ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆଗକୁ ବଢ଼ିବ ଓଡ଼ିଆ ଅସ୍ମିତା, ଶ୍ରୀଜଗନ୍ନାଥ ସଂସ୍କୃତି: ବିକଶିତ ଓଡ଼ିଶା ପ୍ରସ୍ତାବରେ ସରକାରଙ୍କ ଲକ୍ଷ୍ୟ

Published By : Prameya | July 4, 2025 9:42 AM

ଭୁବନେଶ୍ୱର, ୦୪/୦୭: ଆଗକୁ ଯିବ ଓଡ଼ିଆ ଅସ୍ମିତା ଓ  ଶ୍ରୀଜଗନ୍ନାଥ ସଂସ୍କୃତି । କେବଳ  ଆମ ରାଜ୍ୟ କି ଦେଶ ଭିତରେ  ନୁହେଁ ସାରା ବିଶ୍ୱରେ ଏହାକୁ  ପ୍ରଚାର ପ୍ରସାର କରାଯିବ । ବିଶ୍ୱବ୍ୟାପୀ ମହାପ୍ରଭୁଙ୍କ ମହିମା ଗାନ କରାଯିବ । ଦେଶ ତଥା ସାରା ବିଶ୍ୱରେ ଶ୍ରୀଜଗନ୍ନାଥ ସଂସ୍କୃତିର  ସଂରକ୍ଷଣ ହେବ । ବିକଶିତ ଭାରତ-୨୦୪୭ ପାଇଁ ବିକଶିତ ଓଡ଼ିଶା-୨୦୩୬  ଲାଗି ସରକାରଙ୍କ ପରିକଳ୍ପିତ ଓଡ଼ିଶା  ଭିଜନରେ ସଂସ୍କୃତି, ଭାଷା ଏବଂ  ଐତିହ୍ୟ କ୍ଷେତ୍ରର ସମୃଦ୍ଧି ପାଇଁ ଏଭଳି ଯୋଜନା କରିଛନ୍ତି ଓଡ଼ିଶା ସରକାର । 

ପ୍ରସ୍ତାବ ମୁତାବକ ମହାବାହୁଙ୍କ ସଂସ୍କୃତିର ପ୍ରଚାର, ପ୍ରସାରକୁ  ପ୍ରୋତ୍ସାହନ ମିଳିବ । ରାଜ୍ୟରେ  ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ  ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା ହେବ ।  ସେଠାରେ ପ୍ରଭୁଙ୍କ ସମସ୍ତ ରୀତିନୀତି,  ଅବତାର, ପରମ୍ପରା ଏବଂ ସ୍କନ୍ଧ  ପୁରାଣର କାହାଣୀକୁ ଚଳଚ୍ଚିତ୍ର  ମାଧ୍ୟମରେ ଦେଖାଯିବ । ଏହାଛଡ଼ା  ରାଜ୍ୟର ଚିହ୍ନଟ ଐତିହ୍ୟସ୍ଥଳୀଗୁଡ଼ିକର  ୧୦୦% ସଂରକ୍ଷଣ ଓ ବିକାଶ ହେବ ।  ବିଶେଷ କରି ଏ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ସହ ସ୍ଥାୟୀ ଆର୍ଥିକ ସମୃଦ୍ଧି  ଦୃଷ୍ଟିରୁ ଯୁବବର୍ଗ ଏବଂ ମହିଳାମାନଙ୍କ  ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରାଯିବ ।  

ସଂସ୍କୃତି ପର୍ଯ୍ୟଟନକୁ ପ୍ରୋତ୍ସାହନ  ସ୍ୱରୂପ ଆଦର୍ଶ କଳା, ହସ୍ତଶିଳ୍ପ ଏବଂ  ହସ୍ତତନ୍ତ ଗ୍ରାମ ପ୍ରତିଷ୍ଠା କରି ସଂସ୍କୃତି  ଭିତ୍ତିକ ଅର୍ଥବ୍ୟବସ୍ଥାକୁ ବିସ୍ତାର କରାଯିବ । ବାର୍ଷିକ ୭୦୦ କୋଟି  ଟଙ୍କା ରାଜସ୍ୱ ଉପାର୍ଜନ ଲକ୍ଷ୍ୟ ରଖି  କାରିଗର ତାଲିମ ଏବଂ ନିଯୁକ୍ତି ବ୍ୟାଙ୍କ  ନିର୍ମାଣ ସହ ଓଡ଼ିଶାକୁ କାରିଗରଙ୍କ  ପାଇଁ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ  ସ୍ଥାନିତ କରାଯିବ । ପଟ୍ଟଚିତ୍ର, ଡୋକ୍ରା,  କଳା, ପିତ୍ତଳ ଭଳି ବିଭିନ୍ନ ହସ୍ତତନ୍ତ,  ହସ୍ତଶିଳ୍ପ ପାଇଁ ଉତ୍କର୍ଷ କେନ୍ଦ୍ର ବିକାଶ  ସହ ସମସ୍ତ ଜିଲ୍ଲାରେ ଅସ୍ମିତା  ଭବନ ଓ ସଂସ୍କୃତି ଭବନ ସ୍ଥାପନ  ହେବ । ସରକାରୀ ଓ ବେସରକାରୀ  ଭାଗିଦାରୀ (ପିପିପି)ରେ ସ୍ଥାନୀୟ କଳା, ହସ୍ତଶିଳ୍ପ ଓ ହସ୍ତତନ୍ତ ପାଇଁ ସମନ୍ୱିତ ବଜାର ସୃଷ୍ଟି  କରାଯିବ । ୨୦ରୁ ଅଧିକ ଐତିହ୍ୟସ୍ଥଳୀ ପାଇଁ ବିଶ୍ୱସ୍ତରୀୟ ମାନ୍ୟତା  ହାସଲ କରିବାକୁ ଲକ୍ଷ୍ୟ ରହିଛି । ତା’ ସହିତ ୟୁନେସ୍କୋ ସ୍ୱୀକୃତିପ୍ରାପ୍ତ ବିଶ୍ୱସ୍ତରୀୟ ସ୍ଥାୟୀ ଓ ଅସ୍ଥାୟୀ ଐତିହ୍ୟସ୍ଥଳୀଗୁଡ଼ିକ ମଧ୍ୟରେ ପ୍ରଥମ  ୩ଟି ମଧ୍ୟ ସ୍ଥାନିତ ହେବା ଲକ୍ଷ୍ୟ ରହିଛି । ଏହା ବ୍ୟତୀତ ଜ୍ଞାନକୌଶଳର  ସମନ୍ୱୟ ସହିତ ୫ଟି ଆଦର୍ଶ ସଂଗ୍ରହାଳୟର ବିକାଶ, ପ୍ରମୁଖ  ପର୍ଯ୍ୟଟନସ୍ଥଳୀର ବିକାଶ, ସଂଗ୍ରହାଳୟ, ସର୍ବସାଧାରଣ ମନ୍ଦିର ପରିସର  ଏବଂ ମହାପୁରୁଷଙ୍କ ସ୍ମୃତି କ୍ଷେତ୍ରରେ ଆଭାସୀ ପର୍ଯ୍ୟଟନ କିମ୍ବା ୱାକ୍‌ ଥ୍ରୁ  (ଭିଡିଓ, ଫଟୋ ଓ ଲେଖା ମାଧ୍ୟମରେ ବିଶେଷତ୍ୱ ପ୍ରଦର୍ଶନ) କରିବା ।  ଓଡ଼ିଶାର ବରପୁତ୍ର, କଳା ଏବଂ ସ୍ୱାଧୀନତା ସଂଗ୍ରାମୀ ଗ୍ରାମଗୁଡ଼ିକୁ  ପର୍ଯ୍ୟଟନସ୍ଥଳୀ ରୂପେ ବିକାଶିତ କରି ‘ଐତିହ୍ୟ ଗ୍ରାମ’ କରିବା ।  

ଭର୍ଚୁଆଲ୍‌ ହେରିଟେଜ୍‌ ଟୁର୍‌, ମନ୍ଦିର ପରିଚାଳନା ବ୍ୟବସ୍ଥା  ଏବଂ ଇ-କମର୍ସ ମାକେଟସ୍ଥଳ ସମେତ ୱାନ୍‌-ଷ୍ଟପ୍‌-ସପ୍‌ ଡିଜିଟାଲ୍‌  ପ୍ଲାଟ୍‌ଫର୍ମରେ ସର୍ବନିମ୍ନ ୫ ଲକ୍ଷ ବାର୍ଷିକ ପରିଦର୍ଶକଙ୍କୁ ଆକର୍ଷିତ  କରାଯିବ । ରଥଯାତ୍ରା, ବାଲିଯାତ୍ରା, ଧନୁଯାତ୍ରା ଏବଂ ଖଣ୍ଡଗିରି ମେଳା  ଆଦି ଐତିହାସିକ ଅନ୍ତର୍ଜାତୀୟ ଉତ୍ସବ ଏବଂ ପ୍ରବାସୀ ଓଡ଼ିଆ  ଦିବସକୁ ଏକ ଦ୍ୱିବାର୍ଷିକ ଅନ୍ତର୍ଜାତୀୟ ମେଗା ଇଭେଣ୍ଟ ଭାବରେ  ଉନ୍ନୀତ କରାଯିବ । ଏସବୁ ଲାଗି ସ୍ୱତନ୍ତ୍ର ନୀତି, ଆର୍ଥିକ ସହାୟତା,  ଗବେଷଣା ତଥା କଳାକୃତି ସଂଗ୍ରହ ପାଇଁ ରୋଡ୍‌ମ୍ୟାପ୍‌ ହେବ । ବର୍ତ୍ତମାନ ସଂସ୍କୃତି ଏବଂ ଐତିହ୍ୟ ସମ୍ବନ୍ଧୀୟ ଉତ୍ପାଦ ଓ ଉପଲବ୍ଧ  ସେବାର ରାଜସ୍ୱ ଏକ ଗୁଣା ଥିବାବେଳେ ୨୦୨୯ ବେଳକୁ ୨ ଗୁଣା,  ୨୦୩୬ ବେଳକୁ ୫ ଗୁଣା ଏବଂ ୨୦୪୭ ବେଳକୁ ୧୦ ଗୁଣା ହେବ ।  

ସେହିପରି ଜାତିସଂଘ ମାନ୍ୟତାପ୍ରାପ୍ତ ବିଶ୍ୱସ୍ତରୀୟ ସ୍ଥାୟୀ ଐତିହ୍ୟସ୍ଥଳ  ଗୋଟିଏ ଥିଲା ବେଳେ ୨୯ରେ ୫, ୩୬ରେ ୮ ଏବଂ ୪୭ ସୁଦ୍ଧା  ୧୫ କରିବାକୁ ଲକ୍ଷ୍ୟ ରହିଛି । ସେହିପରି ଜାତିସଂଘ ମାନ୍ୟତାପ୍ରାପ୍ତ  ବିଶ୍ୱସ୍ତରୀୟ ଅସ୍ଥାୟୀ ଐତିହ୍ୟସ୍ଥଳୀ କିଛି ନଥିବା ବେଳେ ୨୯ ବେଳକୁ  ୨, ୩୬ରେ ୫ ଏବଂ ୪୭ ବେଳକୁ ୭ରେ ପହଞ୍ଚିବାକୁ ପ୍ରୟାସ  କରାଯିବ । ଏହା ସହ ବିଶ୍ୱ ଏବଂ ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ  କଳାକାରଗଣ ବର୍ଦ୍ଧିତ ସଂଖ୍ୟା ୨୦୨୯ ବେଳକୁ ୧୦ରୁ ଅଧିକ,  ୩୬ରେ ୫୦ରୁ ଅଧିକ ଏବଂ ୪୭ରେ ୧୦୦ରୁ ଅଧିକକୁ ବୃଦ୍ଧି ହେବ ।  

ସରକାରଙ୍କ କହିବା କଥା, ଆମ ପରମ୍ପରା ଆମ ଗୌରବ । ସମୃଦ୍ଧ ଐତିହ୍ୟ, ଭାଷା, ସାଂସ୍କୃତିକ ସମ୍ପଦ ହେଉଛି ଓଡ଼ିଶାର ପରିଚୟ । ଆମ ପରମ୍ପରା ଆମ ଅଭିବୃଦ୍ଧିରେ ସହାୟକ ହେବ । ବର୍ତ୍ତମାନର ପର୍ଯ୍ୟଟନ  ଓ ସୃଜନଶୀଳ ଅର୍ଥ ବ୍ୟବସ୍ଥାକୁ ଇନ୍ଧନ ଯୋଗାଇବା ସହିତ ‘ଓଡ଼ିଆ  ଅସ୍ମିତା’କୁ ମଜଭୁତ କରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.