ନୂଆଦିଲ୍ଲୀ ୦୭/୦୧: ଏକ ପାନ୍‌ କାର୍ଡ ସ୍କାମ୍‌ ନେଇ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କ ଗ୍ରାହକଙ୍କୁ ସତର୍କ  କରିଛନ୍ତି କେନ୍ଦ୍ର ସରକାର । ଅଧିକାଂଶ  ଗ୍ରାହକଙ୍କୁ ଏଭଳି ମେସେଜ୍‌ ଆସିଛି, ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ,  ପାନ୍‌ କାର୍ଡ ବିବରଣୀ ଅପ୍‌ଡେଟ୍‌ କରି ନ  ଥିବାରୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ଲକ୍‌  କରି ଦିଆଯାଇଛି । ଏହି ମେସେଜ୍‌ରେ  ଏକ ଲିଙ୍କ୍‌ ରହୁଛି । ପାନ୍‌ ବିବରଣୀ  ଅପ୍‌ଡେଟ୍‌ କରିବା ପାଇଁ ଉକ୍ତ ଲିଙ୍କ୍‌ରେ  କ୍ଲିକ୍‌ କରିବା ପାଇଁ ଗ୍ରାହକଙ୍କୁ କୁହାଯାଉଛି ।  ଲୋକଙ୍କ କଷ୍ଟଅର୍ଜିତ ଧନ ହଡ଼ପ ତଥା  ବ୍ୟକ୍ତିଗତ ତଥ୍ୟ ହାସଲ କରିବା ପାଇଁ ଏହା ଏକ ସ୍କାମ୍‌ ବୋଲି ସରକାର  ଲୋକଙ୍କୁ ସଚେତନ କରିଛନ୍ତି ।  ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେସନ୍‌  ବ୍ୟୁରୋ (ପିଆଇବି) ଫ୍ୟାକ୍ଟ ଚେକ୍‌ ଟିମ୍‌  ଏହି ମେସେଜ୍‌ଗୁଡ଼ିକୁ ଯାଞ୍ଚ କରିବା ପରେ  ଜାଣିବାକୁ ପାଇଛି ଯେ, ମେସେଜ୍‌ଗୁଡ଼ିକ  ଫେକ୍‌ । ଭାରତୀୟ ଡାକ ଏଭଳି ମେସେଜ୍‌ ପଠାଇ ନ ଥାଏ ବୋଲି କେନ୍ଦ୍ର ସରକାର  ସ୍ପଷ୍ଟ କରିଛନ୍ତି । ଏଭଳି ମେସେଜ୍‌ ତଥା  ଲିଙ୍କ୍‌ଗୁଡ଼ିକରୁ ଦୂରେଇ ରହିବା ପାଇଁ  ସରକାର ଗ୍ରାହକଙ୍କୁ ପରାମର୍ଶ ଦେଇଛନ୍ତି ।