ଭୁବନେଶ୍ୱର, ୨୩/୧ : ଭାରତର ଉପ-ରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କୁ ଓଡ଼ିଶା ଲୋକଭବନଠାରେ ରାଜ୍ୟପାଳ ଡ଼କ୍ଟର ହରି ବାବୁ କମ୍ଭମପତି ସମ୍ବର୍ଦ୍ଧିତ କରିଛନ୍ତି । ଶୁକ୍ରବାର ଉପ-ରାଷ୍ଟ୍ରପତିଙ୍କ ଦିନିକିଆ ଓଡ଼ିଶା ଗସ୍ତ ଅବସରରେ ଉପ-ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଲୋକଭବନର ନ୍ୟୁ ଅଭିଷେକ ହଲ୍ ଠାରେ ଏକ ଔପଚାରିକ ଭୋଜି ଆୟୋଜିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ସହଧର୍ମିଣୀ ଡ଼ାକ୍ଟର ପ୍ରିୟଙ୍କା ମାରାଣ୍ଡି, ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ସାଂସଦ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗଦେଇ ଥିଲେ।

ଭୋଜନ ପରେ ରାଜ୍ୟପାଳ ଉପ-ରାଷ୍ଟ୍ରପତିଙ୍କୁ ସମ୍ମାନ ସୂଚକ ଭାବେ ଔପଚାରିକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହି ଅବସରରେ ପରିବେଷିତ ଲାଇଭ୍ ଯନ୍ତ୍ର ସଙ୍ଗୀତକୁ ଉପରାଷ୍ଟ୍ରପତି ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶାର ମହାନ ଅତିଥି ସତ୍କାର ପରମ୍ପରାକୁ ପ୍ରତିଫଳିତ କରିଥିଲା ଏବଂ ଉପ-ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ବରିଷ୍ଠ ନେତୃତ୍ୱ ଓ ସାମ୍ବିଧାନିକ ପଦାଧିକାରୀଙ୍କ ମଧ୍ୟରେ ପାରସ୍ପରିକ ଆଲୋଚନା ପାଇଁ ଏକ ଉତ୍ତମ ସୁଯୋଗ ପ୍ରଦାନ କରିଥିଲା।

ସୂଚନା ଯୋଗ୍ୟ ଯେ, ଚଳିତ ଜାନୁଆରୀ ୨୩ ତାରିଖ ଶୁକ୍ରବାର ଦିନ ଭାରତର ମାନ୍ୟବର ଉପ-ରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନ ଏକ ଦିନିଆ ଓଡ଼ିଶା ଗସ୍ତରେ ଆସି କଟକଠାରେ ପରାକ୍ରମ ଦିବସ ଉତ୍ସବରେ ଯୋଗଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ ପାଳନ ସମାରୋହରେ ଯୋଗଦେଇଥିଲେ ।