ଭୁବନେଶ୍ଵର, ୧୭/୧୨ : ସଶକ୍ତ ହେବେ ବନ କର୍ମଚାରୀ। ସାବାଡ୍ ହେବେ ଶିକାରୀ। ବନ ବିଭାଗ କର୍ମଚାରୀଙ୍କୁ ବନ୍ଧୁକ ଧରାଇବେ ସରକାର। ଶିକାରୀଙ୍କୁ ସାବାଡ଼ କରିବାକୁ ବନ କର୍ମଚାରୀଙ୍କୁ ବନ୍ଧୁକ ଚଳାଇବାର କ୍ଷମତା ମିଳିଥିଲେ ମଧ୍ୟ ବନ୍ଧୁକ ମିଳିନାହିଁ। ଯେଉଁଥିପାଇଁ ଶିକାରୀମାନେ ବନ ବିଭାଗ କର୍ମଚାରୀଙ୍କୁ ଗୁଳି ଚଳାଇବାକୁ ପଛାଉନାହାଁନ୍ତି। ଏହାର ମୁକାବିଲା କରିବାକୁ ଏବେ ପୋଲିସର ସାହାଯ୍ୟ ନିଆଯିବ। ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଏଆଇ କ୍ୟାମେରା ଆଣିଛି। ଏହା ସହ ଦୁଇଟି ସ୍ଥାନରେ ପାଇଲଟ୍ ଭିତ୍ତିରେ ଏଆଇ କ୍ୟାମେରା ଲଗାଯାଇଛି। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି।

ବର୍ତ୍ତମାନ ପାଇଲଟ୍ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଓ ରାଉରକେଲାରେ ଏଆଇ କ୍ୟାମେରା ଲାଗିଛି। ଶିକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବା ପାଇଁ ଏହି କ୍ୟାମେରା ଲଗାଯାଇଛି। ଏହି କ୍ୟାମେରା ଶିକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଛି। ଏପରିକି ଜଙ୍ଗଲ ଅଞ୍ଚଳ ଦେଇ ଯାଇଥିବା ରେଳ ଲାଇନରେ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧିକୁ ନଜର ରଖିବା ପାଇଁ ଏଆଇ କ୍ୟାମେରା ଲଗାଯାଇଛି। ଆଗକୁ ଅନ୍ୟ ଜାଗାରେ ବି ଲଗାଯିବ। ଜଙ୍ଗଲ ଭିତରେ ଅସାମାଜିକ କାର୍ଯ୍ୟ ରୋକିବା ପାଇଁ ଏହି କ୍ୟାମେରା କାମ କରିବ। ଏହା ସହିତ ବନ ବିଭାଗ କର୍ମଚାରୀମାନଙ୍କୁ ଅଧିକ ସଶକ୍ତ କରିବାକୁ ସେମାନଙ୍କୁ ବନ୍ଧୁକ ଧରାଇବା ଉପରେ ସରକାର ଚିନ୍ତା କରୁଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି।