ରାସଗୋବିନ୍ଦପୁର,୧୪/୦୪: କାକାବନ୍ଧ ଆଶ୍ରମରେ ଝାଡ଼ାବାନ୍ତି ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ମୋରଡା ବିଧାୟକ ତଥା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଭେଟିଥିଲେ ।
ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଗାଁ ଅମର୍ଦା ପଞ୍ଚାୟତସ୍ଥ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ୧୪୫ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଝାଡ଼ା, ବାନ୍ତି, ଜର, ମୁଣ୍ଡ ଓ ପେଟବ୍ୟଥାରେ ଶିକାର ହୋଇ ରବିବାର ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିଲେ । ଦିନ ୯ରୁ ରାତି ତମାମ ଅସୁସ୍ଥ ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଥମିବାର ନାଁ ଧରୁନଥିଲା । ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ରାତି ଅଧରେ ଆସି ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଚିକିତ୍ସାଧୀନ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଭେଟିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ପରେ ଜିଲ୍ଲାପାଳଙ୍କୁ ଦୁଇଟି ସ୍ୱତନ୍ତ୍ର ଟିମ୍ ଭେଟି କାକବନ୍ଧ ଆଶ୍ରମ ସ୍କୁଲକୁ ପରିଦର୍ଶନ କରିବା ସହିତ ସ୍ଥିତି ସମୀକ୍ଷା କରି କେଉଁ ପରିସ୍ଥିତିରେ ଏତେ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେଲେ ତାର ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଭଳି ପରିସ୍ଥିତି ପାଇଁ ଯିଏ ବି ଦାୟୀ ରହିବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ଼ ମହାପାତ୍ର ପ୍ରକାଶ କରିଥିଲେ ।
ତେବେ ଏନେଇ ସି.ଡି.ଏମ.ଓଙ୍କ ପ୍ରତିକ୍ରିୟା ନେବାରୁ ଏବେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା, କିଛି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିନଥିବାରୁ ତାଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯିବା ସହ ଏବଂ ଛାତ୍ରଛାତ୍ରୀମାନେ ଖାଇଥିବା ଖାଦ୍ୟର ଟେଷ୍ଟ ରିପୋର୍ଟ ଦୁଇତିନି ଦିନ ମଧ୍ୟରେ ଆସିଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ପ୍ରକାଶ କରିଥିଲେ । ତେବେ ରବିବାର ସନ୍ଧ୍ୟାରେ ରାସଗୋବିନ୍ଦପୁର ବିଜେପି ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳର ସୁବନ୍ଦବୋସ୍ତ କରା ଯାଉଥିଲା ।
ଅଧିକ ପଢ଼ନ୍ତୁ :- MRPଠାରୁ ଅଧିକ ଦାମ୍ରେ ମଦ ବିକ୍ରି, ଦୋକାନୀ-ଗ୍ରାହକ ପାଟିତୁଣ୍ଡ ଓ ଠେଲାପେଲା
ସୋମବାରରାସଗୋବିନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ଦିନବେଳେ ଶୁଖିଲା ଖାଦ୍ୟ,ରନ୍ଧା ଖାଦ୍ୟ ସହ ପାନୀୟ ଜଳର ସୁବନ୍ଦବୋସ୍ତ କରାଇଥିଲେ ବିଡିଓ ରାସଗୋବିନ୍ଦପୁର । କିନ୍ତୁ ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ପରେ ମଧ୍ୟ କିଛି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟରେ ସୁଧାର ନଆସିବାରୁ ଛାତ୍ରଛାତ୍ରୀଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।ତେବେ ଦିନ ତମାମ ରାସଗାବିନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡାକ୍ତରୀ ଟିମ, ସ୍ଥାନୀୟ ବିଡିଓ ଅନନ୍ତ ହାଁସଦା, ତହସିଲଦାର ଉପେନ୍ଦ୍ର କୁମାର ଦାସ, ସି.ଡି.ଏମ.ଓ,ଏ.ଡି.ଏମ.ଓ, ପୁଲିସ ପ୍ରଶାସନ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିବାବେଳେ ବିରୋଧୀ ଦଳର ନେତା ଭାବେ ଜଣାଶୁଣା ପୂର୍ବତନ ବିଧାୟକ,ରାଜକିଶୋର ଦାଶ,ପୂର୍ବତନ ବିଧାୟକ ମୟୂରଭଞ୍ଜ ମହାରାଜ ପ୍ରବିଣ ଚନ୍ଦ୍ର ଭଞ୍ଜଦେଓ, ଜେ ଏମ୍ ଏମ୍ର କୃଷ୍ଣ ଚନ୍ଦ୍ର ଦାସ, କଂଗ୍ରେସର ଶିବାନନ୍ଦ ଜ୍ଞାନେନ୍ଦ୍ର ଦାସ, ସମାଜସେବୀ ଇଞ୍ଜିନିୟର ନରୋତ୍ତମ ମହାନ୍ତି, ବିଶିଷ୍ଟ ସମାଜସେବୀ ଡା ଆଦିତ୍ୟ ଭାଇ ପ୍ରତ୍ୟକ୍ଷ ଭାବେ ରାସଗାବିନ୍ଦପୁର ଗାଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ରହି ଅସୁସ୍ଥ ଥିବା ଛାତ୍ରଛାତ୍ରୀମାନଙ୍କୁ ଭେଟିବା ପରେ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ଆଇ,ଆଇ,ସି ପଦ୍ମଲୋଚନ ପାଣିଗ୍ରାହୀ ଓ ତାଙ୍କ ଟିମ୍ ରଖିଥିବାବେଳେ ଉପସ୍ଥିତ ସମସ୍ତ ଅଭିଭାବକମାନେ ଏଭଳି ଅଘଟଣ ପାଇଁ ଦାୟୀ ବ୍ୟକ୍ତିଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି ।