ନୂଆଦିଲ୍ଲୀ,୨୦/୧୨: ବେଆଇନ ଏବଂ ଅନିୟନ୍ତ୍ରିତ ଋଣ ପ୍ରଦାନ ଉପରେ ନିଷେଧାଦେଶ ଜାରି କରିବେ କେନ୍ଦ୍ର ସରକାର ।  ଏ ନେଇ ଏକ ଦୃଢ଼ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ରାଜ୍ୟ ଗୁଡିକ ସହ ଆଲୋଚନା କରାଯାଉଛି । ବେଆଇନ ଋଣ ପ୍ରଦାନକୁ ଜଘନ୍ୟ  ଅପରାଧ ବର୍ଗରେ ସାମିଲ କରାଯିବ । ଏଭଳି କାର୍ଯ୍ୟ କଳାପରେ ସାମିଲ ବ୍ୟକ୍ତି ବିଶେଷଙ୍କୁ ଜାମିନ ମଧ୍ୟ ମିଳିବ ନାହିଁ । ବେଆଇନ  ଋଣ ପ୍ରଦାନ କାର୍ଯ୍ୟକଳାପ ନିଷେଧାଦେଶ ବିଲ୍‌ (ବୁଲା) ଡ୍ରାଫ୍ଟ ବିଲ୍‌ ଉପରେ ଏବେ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ରାଜ୍ୟ ଗୁଡିକର ପରାମର୍ଶ ଲୋଡ଼ିଛନ୍ତି । ଫେବ୍ରୁଆରି ୧୩ ସୁଦ୍ଧା ଏ ନେଇ ମତାମତ  ଦେବେ ରାଜ୍ୟ । ଏହି ବିଲ୍‌ କାର୍ଯ୍ୟକାରୀ ହେଲେ ୧୦ ବର୍ଷ  ଯାଏ ଦଣ୍ଡ ବିଧାନ ଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  

ରିଜର୍ଭ ବ୍ୟାଙ୍କ କିମ୍ବା କୌଣସି ନିୟାମକ ସଂସ୍ଥା ଠାରୁ ଅନୁମତି ପାଇ ନ ଥିଲେ ଋଣ ପ୍ରଦାନ କରି ହେବନି । ଡିଜିଟାଲ ପ୍ଲାଟଫର୍ମରେ  ଏଭଳି ଋଣ ପ୍ରଦାନ କ୍ଷେତ୍ରରେ ୨ରୁ ୭ ବର୍ଷ ଜେଲ ଏବଂ ୧ କୋଟି  ଯାଏ ଜରିମାନା ଦେବାକୁ ହେବ । ଋଣ ଗ୍ରହୀତାକୁ ଶୋଷଣ କରୁଥିଲେ  ୩ରୁ ୧୦ ବର୍ଷ ଯାଏ ଜେଲ ଏବଂ ଜରିମାନା ଦେବାକୁ ଡ୍ରାଫ୍ଟ ବିଲ୍‌ରେ  ପ୍ରସ୍ତାବ ଦିଆଯାଇଛି । ଏ ସମ୍ପର୍କିତ ମାମଲା ଗୁଡିକ ସିବିଆଇ ତଦନ୍ତ  କରିବ । ଏବେ ଡିଜିଟାଲ ପ୍ଲାଟଫର୍ମ ଗୁଡିକରେ ଋଣ ପ୍ରଦାନ ଦ୍ୱାରା  ଲୋକଙ୍କୁ ହଇରାଣ କରିବା ମାମଲା ବଢ଼ୁଛି । ଏହା ଉପରେ ନିୟନ୍ତ୍ରଣ  ଜାରି କରିବା ଲାଗି କେନ୍ଦ୍ର ସରକାର ଏବେ ପ୍ରସ୍ତୁତ ହେଉଛନ୍ତି ।