ନୂଆଦିଲ୍ଲୀ,୨୩/୦୮: ୨୦ ବର୍ଷରୁ  ଅଧିକ ପୁରୁଣା ଗାଡ଼ିଗୁଡ଼ିକର ପଞ୍ଜୀକରଣ ଦେୟ ବଢ଼ାଇଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ରହିଥିବା ଫି’ ତୁଳନାରେ  ଏହା ପ୍ରାୟ ଦୁଇ ଗୁଣା ହୋଇଯାଇଛି । ଏଭଳି ଗାଡ଼ିଗୁଡ଼ିକର ବ୍ୟବହାରକୁ କମାଇ ପ୍ରଦୁଷଣ ନିୟନ୍ତ୍ରଣ କରିବା  ଏ ନିଷ୍ପତ୍ତିର ଉଦ୍ଦେଶ୍ୟ । ଦେଶରେ  ପ୍ରଦୁଷଣରେ ଏହି ଗାଡ଼ିଗୁଡ଼ିକର  ଯୋଗଦାନ ରହିଛି ୪୦% ।  

ସଡ଼କ ମନ୍ତ୍ରାଳୟ ପକ୍ଷରୁ ଜାରି  ବିଜ୍ଞପ୍ତି ଅନୁସାରେ, ୨୦ ବର୍ଷରୁ ଅଧିକ  ପୁରୁଣା ମୋଟରସାଇକେଲ୍‌ଗୁଡ଼ିକର  ପଞ୍ଜୀକରଣ ରିନ୍ୟୁ ବାବଦ ଦେୟ  ୧୦୦୦ ଟଙ୍କାରୁ ୨୦୦୦ ଟଙ୍କାକୁ ବଢ଼ିଛି ।  ସେହିଭଳି ତିନିଚକିଆ କ୍ଷେତ୍ରରେ ଏହା  ୩,୫୦୦ ଟଙ୍କାରୁ ବଢ଼ି ୫,୦୦୦ ଟଙ୍କା ହୋଇଛି । ହାଲୁକା ମୋଟର୍‌ ଯାନର  ପଞ୍ଜୀକରଣ ରିନ୍ୟୁ ବାବଦ ଦେୟ  ୧୦,୦୦୦ ଟଙ୍କାକୁ ବଢ଼ାଯାଇଛି ।  

ସେହିଭଳି ଆମଦାନି ହୋଇଥିବା  ଦୁଇଚକିଆ ଏବଂ ତିନିଚକିଆର  ପଞ୍ଜୀକରଣ ରିନ୍ୟୁ ଫି’ ୨୦,୦୦୦  ଟଙ୍କାକୁ ବୃଦ୍ଧି କରାଯାଇଛି । ପୁରୁଣା ଇମ୍ପୋର୍ଟେଡ୍‌ କାର୍‌ର ପଞ୍ଜୀକରଣ ରିନ୍ୟୁ  ବାବଦ ଫି’କୁ ବର୍ତ୍ତମାନର ୧୦,୦୦୦  ଟଙ୍କାରୁ ବଢ଼ାଯାଇ ୮୦,୦୦୦ ଟଙ୍କା  କରାଯାଇଛି । ଏହି ଫି’ ସହିତ ଜିଏସ୍‌ଟି  ମିଶାଯାଇ ନ ଥିବା ସଡ଼କ ପରିବହନ  ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।