ନୂଆଦିଲ୍ଲୀ: ଭାରତରେ ରକ୍ଷାବନ୍ଧନ ଆସନ୍ତା ଶନିବାର ଦିନ ପାଳନ କରାଯିବ। ଏହି ଭାଇ-ଭଉଣୀଙ୍କ ପର୍ବକୁ ଆହୁରି ସ୍ମରଣୀୟ କରିବା ପାଇଁ ଦେଶର ଅନେକ ରାଜ୍ୟ ସରକାର ମହିଳାମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଘୋଷଣା କରିଛନ୍ତି। ଏହି ଉପହାର ମହିଳାମାନଙ୍କୁ ତାଙ୍କ ଭାଇମାନଙ୍କୁ ରାଖି ବାନ୍ଧିବା ପାଇଁ ଯାତାୟାତରେ ସୁବିଧା ପ୍ରଦାନ କରିବ। କେତେକ ରାଜ୍ୟରେ ଏହି ସୁବିଧା ଏକ ଦିନ, ଅନ୍ୟମାନଙ୍କରେ ଦୁଇ କିମ୍ବା ତିନି ଦିନ ପାଇଁ ଉପଲବ୍ଧ ରହିଛି। ମାଗଣା ବସ୍ ଯାତ୍ରା ପ୍ରଦାନ କରୁଥିବା ରାଜ୍ୟଗୁଡ଼ିକ ସମସ୍ତ ମହିଳାଙ୍କ ପାଇଁ ଏହି ସୁବିଧା ଘୋଷଣା କରିଛନ୍ତି।

ରକ୍ଷାବନ୍ଧନ ନିମନ୍ତେ ମହିଳାମାନଙ୍କ ପାଇଁ ଉତ୍ତର ପ୍ରଦେଶ ସରକାର ସବୁଠୁ ବଡ ଘୋଷଣା କରିଛନ୍ତି। ଖବର ମୁତାବକ, ଅଗଷ୍ଟ ୮ ତାରିଖ ସକାଳ ୬ ଟାରୁ ଅଗଷ୍ଟ ୧୦ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି ନୂତନ ନିୟମ ଲାଗୁ ରହିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ରାଜ୍ୟ ପରିବହନ ନିଗମ (UPSRTC) ଓ ସହରୀ ବସ୍‌ରେ ମହିଳାମାନଙ୍କ ପାଇଁ ମାଗଣା ଯାତ୍ରା ଘୋଷଣା କରିଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ ଅତିରିକ୍ତ ବସ୍ ମୁତୟନ ହେବ। ୨୦୧୭ ମସିହାରୁ ଚାଲିଆସୁଥିବା ଏହି ପରମ୍ପରା ୧.୨୩ କୋଟିରୁ ଅଧିକ ମହିଳାଙ୍କୁ ଉପକୃତ କରିଛି।

ସେହିଭଳି ହରିୟାଣା ସରକାର ଅଗଷ୍ଟ ୮ ତାରିଖ ମଧ୍ୟାହ୍ନ ୧୨ ଟାରୁ ଅଗଷ୍ଟ ୯ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ମହିଳାମାନେ ବସରେ ମାଗଣା ଯାତ୍ରା କରିବେ ବୋଲି ଘୋଷଣା କରିଛନ୍ତି। ସବୁ ବର୍ଗର ମହିଳା ଓ ୧୫ ବର୍ଷରୁ କମ୍ ବୟସର ଶିଶୁମାନେ ହରିୟାଣା ରୋଡୱେଜ୍ ବସ୍‌ରେ ମାଗଣା ଯାତ୍ରା କରିପାରିବେ। ଏହା ରାଜ୍ୟ ଭିତରେ ଏବଂ ଦିଲ୍ଲୀ, ଚଣ୍ଡୀଗଡ଼ ଯାଉଥିବା ବସ୍‌ ପାଇଁ ମଧ୍ୟ ପ୍ରଯୁଜ୍ୟ ରହିବ।

ଅନ୍ୟପଟେ ରାଜସ୍ଥାନ ସରକାର ଅଗଷ୍ଟ ୯ ଓ ୧୦ ତାରିଖ ଦିନ ମହିଳାମାନେ ମାଗଣାରେ ବସ୍ ଯାତ୍ରା କରିପାରିବେ। ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ରାଜସ୍ଥାନ ରାଜ୍ୟ ପରିବହନ ନିଗମର ବସ୍‌ରେ ମହିଳାମାନଙ୍କ ପାଇଁ ଦୁଇ ଦିନ ମାଗଣା ଯାତ୍ରା ଘୋଷଣା କରିଛନ୍ତି। ଏହା ରାଜ୍ୟ ସୀମା ମଧ୍ୟରେ ପ୍ରଯୁଜ୍ୟ ଓ ପ୍ରଥମ ଥର ପାଇଁ ଚଳିତ ବର୍ଷରୁ ଏହି ସୁବିଧା ଦିଆଯାଉଛି।

ମଧ୍ୟପ୍ରଦେଶ ସରକାର ଅଗଷ୍ଟ ୯ ତାରିଖ ଦିନ ମହିଳା ମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ଅଫର ଲାଗୁ କରିଛନ୍ତି। ଭୋପାଳ ଓ ଇନ୍ଦୋରରେ ମହିଳାମାନେ ସହର ମଧ୍ୟରେ ଚାଲୁଥିବା ବସ୍‌ରେ ମାଗଣା ଯାତ୍ରା କରିପାରିବେ। ଲାଡ଼ଲି ବେହନା ଯୋଜନା ଅଧୀନରେ ଯୋଗ୍ୟ ମହିଳାମାନେ ୧,୫୦୦ ଟଙ୍କା ଓ ୨୫୦ ଟଙ୍କା ଉତ୍ସବ କାଳିନ ବୋନସ ପାଇବେ। ରାଜ୍ୟ ସରକାର ୨୮ ଲକ୍ଷରୁ ଅଧିକ ମହିଳାଙ୍କୁ ୪୩.୯ କୋଟି ଟଙ୍କା ଏଲପିଜି ସବସିଡି ବାଣ୍ଟିଛନ୍ତି।

ଉତ୍ତରାଖଣ୍ଡ ସରକାର ମଧ୍ୟ ଅଗଷ୍ଟ ୯ ତାରିଖ ପାଇଁ ଏହି ସ୍ୱତନ୍ତ୍ର ଅଫର ଘଷଣା କରିଛନ୍ତି। ଉତ୍ତରାଖଣ୍ଡ ପରିବହନ ନିଗମ ମହିଳା ଓ ଶିଶୁମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା ପ୍ରଦାନ କରିବ। ଏହା ଏକ ବାର୍ଷିକ ପରମ୍ପରା ଭାବେ ଅନେକ ଦିନରୁ ଚାଲି ଆସିଛି। ଅନ୍ୟପଟେ ଚଣ୍ଡୀଗଡ଼, ମୋହାଲୀ, ପଞ୍ଚକୁଲା ଅଞ୍ଚଳରେ ମଧ୍ୟ ଅଗଷ୍ଟ ୯ ତାରିଖ ଦିନ ଏହି ଅଫର ଲାଗୁ ହେବ। ମହିଳାମାନେ ଟ୍ରାଇସିଟି ଅଞ୍ଚଳରେ ଯାତାୟତ କରୁଥିବା CTU ଓ CCBSS ବସ୍‌ରେ ମାଗଣା ଯାତ୍ରା କରିପାରିବେ।

ସେହିଭଳି ବିହାର ଓ ହିମାଚଳ ପ୍ରଦେଶ ସରକାର ଅଗଷ୍ଟ ୯ ତାରିଖ ଦିନ ରାଜ୍ୟ ପଥ ପରିବହନ ନିଗମର ସାଧାରଣ, ଡିଲକ୍ସ, ଭଲଭୋ ଓ ପିଙ୍କ ବସ୍‌ରେ ମହିଳାମାନଙ୍କ ପାଇଁ ମାଗଣା ଯାତ୍ରା ବ୍ୟବସ୍ଥା କରିଛନ୍ତି। ଅନ୍ୟାନ୍ୟ ରାଜ୍ୟ ଭିତରେ ପଞ୍ଜାବ, କର୍ଣ୍ଣାଟକ ଓ ଦିଲ୍ଲୀ ବର୍ଷସାରା ମହିଳାମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଦେଉଛନ୍ତି। ଦିଲ୍ଲୀରେ ଏହା କେବଳ ସ୍ଥାନୀୟ ମହିଳାମାନଙ୍କ ପାଇଁ DTC ବସ୍‌ରେ ଉପଲବ୍ଧ ରହିଛି।

ଏହି ଯୋଜନା ମହିଳାମାନଙ୍କୁ ସୁରକ୍ଷିତ ଓ ଖର୍ଚ୍ଚମୁକ୍ତ ଯାତାୟାତ ସୁବିଧା ଦେଇ ରକ୍ଷାବନ୍ଧନରେ ଭାଇମାନଙ୍କୁ ଭେଟିବାରେ ସାହାଯ୍ୟ କରିବ। ଏହା ମହିଳା ସଶକ୍ତିକରଣ ଓ ପାରିବାରିକ ବନ୍ଧନକୁ ମଧ୍ୟ ମଜବୁତ କରିବ।