ବ୍ରହ୍ମପୁର, ୧୪/୦୮: ଗୋପାଳପୁର  ବେଳାଭୂମିରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ  କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ କରିଛି ।ଚାର୍ଜସିଟ୍‌ରେ  ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୋର୍ଟକୁ ପ୍ରଦାନ କରିଛି  କ୍ରାଇମ୍‌ବ୍ରାଞ୍ଚ । ସଂପୃକ୍ତ ମାମଲାରେ ଗୋପାଳପୁର ଥାନା ପୁଲିସ ଶିକିରି ଅଞ୍ଚଳର ଓମ୍‌ ପ୍ରଧାନଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଚାର୍ଜସିଟ୍‌ରୁ ବାଦ୍‌ ଦେଇଛି ।  ସେପଟେ ତିନିଜଣ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ତଦନ୍ତ ରିପୋର୍ଟରେ କ୍ରାଇମ୍‌ବ୍ରାଞ୍ଚ ଦର୍ଶାଇଛି । ଚାରିଜଣ  ନାବାଳକ ଓ ଦୁଇଜଣ ଅଭିଯୁକ୍ତ ପୀଡ଼ିତାଙ୍କ ପୁରୁଷ  ବନ୍ଧୁଙ୍କୁ ଧରି ରହିଥିଲେ । ଅଭିଯୁକ୍ତ ପ୍ରମୋଦ ନାୟକ, ବାବୁରାମ ଦଳାଇ ଓ କୁନାଲ ପ୍ରଧାନ ଦୁଷ୍କର୍ମ କରିଥିଲେ ବୋଲି ତଦନ୍ତ ରିପୋର୍ଟରେ କ୍ରାଇମ୍‌ବ୍ରାଞ୍ଚ  ଦର୍ଶାଇଛି । ଦୁଷ୍କର୍ମ ପରେ ପୀଡ଼ିତାଙ୍କ ମୋବାଇଲ୍‌ ଫୋନ୍‌ ଛଡାଇ ନେଇଥିଲେ ଅଭିଯୁକ୍ତ । ରାତି ୮ଟା  ୫୬ରେ ପୀଡ଼ିତାଙ୍କ ଫୋନ୍‌ ପେ’ରୁ ହଜାରେ ଟଙ୍କା ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଟ୍ରାନ୍‌ସଫର କରିଥିଲେ । ସେଠାରୁ ୯ଜଣ ଅଭିଯୁକ୍ତ ମେ’ଫାୟାର ହୋଟେଲ  ରାସ୍ତା ଦେଇ ଚମ୍ପଟ ମାରିଥିଲେ । 

ତଦନ୍ତ ରିପୋର୍ଟ ଅନୁସାରେ ଜୁନ୍‌ ୧୫ ତାରିଖ  ସନ୍ଧ୍ୟା ୬ଟା ୩୦ରେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁ  ପାନ୍ଥ ନିବାସ ପଛ ବେଳାଭୂମିରେ ବସିଥିଲେ । ସନ୍ଧ୍ୟା  ୭ଟାରେ ଅନ୍ଧାର ହୋଇଯିବାପରେ ଜଣେ ନାବାଳକ  ପ୍ରଥମେ ତାଙ୍କ ପାଖକୁ ଆସିଥିଲା । ଅନ୍ୟମାନଙ୍କୁ ଡାକି  ସେ ଏକାଠି କରିଥିଲା । ଅଭିଯୁକ୍ତମାନେ କମେଣ୍ଟ୍‌  କରିଥିଲେ ଏବଂ ଗାଳିଗୁଲଜ କରି ପର୍ସ ଓ ମୋବାଇଲ୍‌  ଫୋନ୍‌ ଛଡାଇନେଇଥିଲେ । ପର୍ସରେ ଥିବା ୪୫୦ ଟଙ୍କା  ମଧ୍ୟ ସେମାନେ ନେଇଯାଇଥିଲେ । ପରେ ଯୁବତୀଙ୍କୁ ଅଭିଯୁକ୍ତମାନେ ଟାଣି ଟାଣି ସେଠାରେ ପଡିଥିବା  ଗୋଟିଏ କ୍ୟାବିନ୍‌କୁ ନେଇଯାଇଥିଲେ ଏବଂ ତାଙ୍କ  ପୁରୁଷବନ୍ଧୁଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲେ ।  ପାଟି କଲେ ସେମାନଙ୍କୁ ମାରି ସମୁଦ୍ରରେ ଫିଙ୍ଗିଦେବେ କହି  ଡରାଉଥିଲେ । ତିନିଜଣ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା  ବେଳେ ଚାରିଜଣ ନାବାଳକ ଓ ଦୁଇଜଣ ସାବାଳକ  ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ ଧରି ମାରପିଟ କରିଥିଲେ । ପରବର୍ତ୍ତୀ ସମୟରେ ସମସ୍ତ ଅଭିଯୁକ୍ତ ପୀଡ଼ିତାଙ୍କୁ  ଅସଦାଚରଣ କରିଥିଲେ । ରାତି ୮ଟା ୫୬ରେ ପୀଡ଼ିତାଙ୍କ  ଫୋନ୍‌ ପେ’ରୁ ହଜାରେ ଟଙ୍କା ଅନ୍ୟଜଣକୁ ପଠାଇବା  ପରେ ଅଭିଯୁକ୍ତମାନେ ସେଠାରୁ ଚାଲିଯାଇଥିଲେ । ପୀଡ଼ିତା  ଓ ତାଙ୍କ ପୁରୁଷବନ୍ଧୁ ସେଠାରୁ ଯାଇ ଜଣେ ଫାଷ୍ଟ୍‌ଫୁଡ୍‌  ଦୋକାନୀଙ୍କୁ ସବୁ ଘଟଣା କହିଥିଲେ ଏବଂ ପୁଲିସ ପାଖକୁ  ନେବାକୁ କହିଥିଲେ । ଫାଷ୍ଟଫୁଡ୍‌ ଦୋକାନୀ ଉଭୟଙ୍କୁ ନେଇ ସେଠାରେ ଡ୍ୟୁଟିରେ ଥିବା ହୋମଗାର୍ଡକୁ କହିଥିଲେ । ସେ ସେମାନଙ୍କୁ ଥାନାକୁ ନେଇଥିଲେ । 

ପ୍ରଥମେ ପୁଲିସ ଏହାର ତଦନ୍ତ  କରିଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ  ପ୍ରକାରେ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା ।  କ୍ରାଇମ୍‌ବ୍ରାଞ୍ଚ ପୀଡ଼ିତାଙ୍କ ପୁରୁଷବନ୍ଧୁ ଓ ରେଷ୍ଟୁରାଣ୍ଟ  ମାଲିକଙ୍କ ସହ ୬୦ଜଣଙ୍କୁ ସାକ୍ଷୀ ରଖିଛି ।  ବ୍ରହ୍ମପୁର ଜେଏମ୍‌ଏଫ୍‌ସି (ଗ୍ରାମାଞ୍ଚଳ)ରୁ ଏହି  କେସ୍‌ ଜିଲ୍ଲା ଓ ଦୌରା ଜଜ୍‌ କୋର୍ଟକୁ ସ୍ଥାନାନ୍ତର ହୋଇଛି । ଚାର୍ଜଫ୍ରେମ୍‌ ପରେ ଏହାର ବିଚାରଣା ଆରମ୍ଭ ହେବ । ଘଟଣାସ୍ଥଳରୁ ଜବତ ହୋଇଥିବା ବ୍ୟବହୃତ କଣ୍ଡୋମ୍‌ ପରୀକ୍ଷା ପାଇଁ ଫରେନ୍‌ସିକ୍‌  ଲାବୋରେଟାରୀକୁ ପଠାଯାଇଥିବା ବେଳେ ତାହା  ମ୍ୟଚ୍‌ କରୁଥିବା ରିପୋର୍ଟରେ ଦର୍ଶାଯାଇଛି ।