ବ୍ରହ୍ମପୁର,୨୨/୦୬: ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲା। ଘଟଣାସ୍ଥଳରୁ ମିଳିଥିବା ଆପତ୍ତିଜନକ ସାମଗ୍ରୀର ନମୁନା ଷ୍ଟେଟ୍ ଫରେନସିକ୍ ଲାବୋରେଟାରୀକୁ ପଠାଯାଇଛି । ଗୋପାଳପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଜରିଆରେ କ୍ରାଇମ୍ ସ୍ପଷ୍ଟରୁ ନମୁନା ସଂଗ୍ରହ କରାଯାଇଥିଲା । ଶନିବାର କ୍ରାଇମବ୍ରାଞ୍ଚ୍ ସମସ୍ତ ଅଭିଯୁକ୍ତଙ୍କ ଡିଏନଏ ନମୁନା ସହ ଅନ୍ଯ ନମୁନାକୁ କୋର୍ଟରେ ଦାଖଲ କରିଥିଲା । ପରେ ଏହାକୁ ପରୀକ୍ଷା ପାଇଁ ଭୁବନେଶ୍ୱରରେ ଥିବା ଷ୍ଟେଟ୍ ଫରେନ୍ସିକ୍ ଲ୍ୟାବକୁ ପଠାଯାଇଥିଲା । ତେବେ ଏହା ଆଜି ଷ୍ଟେଟ୍ ଫରେନସିକ୍ ଲାବୋରେଟାରୀରେ ପହଞ୍ଚିଛି । ରେଡଫ୍ଲାଗ୍ ନିୟମ ଅନୁଯାୟୀ ଫରେନସିକ ତଥ୍ୟକୁ ପରୀକ୍ଷା ପାଇଁ ଲାବରେ ପ୍ରଥମେ ପ୍ରାଥମିକତା ଦିଆଯିବ । ଆବଶ୍ୟକ ପଡ଼ିଲେ ସମସ୍ତ ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ ହେବା ନେଇ ସୂଚନା ମିଳିଛି ।
ପୁଲିସ ଜବତ କରିଥିବା ସମସ୍ତ ସାମଗ୍ରୀ କ୍ରାଇମ୍ବ୍ରାଞ୍ଚ୍ ଟିମ୍କୁ ହସ୍ତାନ୍ତର କରିଛି । କ୍ରାଇମ୍ବ୍ରାଞ୍ଚ୍ ଟିମ୍ ତଦନ୍ତ ସମୟରେ ବହୁ ନମୁନା ସଂଗ୍ରହ କରିଥିଲା । ଅଭିଯୁକ୍ତଙ୍କ ପୋଷାକ, ସେମାନଙ୍କ ଚୁଟି, ଘଟଣାସ୍ଥଳରୁ ମିଳିଥିବା ଆପତ୍ତିଜନକ ସାମଗ୍ରୀ ଏବଂ ସାଇଣ୍ଟିଫିକ୍ ଟିମ୍ ଜରିଆରେ କିଛି ନମୁନା ସଂଗ୍ରହ ହୋଇଥିଲା । କ୍ରାଇମ୍ବ୍ରାଞ୍ଚ୍ ସମସ୍ତ ନମୁନା କୋର୍ଟରେ ଦାଖଲ କରିବା ପରେ ପରୀକ୍ଷା ପାଇଁ ଭୁବନେଶ୍ୱରରେ ଥିବା ଷ୍ଟେଟ୍ ଫରେନ୍ସିକ୍ ଲାବୋରେଟୋରୀକୁ ଗତକାଲି ପଠାଇଥିଲା । ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ କ୍ରାଇମ୍ବ୍ରାଞ୍ଚ୍ ଏହି ମାମଲାର ତଦନ୍ତ ଶୀଘ୍ର ସାରିବାକୁ ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି । ସମସ୍ତ ରିପୋର୍ଟ ଆସିବା ପରେ ମାସକ ଭିତରେ କ୍ରାଇମ୍ବ୍ରାଞ୍ଚ୍ ଚାର୍ଜସିଟ୍ ଦାଖଲ କରିବ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଗତ ରବିବାର ସନ୍ଧ୍ୟା(୧୫ ତାରିଖ)ରେ ପୁରୁଷବନ୍ଧୁଙ୍କ ସହ ଜଣେ ଯୁବତୀ ଗୋପାଳପୁର ବେଳାଭୂମି ଯାଇଥିବା ବେଳେ ଗଣଦୁଷ୍କର୍ମ ଶିକାର ହୋଇଥିଲେ । ରାତି ୮ଟାରେ ପାନ୍ଥ ନିବାସ ପଛରେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ । ରାତି ୧୧ଟାରେ ଗୋପାଳପୁର ଥାନାରେ ଅଭିଯୋଗ ପରେ ପୁଲିସ ସେହି ରାତିରେ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ୬ ଜଣ ଅଭିଯୁକ୍ତ ବ୍ରହ୍ମପୁର ଜେଲ୍ରେ ଥିବାବେଳେ ୪ ଜଣ ନାବାଳକ ବାଳସୁଧାର ଗୃହରେ ଅଛନ୍ତି । ଶୁକ୍ରାବର କେବଳ ବ୍ରହ୍ମପୁର ଜେଲ୍ରେ ଥିବା ଅଭିଯୁକ୍ତଙ୍କୁ ଟିଆଇ ପରେଡ୍ରେ ଚିହ୍ନଟ କରିଛନ୍ତି ପୀଡ଼ିତା । ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ନାବାଳକଙ୍କ ମାମଲା ରହିଛି । ଜଘନ୍ୟ ଅପରାଧ ହୋଇଥିବାରୁ ଏହା ଚିଲ୍ଡ୍ରେନ୍ କୋର୍ଟକୁ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି । କ୍ରାଇମ୍ବ୍ରାଞ୍ଚ୍ର ୯ ଜଣିଆ ଟିମ୍ ଭୁବନେଶ୍ୱରରୁ ବ୍ରହ୍ମପୁରରେ ରହି କୋର୍ଟରେ ସମସ୍ତ କାଗଜପତ୍ର ଦାଖଲ କରିବାରେ ଲାଗିଛନ୍ତି । ସେପଟେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ ହୋଇସାରିଛି। ଗୋପାଳପୁରର ଜଣେ ରେଷ୍ଟୁରାଣ୍ଟ୍ ମାଲିକଙ୍କ ବୟାନ ବି ରେକର୍ଡ ହୋଇଛି ।