ନୂଆଦିଲ୍ଲୀ,୩।୧୨: ‘ସଞ୍ଚାର ସାଥୀ’ ଆପ୍କୁ ନେଇ ବିବାଦ ଭିତରେ କେନ୍ଦ୍ର ସରକାର ନିଜର ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି। ଦୂରସଞ୍ଚାର ବିଭାଗ ‘ସଞ୍ଚାର ସାଥୀ’ ଆପ୍କୁ ବାଧ୍ୟତାମୂଳକ କରିବା ପାଇଁ ସ୍ମାର୍ଟଫୋନ୍ କମ୍ପାନୀ ଗୁଡିକୁ ମୋବାଇଲରେ ପ୍ରି-ଇନଷ୍ଟେଲସନ୍ କରିବା ନିର୍ଦେଶ ଦେଇଥିଲା। ଏହାକୁ ପ୍ରବଳ ବିରୋଧ କରିଥିଲେ ବିରୋଧି ଦଳ। ଏହାଦ୍ବାରା ୟୁଜରଙ୍କ ଗୋପନୀୟତାର ନେଇ ଚିନ୍ତା ପ୍ରକାଶ କରିଥିଲେ। ବିରୋଧି ଏହାକୁ ‘ଗୁଇନ୍ଦା ଆପ୍’ ବୋଲି କହିଥିଲା। ଚାରିଆଡୁ ବିବାଦ ଓ ବିରୋଧ ପରେ କେନ୍ଦ୍ର ସରକାର ନିଜ ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ସରକାର କହିଛନ୍ତି, ଫୋନ୍ରେ ପୂର୍ବରୁ ଏହି ଆପ୍କୁ ଇନଷ୍ଟଲ କରିବା ବାଧ୍ୟତାମୂଳକ ନୁହେଁ। ବୁଧବାର ଦୂରସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସରକାର ସଞ୍ଚାର ସାଥୀ ଆପ୍କୁ ପୂର୍ବରୁ ଇନଷ୍ଟଲ କରିବା ନେଇ ଯେଉଁ ନିର୍ଦେଶ ଦିଆଯାଇଥିଲା ତାକୁ ଫେରାଇ ନେଇଛନ୍ତି।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସମସ୍ତ ନାଗରିକଙ୍କୁ ସାଇବର ସିକ୍ୟୁରିଟି ଦେବା ଲକ୍ଷ୍ୟରେ ସରକାର ସବୁ ସ୍ମାର୍ଟଫୋନ୍ରେ ‘ସଞ୍ଚାର ସାଥୀ’ ପ୍ରି-ଇନଷ୍ଟଲେସନ୍ କରିବା ଜରୁରୀ କରିଥିଲେ। ଏହି ଆପ୍ ସୁରକ୍ଷିତ ଓ ସମ୍ପୂର୍ଣ୍ଣ ଭାବରେ ସାଇବର ଦୁନିଆରେ ଖରାପ ଲୋକଙ୍କଠାରୁ ନାଗରିକଙ୍କୁ ସାହାଯ୍ୟ କରିବା ପାଇଁ ରହିଛି ବୋଲି କହିଥିଲେ। ‘ସଞ୍ଚାର ସାଥୀ’ର ବଢୁଥିବା ଲୋକପ୍ରିୟତାକୁ ଦେଖି ସରକାର ମୋବାଇଲ ତିଆରି କରୁଥିବା କମ୍ପାନୀକୁ ‘ପ୍ରି-ଇନଷ୍ଟଲେସନ୍’ ଜରୁରୀ କରିବାକୁ ନିର୍ଦେଶ ଦେଇଥିଲେ। ଏପର୍ଯ୍ୟନ୍ତ ୧.୪ କୋଟି ୟୁଜର ଏହି ଆପ୍କୁ ଡାଉନଲୋଡ୍ କରିସାରିଛନ୍ତି। ପ୍ରତିଦିନ ୨୦୦୦ ଠକେଇ ଘଟଣା ବିଷୟରେ ସୂଚନା ଦେବାରେ ସାହାଯ୍ୟ କରୁଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର।
ସରକାରଙ୍କ ଏହି ନିର୍ଦେଶକୁ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଓ ରେଣୁକା ଚୌଧୁରି ପ୍ରବଳ ବିରୋଧ କରିଥିଲେ। ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ସିନ୍ଧିଆ କହିଥିଲେ ଏହି ଆପ୍ ଦ୍ବାରା ଗୁଇନ୍ଦାଗିରି କରିବା ସମ୍ଭବ ନୁହେଁ। ଏହା ୟୁଜରଙ୍କ ଇଛା ଉପରେ ନିର୍ଭର କରେ। ଯଦି କେହି ଚାହିଁବେ ତେବେ ଏହାକୁ ଫୋନ୍ରୁ ହଟାଇ ପାରିବେ। ତା ଛଡା ବିନା ରେଜିଷ୍ଟେ୍ରସନରେ ଏହି ଆପ୍ କାମ କରିବନି। କେନ୍ଦ୍ରର ଏହି ନିର୍ଦେଶ ପରେ ଏକ୍ସରେ ଟ୍ରେଣ୍ଡ କରିଥିଲା ‘ପେଗାସସ’। ଏହା ହେଉଛି ହେଉଛି ସ୍ୱତନ୍ତ୍ର ସ୍ପାଏୱେୟାର ଯାହା ଫୋନର ପ୍ରତିଟି ଜିନିଷକୁ ରେକର୍ଡ କରିବାକୁ ସକ୍ଷମ ହୋଇଥାଏ। ‘ସଞ୍ଚାରସାଥୀ’କୁ ବିରୋଧି କରି କିଛି ୟୁଜର ଏବଂ ବିରୋଧି ଦଳ ‘ପେଗାସସ’ ସହ ତୁଳନା କରିଥିଲେ।