ସମ୍ବଲପୁର,୧୪/୦୫: ଅଡୁଆରେ ପଡିଛି ସମ୍ବଲପୁର ଆଉ ଏକ ନିର୍ମାଣ ବିଭାଗ । ଏନ୍ଏଚ ଡିଭିଜନ କାର୍ଯ୍ୟାଳୟ ପରେ ଏବେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍ ହୋଇଛି । ଠିକା କାମ କରିଥିବା ଟଙ୍କା ନ ମିଳିବାରୁ ସମ୍ବଲପୁର ଉତ୍ତରାଞ୍ଚଳ ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର ଆଟାଚ୍ କରାଯାଇଛି । ଠିକାଦାରଙ୍କ ୮୯ ଲକ୍ଷ ଟଙ୍କା ବକେୟା ଥିଲା। ତେଣୁ ସେ ସିଭିଲ ଜଜ୍ଙ୍କ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ବିଚାର କରି କୋର୍ଟଙ୍କ ନିର୍ଦ୍ଦେଶରେ ନିର୍ମାଣ ବିଭାଗ ସମ୍ପତ୍ତି ଜବତ ହୋଇଛି। ସିନିୟର ସିଭିଲ ଜଜ୍ଙ୍କ ନିର୍ଦ୍ଦେଶ ପରେ କୋର୍ଟ କର୍ମଚାରୀଙ୍କ ଉପସ୍ଥିତିରେ ସବୁ ଆସବାପତ୍ର ଆଟାଚ୍ କରିଛନ୍ତି । ଅଫିସ କମ୍ପ୍ୟୁଟର, ଚେୟାର, ଟେବୁଲ, କୁଲର ଏବଂ ଏସି ଆଟାଚ୍ କରାଯାଇଛି।
ଆଇନଜୀବୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ କହିବାନୁଯାୟୀ, ଠିକାଦାର ୨୦୧୨ ମସିହାରେ ଏକ ପଲିଟେକନିକ୍ କଲେଜର ମହିଳା ହଷ୍ଟେଲ ଓ ପ୍ରାଶାସନିକ ଭବନ ତିଆରି କରିଥିଲେ। ଏହି ବାବଦକୁ କିଛି ପ୍ରାପ୍ୟ ଦିଆଯାଇଥିଲା। ବାକି ବକେୟା ରଖିଥିଲେ। ଶେଷରେ ଠିକାଦାର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଆଟାଚମେଣ୍ଟ ପ୍ରକ୍ରିୟା ହୋଇଛି । କିନ୍ତୁ କିଛି ପୁରୁଣା ଜିନିଷ ଗୁଡିକ ଆଟାଚ କରାଯାଉଛି । ଖବର ପାଇ କାର୍ଯ୍ୟାଳୟ କର୍ମଚାରୀମାନେ ଗତକାଲି ସମସ୍ତ ଦାମୀ ଜିନିଷ ଖୋଲି ନେଇଯାଇଛନ୍ତି । ଏ ସବୁ ଜିନିଷ ବିକିଲେ ପ୍ରାପ୍ୟ ଟଙ୍କାର ୧୦ ପ୍ରତିଶତ ବି ଭରଣା ହୋଇପାରିବ ନାହିଁ। ତେଣୁ ପୁର୍ନବାର ଆମେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ଚିତ୍ତରଞ୍ଜନ ପାଣିଗ୍ରାହୀ କହିଛନ୍ତି।
ପୂର୍ବରୁ ମଧ୍ୟ ସମ୍ବଲପୁରର ଅନ୍ୟ ୨ ନିର୍ମାଣ ବିଭାଗର ସମ୍ପତ୍ତି ଆଟାଚ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଗତ କିଛି ଦିନ ପୂର୍ବରୁ ଏନ୍ଏଚ ଡିଭିଜନ କାର୍ଯ୍ୟାଳୟର ସମସ୍ତ ସମ୍ପତ୍ତି ଆଟାଚ କରାଯାଇଥିଲା । ପରେ ହୀରାକୁଦ ବନ୍ଧ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍ କରିବାକୁ ନିର୍ଦ୍ଦେଶ ଥିଲା। ହେଲେ କୌଣସି କାରଣରୁ ହୋଇପାରି ନଥିଲା।