ନୂଆଦିଲ୍ଲୀ: ଦେଶରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ବୁଦ୍ଧିଜୀବୀମାନେ ଅନେକ ସମୟରେ ଦାବି କରି ଆସୁଛନ୍ତି। ଏନେଇ କେନ୍ଦ୍ର ସରକାର ମଧ୍ୟ ନୂଆ ଶିକ୍ଷା ନୀତି ଲାଗୁ କରି ବିଭିନ୍ନ ପଦକ୍ଷେପ ନେଉଛନ୍ତି। ହେଲେ ଭାରତର ଶିକ୍ଷା ଭିତ୍ତିଭୂମିକୁ ନେଇ ଯେଉଁ ରିପୋର୍ଟ ଆସିଛି ତାହା ଖୁବ୍ ଚିନ୍ତାଜନକ। ଏହି ରିପୋର୍ଟ ଜାରି କରିଛି କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଶିକ୍ଷା ପାଇଁ ମିଳିତ ଜିଲ୍ଲା ସୂଚନା ପ୍ରଣାଳୀ ପ୍ଲସ୍ (UDISE+ )। 

ୟୁଡିଆଇଏସଇ ପ୍ଲସ୍ ଜାରି କରିଥିବା ରିପୋର୍ଟ ଅନୁସାରେ, କୋଭିଡ-୧୯ ପରେ ଭାରତର ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ବର୍ଷ ୨୦୨୩-୨୪ରେ ସର୍ବାଧିକ ଡ୍ରପ ଆଉଟ ହାର(ଅଧାରୁ ସ୍କୁଲ୍ ଛାଡ଼ିବା) ଦେଖିବାକୁ ମିଳିଛି। ସମଗ୍ର ଦେଶରେ ବର୍ତ୍ତମାନ ସରକାରୀ ସ୍କୁଲର ସ୍ଥିତି ବେସରକାରୀ ସ୍କୁଲ ତୁଳନାରେ ଅତ୍ୟନ୍ତ ଖରାପ ରହିଛି। ସରକାରୀ ସ୍କୁଲରେ ନାମଲେଖା ହାର କମୁଥିଲା ବେଳେ ବେସରକାରୀ ସ୍କୁଲରେ ନାମଲେଖା ହାର ଆଶାତୀତ ଭାବେ ବୃଦ୍ଧି ପାଇଛି। 

ୟୁଡିଆଇଏସଇ-ପ୍ଲସ୍ର ସଦ୍ୟତମ ରିପୋର୍ଟରେ ଭାରତୀୟ ସ୍କୁଲଗୁଡ଼ିକର ଭିତ୍ତିଭୂମିକୁ ନେଇ ଯେଉଁ ରିପୋର୍ଟ ଦିଆଯାଇଛି, ତାହା ନିହାତି ଆଶ୍ଚର୍ଯ୍ୟଜନକ। ରିପୋର୍ଟ ଅନୁସାରେ ଦେଶରେ ଥିବା ସମସ୍ତ ସରକାରୀ ସ୍କୁଲରେ ମାତ୍ର ୫୭.୨ ପ୍ରତିଶତ କାର୍ଯ୍ୟକ୍ଷମ କମ୍ପୁଟର ଥିବା ବେଳେ ତା’ମଧ୍ୟରୁ ମାତ୍ର ୫୩.୯ ପ୍ରତିଶତ କମ୍ପୁଟରରେ ଇଣ୍ଟରନେଟ ସଂଯୋଗ ରହିଛି। ଦେଶ ଡିଜିଟାଲ ଇଣ୍ଡିଆ ଆଡକୁ ଅଗ୍ରସର ହେଉଥିବା ବେଳେ ଏହି ତମାମ ତଥ୍ୟ ଦେଶର ସରକାରୀ ବିଦ୍ୟାଳୟର ବିକଳ ବ୍ୟବସ୍ଥାର ଚିତ୍ରକୁ ପଦାରେ ପକାଇଛି। 

ଦେଶର ମୋଟ ୯୦ ପ୍ରତିଶତ ସରକାରୀ ସ୍କୁଲରେ ମୌଳିକ ସୁବିଧା ଯଥା ବିଦ୍ୟୁତ ସଂଯୋଗ ଓ ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ବ୍ୟବସ୍ଥା ରହିଛି। ତେବେ ଅନ୍ୟାନ୍ୟ ସୁବିଧା ଯେପରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ରାମ୍ପ(ବାଡ଼ ଥାଇ ସମାନ ଚଟାଣ)ର ବ୍ୟବସ୍ଥା ମାତ୍ର ୫୨.୩ ପ୍ରତିଶତ ସ୍କୁଲରେ ରହିଛି। 

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଆମେ ଦେଶର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା କହି ଯେତିକି ଡିଣ୍ଡିମ ପିଟୁଛେ ତୃଣମୂଳ ସ୍ତରରେ କାମ ସେତେଟା ଆଗେଇପାରୁ ନାହିଁ। ୨୦୨୫ ହେବାକୁ ଯାଉଥିବା ବେଳେ ଦେଶର ଥିବା ସମସ୍ତ ସରକାରୀ ସ୍କୁଲଗୁଡ଼ିକରେ  ଏପର୍ଯ୍ୟନ୍ତ କମ୍ପ୍ୟୁଟର ଓ ଇଣ୍ଟରନେଟ ଭଳି ଆନୁସାଙ୍ଗିକ ସୁବିଧା ସହଜରେ ଉପଲବ୍ଧ ହୋଇପାରୁନାହିଁ। 

ସମଗ୍ର ଦେଶରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକରେ ଛାତ୍ର ନାମଲେଖାରେ ଯଥେଷ୍ଟ ହ୍ରାସ ପରିଲକ୍ଷିତ ହୋଇଛି। ଚଳିତ ୨୦୨୩-୨୪ ଶିକ୍ଷାବର୍ଷରେ ପୂର୍ବ ବର୍ଷ ତୁଳନାରେ ୩୭ ଲକ୍ଷ କମ୍ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଫଳରେ ଚଳିତ ବର୍ଷ ସରକାରୀ ସ୍କୁଲରେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୨୪.୮ କୋଟି ରହିଛି।

ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ସରକାର ପୂର୍ବ ବର୍ଷ ଦେଶରେ ନୂଆ ଜାତୀୟ ଶିକ୍ଷା ନୀତି(ଏନଇପି) ୨୦୨୦ ଲାଗୁ କରିଥିଲେ। ତେବେ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ସମାବେଶ ଓ ସମାନତା ଉପରେ ଧ୍ୟାନ ଦେଇ ଏହି ସମସ୍ୟର ସମାଧାନ କରିବାକୁ ଲକ୍ଷ୍ୟ ରଖିଛି। ଭିତ୍ତିଭୂମିର ଅଭାବ ସର୍ବଭାରତୀୟ ଶିକ୍ଷା ଦିଗରେ ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଛି। ତେବେ ୨୦୩୦ ସୁଦ୍ଧା ଏହି ସମସ୍ୟାଗୁଡ଼ିକର ସମାଧାନ ହୋଇଯିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି।