ବରଗଡ଼, ୨୮।୧୨ :  ବିଶ୍ବ ପ୍ରସିଦ୍ଧ  ବରଗଡ ଧନୁଯାତ୍ରା ପାଇଁ ଅନୁଦାନ ରାଶି   ବଢିଲା।  ଶନିବାର ରାଜ୍ୟ ସରକାର ଧନୁଯାତ୍ରା ପାଇଁ ମିଳୁଥିବା ଅନୁଦାନ ରାଶି ୧ କୋଟିକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ଅନୁଦାନ ମିଳୁଥିଲା। 

ଏହି ଅନୁଦାନ ବୃଦ୍ଧି ସହ ଧନୁଯାତ୍ରାର ପ୍ରମୁଖ ୧୭୦ କଳାକାରଙ୍କୁ ୧୦ ହଜାର ଲେଖାଏଁ  ଟଙ୍କା ସମ୍ମାନ ରାଶି ମଧ୍ୟ ମିଳିବ। ଏହା ସହ ଧନୁଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଧନୁଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ ପାଇଁ ୱେବସାଇଟ୍ ପ୍ରସ୍ତୁତ କରାଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି ସରକାର। ଆହୁରି ମଧ୍ୟ ଏଥର ଏଲଇଡି ସ୍କ୍ରିନ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଧନୁଯାତ୍ରାର ସିଧା ପ୍ରସାରଣ କରାଯିବ।

 ସୂଚନାଯୋଗ୍ୟ ଯେ, ବରଗଡ଼ ଧନୁଯାତ୍ରା ଚଳିତ ଥର ୭୭ ବର୍ଷରେ ପଦାର୍ପଣ କରୁଛି। ଏହା ଜାନୁୟାରୀ ୩ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ । ଯାହାକୁ ନେଇ ସାରା ବରଗଡ଼ ସହର ଚଳଚଂଚଳ ହୋଇ ଉଠିଥିବା ବେଳେ ଏହାର ପ୍ରସ୍ତୁତି କାମ ଯୋରସୋରରେ ଆଗେଇ ଚାଲିଛି । ଏଥିପାଇଁ ବରଗଡ଼ ହାଟପଦାଠାରେ ମହାରଜ କଂସଙ୍କ ପ୍ରାୟ ୬୦ ଫୁଟ ଉଚ୍ଚତା ଏବଂ ୧୨୦ ଫୁଟ   ପ୍ରସ୍ଥର ରାଜଦରବାର ନିର୍ମାଣ ଚାଲିଥିବା ବେଳେ  ସୁଦୁର କଲିକତାରୁ ୨୫ ଜଣ କାରିଗର ଆସି  କାମ କରୁଛନ୍ତି ।   ଚଳିତ ବର୍ଷ କଂସଙ୍କ ରାଜ ଦରବାର ଯେପରି ଅଧିକ ଆକର୍ଷଣୀୟ ହୋଇପାରିବ ସେ ନେଇ କମିଟି ଅଧିକ ଗୁରୁତ୍ୱ ଦେଉଛି।