ଭୁବନେଶ୍ବର,୧୭।୧୨ :  ସିବିଆଇ ସମନ ପରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ଦାୟିତ୍ବ ମୁକ୍ତ କରିଛନ୍ତି । ପ୍ରମୁଖ ଶାସନ ସଚିବ ପଦରୁ ଅବ୍ୟାହତି ଦେଲେ ରାଜ୍ୟ ସରକାର । ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସେ  ଥିଲେ ପ୍ରମୁଖ  ଶାସନ ସଚିବ। ସେହିପରି ଏସସି ଓ  ଏସଟି ବିଭାଗ ସଚିବ ଦାୟିତ୍ବରୁ ମଧ୍ୟ ମୁକ୍ତ କରିଛନ୍ତି।  ବର୍ତ୍ତମାନ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଦାୟିତ୍ବ ଦିଆଯାଇଛି 

ଲାଞ୍ଚ କାରବାର ମାମଲାରେ ବ୍ରିଜ୍ ଆଣ୍ଡ୍ ରୁଫ୍‌ ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ସହ   ‘ଆଦିତ୍ୟଦେବ ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ ଲିମିଟେଡ’  ମାଲିକ ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍‌ ଲିମିଟେଡ୍‌ କନ୍‌ଷ୍ଟ୍ରକ୍ସନ ସଂସ୍ଥାର ନିର୍ଦ୍ଦେଶକ  ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଥିଲା । ପରର୍ବତ୍ତୀ ସମୟରେ ଏହି ଲାଞ୍ଚ କାରବାରରେ ଲିଙ୍କ ଥିବା ଅଭିଯୋଗରେ ଆଇଏଏସ୍‌ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ୍ କରିଛି। ଏହା ପୂର୍ବରୁ  ବିଷ୍ଣୁପଦଙ୍କ  ଡ୍ରାଇଭରଙ୍କୁ  ସିବିଆଇ ଜେରା କରିଛି। 

 ବିଷ୍ଣୁପଦଙ୍କୁ ପଦରୁ ହଟାଇବା ପରେ  ବର୍ତ୍ତମାନ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ସଚିବ ଭାବେ ସଞ୍ଜୀବ କୁମାର ମିଶ୍ରଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ବିଷ୍ଣୁପଦଙ୍କ ସ୍ଥାନରେ ନିଯୁକ୍ତ କରାଯାଇଛି ।