ଚନ୍ଦନେଶ୍ୱର, ୨୯/୫( ଆ.ପ୍ର): ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ । ଭାରତୀୟ ପାଣିପାଗ ବିଭାଗର ସୂଚନା ଓ ଓଡିଶା ସରକାରଙ୍କ ମତ୍ସ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ୫ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରା ଯାଇଛି । ଆଉ ଏଭଳି ପରିସ୍ଥିତିରେ ମତ୍ସ୍ୟଜୀବୀମାନେ ନିୟମକୁ ଫୁ କରି ଜୀବନକୁ ବାଜି ଲଗାଇ ଅଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଉଛନ୍ତି । ସାମୁଦ୍ରିକ ଥାନାର ପୁଲିସ କିମ୍ବା ମତ୍ସ୍ୟବିଭାଗ ଏଥିପ୍ରତି ଆଖି ବୁଜି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ଭୋଗରାଇର ଉଦୟପୁର, ତାଳସାରୀ, ରଣସିଂହପୁର ଓ କୀର୍ତନିଆ ମତ୍ସ୍ୟ ଅବତରଣ କେନ୍ଦ୍ର ମାନଙ୍କରେ ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନ କରାଯିବା ସହିତ ସମୁଦ୍ରରୁ ମାଛଧରା ଉପରେ କଟକଣା ଲଗା ଯାଇଛି । ମାତ୍ର ତାଳସାରୀ ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା ମଙ୍ଗଳା-୨ ନାମକ ଏକ ଡଙ୍ଗା ମାଛଧରି କୂଳକୁ ଫେରି ବିକ୍ରି କରୁଥିବା ନଜରକୁ ଆସିଥିଲା । ତାଳସାରୀ ବେଳାଭୂମିରେ ୨୪ ଘଂଟିଆ ପୁଲିସ ପହରା ରହିଛି । ଏହାଛଡା ଜଣେ ସହକାରୀ ମତ୍ସ୍ୟ ଅଧିକାରୀ ଓ ୨୦ ଜଣ ସାଗର ମିତ୍ର ମଧ୍ୟ କାର୍ଯ୍ୟ କରୁଛନ୍ତି । ତଥାପି ଏମାନଙ୍କ ଉପରେ କୌଣସି ନଜର ନାହିଁ । ପ୍ରାୟ ୫ଜଣ ମତ୍ସ୍ୟଜୀବୀ ମାଛଧରି କୂଳକୁ ଫେରିଥିବା ଦେଖିବାକୁ ମିଳିଥିଲା । ଏନେଇ ଚନ୍ଦନେଶ୍ଵର ସହକାରୀ ମତ୍ସ୍ୟ ଅଧିକାରୀ ଅନନ୍ତ କୁମାର ଜେନା କହନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l