କଟକ,୨୦/୦୫: ଅମଳ ପରେ ଶସ୍ୟ  ସୁରକ୍ଷା ନେଇ ସବୁବେଳେ ଚାଷୀଙ୍କ ଚିନ୍ତା ଥାଏ ।  ଅନେକ କ୍ଷେତ୍ରରେ ନିଜସ୍ୱ ସଂରକ୍ଷଣ ସୁବିଧା କିମ୍ବା ଘରୋଇ ସଂରକ୍ଷଣ ବ୍ୟବସ୍ଥା ଉପରେ ନିର୍ଭର କରିଥାନ୍ତି ଚାଷୀ । ଏହାସହିତ କିଛି ସ୍ଥାନୀୟ ବ୍ୟବସାୟୀ କିମ୍ବା ମଧ୍ୟସ୍ଥି ଅସ୍ଥାୟୀ ଗୋଦାମ ସୁବିଧା ଯୋଗଇଦିଅନ୍ତି, ଯେଉଁଥିରେ ଚାଷୀମାନେ ସାମୟିକ ଭାବେ ଫସଲ ସୁରକ୍ଷିତ ରଖିପାରନ୍ତି ।  କିନ୍ତୁ ଏଣିକି ଚାଷୀ ଗୋଷ୍ଠୀଙ୍କୁ ସୁବିଧା ଦେବାକୁ ସରକାରୀ ବ୍ୟବସ୍ଥା ଉପଲବ୍ଧ କରାଯିବ । କଟକ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଶସ୍ୟ ସଂରକ୍ଷଣ ଗୋଦାମ ନିର୍ମାଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ  କନ୍ଦରପୁରଠାରେ ସରକାରୀ ଯୋଜନାରେ ୫ଶହ ମେଟ୍ରିକ୍‌ ଟନ୍‌ ବିଶିଷ୍ଟ ଶସ୍ୟ ସଂରକ୍ଷଣ ଗୋଦାମ ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବାକୁ ଥିବା ଏହି ଗୋଦାମ ଯୋଗୁଁ ୩ ହଜାର ଚାଷୀ ଉପକୃତ ହୋଇପାରିବେ । 

୨୦୨୩ ମେ ୩୧ରେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ "ବିଶ୍ୱର ବୃହତ୍ତମ ଶସ୍ୟ ସଂରକ୍ଷଣ ଯୋଜନା' ଅଧୀନରେ ଓଡ଼ିଶାରେ ପାକ୍ସ (ପ୍ରାଥମିକ  କୃଷି ସମବାୟ ସମିତି) ମାଧ୍ୟମରେ ଆଧୁନିକ ଗୋଦାମ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ଯୋଜନାରେ ଓଡ଼ିଶା ଏକ ପାଇଲଟ୍ ରାଜ୍ୟ ଭାବେ ଅନ୍ତର୍ଭୁକ୍ତ, ଯେଉଁଥିରେ ୨୦୦୦ ପାକ୍ସ ଚିହ୍ନଟ କରାଯାଇଛି । 

କଟକ ଜିଲ୍ଲାର କନ୍ଦରପୁରଠାରେ ପ୍ରଥମ ପର୍ଯ୍ୟାୟରେ ଏହି ଗୋଦାମ ଗୃହ ନିର୍ମାଣ କରାଯିବ । କନ୍ଦରପୁର ଫାର୍ମସ୍‌ ସର୍ଭିସ୍‌ କୋଅପରେଟିଭ୍‌ ସୋସାଇଟି ଅଧିନରେ ଏବେ ୩ ହଜାର ୮୩ଜଣ ଚାଷୀ ପଞ୍ଜୀକୃତ ରହିଛନ୍ତି । ୧ ହଜାର ୪୮୨ ଏକର ଜମିରେ ଏମାନେ ଚାଷ କାର୍ଯ୍ୟ କରିଥାନ୍ତି । ତେବେ କନ୍ଦରପୁରଠାରେ ଏହି ଗୋଦାମ ପ୍ରତିଷ୍ଠା ହେଲେ ଚାଷୀମାନେ ଏଠାରେ ନିଜ ଉତ୍ପାଦିତ ଶସ୍ୟ ଆଦି ସଂରକ୍ଷିତ କରି ରଖିବାକୁ ସୁଯୋଗ ହାସଲ କରିପାରିବେ । ୦.୧୨ ଏକର ପରିମିତ  ଜମିରେ ଏହି ଗୋଦାମ ନିର୍ମାଣ କରାଯିବ । ଏହାର  ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ଏବେ ପ୍ରସ୍ତୁତ  କରାଯାଇଛି। ଏଥିରେ ପ୍ରାୟ ୧ କୋଟି ୩ଲକ୍ଷ ଟଙ୍କା ଖର୍ଚ୍ଚ  କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ମିଳିଛି ।