଏହି କ୍ୟୁବିଟ୍ସ  ଯୋଗୁ କ୍ୱାଣ୍ଟମ୍‌ କମ୍ପ୍ୟୁଟର ଅନେକ ଗଣନା ଏକସଙ୍ଗେ  କରିପାରନ୍ତି । ଫଳରେ ଜଟିଳ ସମସ୍ୟାଗୁଡ଼ିକୁ  ସହଜରେ ସମାଧାନ କରାଯାଇ ପାରିବ । ୱିଲୋର  ସବୁଠୁ ବଡ଼ ଆହ୍ୱାନ ହେଉଛି ବାସ୍ତବ ଜୀବନରେ  ଏହାର ଲାଭକୁ ଦର୍ଶାଇବା । ଗୁଗଲ୍‌ ଅନୁସାରେ, ଏହି  ଚିପ୍‌ ଏଆଇ, ଔଷଧ, ଏନର୍ଜି ସିଷ୍ଟମ୍‌ ଓ ଫ୍ୟୁଜନ୍‌  ଏନର୍ଜି ରିସର୍ଚ୍ଚରେ ଖୁବ୍‌ ସହାୟକ ହେବ । ଖାସ୍‌କରି  ଏଆଇ କ୍ଷେତ୍ରରେ ଖୁବ୍‌ ସହାୟକ ହେବ । ଏକ ଏଆଇ  ମଡେଲକୁ ତାଲିମ ଦେବା ଲାଗି ତାକୁ ବହୁତ ତଥ୍ୟ  ଦେବାକୁ ପଡ଼େ । ଏହି ମାମଲାରେ କ୍ୱାଣ୍ଟମ୍‌ କମ୍ପ୍ୟୁଟର  ସହାୟକ ହୋଇପାରିବେ । କାରଣ ଏଗୁଡ଼ିକ ତଥ୍ୟକୁ  ଅଧିକ ଦ୍ରୁତ ବେଗରେ କମ୍ପ୍ୟୁଟ୍‌ କରିପାରିବେ ।  

କ୍ୱାଣ୍ଟମ୍‌ କମ୍ପ୍ୟୁଟିଙ୍ଗ୍‌ରେ ତ୍ରୁଟି ଏକ ବଡ଼ ଚ୍ୟାଲେଞ୍ଜ୍‌ ।  ଏଥିରେ କ୍ୟୁବିଟ୍ସର ପ୍ରଭାବ ପରସ୍ପର ଉପରେ  ପଡ଼େ । ଏହି ସ୍ଥିତିରେ କୌଣସି କ୍ୟୁବିଟ୍ସରେ ସମସ୍ୟା  ଆସିଲେ, ପୂରା ଗଣନାରେ ଗଡ଼ବଡ଼ ହୋଇଯିବ ।  ଅନ୍ୟପକ୍ଷେ, ଯେତେ ଅଧିକ କ୍ୟୁବିଟ୍ସ ଉପଯୋଗ  ହେବ, ସେତେ ଭୁଲ ହେବାର ଆଶଙ୍କା ବଢ଼ିବ ।  ଗୁଗଲ୍‌ ଏହି ଚିପ୍‌ରେ ୧୦୫ କ୍ୟୁବିଟ୍ସ ଉପଯୋଗ  କରିଛି । କ୍ୟୁବିଟ୍ସ ସହିତ ୱିଲୋ ଦୁଇଟି ବେଞ୍ଚ୍‌ମାର୍କକ୍ୱାଣ୍ଟମ୍‌ ଏରର୍‌ କରେକ୍ସନ୍‌ ଓ ର‌୍ୟାଣ୍ଡମ୍‌ ସର୍କିଟ୍‌  ସାମ୍ପଲିଙ୍ଗ୍‌ରେ ଶ୍ରେଷ୍ଠ ଇନ୍‌-କ୍ଲାସ୍‌ ପ୍ରଦର୍ଶନ କରୁଛି ।