ନୂଆଦିଲ୍ଲୀ,୨୦/୦୮: ଆହୁରି ସୁଦୃଢ଼ ହେବ ଭାରତୀୟ ବାୟୁସେନାର ଶକ୍ତି। ୯୭ଟି ଏଲ୍‌ସିଏ ତେଜସ୍‌ ମାର୍କ ୧ଏ ଯୁଦ୍ଧବିମାନ କିଣିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ସ୍ୱଦେଶୀ କମ୍ପାନି ହାଲ୍‌ ବା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡଟାରୁ ପ୍ରାୟ ୬୨ ହଜାର କୋଟି ଟଙ୍କାରେ  ଏହାକୁ କିଣାଯିବ । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଏହି ପ୍ରକଳ୍ପ ପାଇଁ ୩୦ ନଭେମ୍ବର ୨୦୨୩ ରେ 'ପ୍ରୟୋଜନର ସ୍ୱୀକୃତି'  ଦେଇଥିଲା।

ସ୍ୱଦେଶୀ କମ୍ପାନି ଠାରୁ ତେଜସ୍‌ ହାଲୁକା ଲଢ଼ୁଆ ବିମାନ କିଣାଯିବା ଏହା ଦ୍ୱିତୀୟ ବରାଦ । ପୂର୍ବରୁ କିଛି ବର୍ଷ ତଳେ ୪୮ ହଜାର କୋଟି ଟଙ୍କାର ୮୩ଟି ବିମାନ କିଣିବାକୁ ଲାଗି ହାଲ୍‌କୁ ବରାଦ ଦିଆଯାଇଛି । ବର୍ତ୍ତମାନ ଭାରତୀୟ ବାୟୁସେନାରେ ସେବାରତ ମିଗ୍‌୨୧ ଯୁଦ୍ଧବିମାନ ସ୍ଥାନରେ ତେଜସକୁ ନିୟୋଜିତ କରାଯିବ । କିଛି ବର୍ଷ ଭିତରେ ପର୍ଯ୍ୟାୟକ୍ରମେ ମିଗ୍‌-୨୧କୁ ବାୟୁସେନାରୁ ହଟାଇବାକୁ ଯୋଜନା କରାଯାଇଛି । ସ୍ୱଦେଶୀ ଯୁଦ୍ଧବିମାନ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ବାୟୁସେନା ମୁଖ୍ୟାଳୟ ଭରସା କରିଛି । ଏହା ଫଳରେ ଭାରତର ଘରୋଇ କମ୍ପାନିମାନେ ବିଶେଷ ଭାବେ ଉପକୃତ ହେବେ । 

ହାଲ୍‌ର ପୁନରୁଦ୍ଧାର ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ଭାବେ ଅଗ୍ରାଧିକାର ଦେଉଛନ୍ତି । ଯାହାଫଳରେ ଏହାକୁ ଆବଶ୍ୟକତା ଅନୁସାରେ ଭିନ୍ନ ଭିନ୍ନ ପ୍ରକାର ବିମାନ ନିର୍ମାଣ କରିବାର ବରାଦ ଏବେ ମିଳିବାରେ ଲାଗିଛି । ବିମାନ ସହିତ ହେଲିକପ୍ଟର ଓ ଇଞ୍ଜିନ ମଧ୍ୟ ନିର୍ମାଣ କରିବାକୁ ବରାଦ ଦିଆଯାଉଛି । ଏହାଦ୍ୱାରା କେବଳ ହାଲ୍‌ ନୁହେଁ ଦେଶର ଅନ୍ୟାନ୍ୟ ଛୋଟ କମ୍ପାନିମାନେ ମଧ୍ୟ ଉପକୃତ ହୋଇପାରିବେ । ପୂର୍ବରୁ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଭି.ଆର ଚୌଧୁରୀ ସ୍ପେନରେ ୯୭ଟି ଅଧିକ ସ୍ୱଦେଶୀ ଯୁଦ୍ଧବିମାନ ଏଲ୍‌ସିଏ ତେଜସ୍‌ ମାର୍କ ୧ଏ କିଣାଯିବା ନେଇ ସୂଚନା ଦେଇଥିଲେ । ସେ କହିଥିଲେ ଯେ ୪୦ଟି ବିମାନ ବାୟୁସେନାକୁ ମିଳିସାରିଛି । ଆହୁରି କିଛି ନିର୍ମାଣ ଚାଲିଛି । ଏଥିସହ ପୁଣି ୯୭ଟି ଯୁଦ୍ଧବିମାଣ କିଣାଯିବାର ପ୍ରସ୍ତାବ ରହିଛି । ଏଲ୍‌ସିଏ ମାର୍କ ୧ଏ ଯୁଦ୍ଧ ବିମାନରେ ଯେଉଁସବୁ ଉପକରଣ ବ୍ୟବହାର କରାଯିବ ତାର ୬୫ ପ୍ରତିଶତରୁ ଅଧିକ ସ୍ୱଦେଶୀ କମ୍ପାନି ଠାରୁ ଅଣାଯିବ । ଏହା ଦ୍ୱାର ଆତ୍ମନିର୍ଭର ଭାରତକୁ ଶକ୍ତି ମିଳିବ । ହାଲ୍‌କୁ ମଧ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ୨୦୦ରୁ ଅଧିକ ଏଲ୍‌ସିଏ ମାର୍କ୨ ଯୁଦ୍ଧବିମାନ ଏବଂ ସମ  ପରିମାଣର ପଞ୍ଚମ ପିଢ଼ିର ଆଡଭାନ୍ସଡ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ ନିର୍ମାଣ କରିବା ଲାଗି ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି ।