ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

୧୯୭୮ରେ ଶେଷ ଥର ହୋଇଥିଲା ରତ୍ନ ଗଣତିମଣତି, ହିସାବ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସକ

Published By : Prameya | July 4, 2025 10:36 AM

ପୁରୀ, ୦୪/୦୭: ଶେଷଥର  ଲାଗି ୧୯୭୮ ମସିହାରେ ଭିତର  ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ତିନୋଟି  ଯାକ ଭଣ୍ଡାର (ଭିତର ରତ୍ନଭଣ୍ଡାର,  ବାହାର ରତ୍ନଭଣ୍ଡାର ଏବଂ ଚଳନ୍ତି  ଭଣ୍ଡାର)ରେ ଗଚ୍ଛିତ ଥିବା ମୂଲ୍ୟବାନ  ସାମଗ୍ରୀର ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ  ହୋଇଥିଲା । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ରଥ  ବିଶେଷାଙ୍କ ‘ଶ୍ରୀମନ୍ଦିର’ରେ ମୁଖ୍ୟ  ପ୍ରଶାସକ ଏହି ସୂଚନା ଦେଇଛନ୍ତି । 

ଏଥିରେ ଉଲ୍ଲେଖ କରାଯାଇଛି,  ତତ୍କାଳୀନ ରାଜ୍ୟପାଳ ବିଡି ଶର୍ମାଙ୍କ  ଅଧ୍ୟକ୍ଷତାରେ ଗଠିତ ଶ୍ରୀମନ୍ଦିର ପ୍ରଶାସନ  ଉନ୍ନୟନ କମିଟିର ସୁପାରିସକ୍ରମେ  ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ  ମନ୍ଦିର ପରିଚାଳନା କମିଟି ଦ୍ୱାରା  ୧୯୭୮ ମେ’ ୧୩ରୁ ଜୁଲାଇ ୨୩  ମଧ୍ୟରେ ରତ୍ନଭଣ୍ଡାରର ସମସ୍ତ  ମୂଲ୍ୟବାନ ସାମଗ୍ରୀର ତାଲିକା ପ୍ରସ୍ତୁତ  ହୋଇଥିଲା । ମୋଟ ୪୫୪ଟି ସୁବର୍ଣ୍ଣ  ଅଳଙ୍କାର ଓ ଅନ୍ୟାନ୍ୟ ସୁନା ଥିଲା । ଏହାର ଓଜନ ୧୨,୮୩୮ ଭରି ୧୩/୪  ଅଣା (ମୂଲ୍ୟବାନ ପଥର ସହିତ) ।  ୮ ସୁନା ସାମଗ୍ରୀ ଓଜନ ହୋଇ ନ  ଥିଲା । 

ସେହିପରି ୨୨, ୧୫୩ ଭରି  ଓଜନର ୨୯୩ ରୁପା ପୂଜା ଉପକରଣ  ଓ ବାସନ ଥିଲା । ୬ଟି ରୁପା ସାମଗ୍ରୀ  ଓଜନ ହୋଇପାରି ନ ଥିଲା । ବିଶେଷାଙ୍କରେ ଆହୁରି ଉଲ୍ଲେଖ  ଅଛି, ୧୯୮୨ ଏବଂ ୧୯୮୫ରେ  ଖୋଲିଥିଲା ଭିତର ରତ୍ନଭଣ୍ଡାର ।  ୧୯୮୫ ଜୁଲାଇ ୧୪ରେ ଭିତର ଭଣ୍ଡାର ଖୋଲାଯାଇ ବଡ଼ଠାକୁର  ଶ୍ରୀବଳଭଦ୍ରଙ୍କୁ ଲାଗି ହେବା ପାଇଁ  ଏକ ଚିତା ବାହାରକୁ ଅଣାଯାଇଥିଲା ।  ୧୯୮୨ ଡିସେମ୍ବର ୨୬ରେ କଳାହାଟ  ଦ୍ୱାର ରୁପା ଛାଉଣି ନିମନ୍ତେ ଭିତର  ରତ୍ନଭଣ୍ଡାରରୁ ଆବଶ୍ୟକ ରୁପା ବାହାର  କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.