ପୁରୀ, ୧୪/୦୪: ଏମ୍ଆର୍‌ରି ଠାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି ମଦ । ମଦ ଦର ବୃଦ୍ଧିକୁ ନେଇ ମଦୁଆ ଛାନିଆ । ଦରଠାରୁ କ’ଣ ପାଇଁ ଅଧିକ ନେଉଛ ବୋଲି ଦୋକାନ ସମ୍ମୁଖରେ ଦୋକାନୀ ସହ ପାଟିତୁଣ୍ଡ ଓ ଠେଲାପେଲା ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ମଦ ଦୋକାନୀ ନଛୋଡ଼ବନ୍ଧା । ଅଧିକ ଦାମ୍ ଦେଇ ମଦ ନେଲେ ନିଅ, ନହେଲେ ଯାଅ ବୋଲି ରୋକ୍‌ ଠୋକ୍ କହୁଛନ୍ତି ଦୋକାନୀ । ମଦ ନିତାନ୍ତ ଆବଶ୍ୟକ ଥିବାରୁ ଦର ଅଧିକ ହେଉ ପଛେ ବାଧ୍ୟ ହୋଇ ମଦ କିଣିବାକୁ ପଡୁଛି ନିଜ ନାମ ଗୋପନ ରଖି କହିଛନ୍ତି ଜଣେ ବ୍ୟକ୍ତି ।

ତାଙ୍କ କହିବାନୁଯାୟୀ, ଏମ୍ଆର୍‌ପି ଠାରୁ ଅଧିକ ଦାମ୍‌ରେ ବିକ୍ରି ହେବା ନିୟମ ନାହିଁ । କିନ୍ତୁ ସେମାନେ ଜବରଦସ୍ତ ବିକ୍ରି କରୁଛନ୍ତି । ଏପରିକି କେଉଁ ମଦରେ ୫୦ ଟଙ୍କାରୁ ଆରମ୍ଭ କରି ୧୦୦ ଓ ୨୦୦ ଟଙ୍କା ଅଧିକ ଦେବାକୁ ପଡୁଛି । ଅବକାରୀ ଅଧିକାରୀମାନେ ନିରୀକ୍ଷଣ କରିବା ଲାଗି ଦାବି କରିଛନ୍ତି । ଏସମ୍ପର୍କରେ ଅବକାରୀ ଇନ୍ସପେକ୍ଟର ପାର୍ଥସାରଥୀ ରାଉତ କୁହନ୍ତି, ଏପ୍ରିଲ ପହିଲାରୁ ମଦ ଦର ବୃଦ୍ଧି ହୋଇଛି । ମାତ୍ର ଦୋକାନୀମାନେ ପୁରୁଣା ଏମ୍ଆର୍‌ପି ଥିବା ମଦକୁ ଅଧିକ ଦାମ୍‌ରେ ବିକ୍ରି କରୁଛନ୍ତି । କେବଳ ପୁରୀ ନୁହେଁ ସମଗ୍ର ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଛି । ଏନେଇ ଗ୍ରାହକକୁ ଅବଗତ କରିବା ଲାଗି ଦୋକାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ :-  ରାଜଧାନୀରୁ ସନ୍ଦିଗ୍ଧ ଆତଙ୍କୀ ଗିରଫ ମାମଲା: ଇମ୍ରାନ୍ର ଗାର୍ଲଫ୍ରେଣ୍ଡଙ୍କ ଟେର୍ ପାଉନି STF, ସ୍କାନ୍ରେ ଦୁଇ ସାଙ୍ଗ ବଣ୍ଟି ଓ ଚନ୍ଦନ

ସୂଚନାଯୋଗ୍ୟ, ପୁରୀ ଜିଲ୍ଲାରେ ମୋଟ ୫୪ଟି ମଦ କାଉଣ୍ଟର ରହିଥିବା ବେଳେ ସେଥିରୁ ୩୬ଟି ଠିପି ବନ୍ଦ ଦୋକାନ ଓ ୧୮ଟି ବିଦେଶୀ ମଦ ଦୋକାନ । ପୁରୀ ସହରରେ ୧୨ଟି ଠିପି ବନ୍ଦ ମଦ ଦୋକାନ ରହିଥିବା ବେଳେ ୧ଟି ଅନ୍ସପ ଦୋକାନ ରହିଛି ।