ନୂଆଦିଲ୍ଲୀ,୨୪/୦୮: ମରିଗଲା ମାନବିକତା, ସୀମା ଟପିଲା ବର୍ବରତା । ଯୌତୁକ ଜୁଇରେ ଜଳିଲା ବୋହୂ । ଯୌତୁକ ଲୋଭରେ କୁନି ପୁଅ ଆଗରେ ମା'କୁ ଜିଅନ୍ତା ଜାଳି ହତ୍ୟା କରିଛନ୍ତି ସ୍ୱାମୀ, ଶାଶୂ ଓ ଶ୍ୱଶୁର । ଦିଲ୍ଲୀ ଗ୍ରେଟର ନୋଏଡାରୁ ଆସିଛି ଏପରି ଛାତିଥରା ଘଟଣା । ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୂ-ଶ୍ୱଶୁର ନିସ୍ତୁକ ମାଡ଼ ମାରିବା ସହିତ ନିଆଁ ଲଗାଇ ଜାଳି ଦେଇଛନ୍ତି । ଦିଲ୍ଲୀ ସ୍ଥିତ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଗତ ଗୁରୁବାର ଏହି ଘଟଣା ଘଟିଛି । ମୃତକ ମହିଳା ଦେଉଛନ୍ତି ନିକ୍କି । ସେ ବିପିନଙ୍କୁ ବିବାହ କରିଥିଲେ । ଗ୍ରେଟର ନୋଏଡାର ସିର୍ସା ଗ୍ରାମରେ ପରିବାର ସହ ରହୁଥିଲେ ।
ଅଗଷ୍ଟ ୨୧ରେ ହୋଇଥିଲା ହତ୍ୟା- ଘଟଣା ବାବଦରେ ନିକ୍କିଙ୍କ ଭଉଣୀ କାଞ୍ଚନ ଖୁଲାସା କରିଛନ୍ତି । ୨୦୧୬ରେ ଦୁଇ ଉଭଣୀ ନିକ୍କି ଓ କାଞ୍ଚନଙ୍କ ବିବାହ ଗୋଟିଏ ଘରେ ହୋଇଥିଲା । ଦୁଇ ଝିଅଙ୍କ ବିବାହ ପାଇଁ ବାପଘର ଯୌତୁକରେ ନିଜ ସାମର୍ଥ୍ୟ ଅନୁସାରେ ସବୁକିଛି ଦେଇଥିଲେ । ଦାମୀ ସ୍କ୍ରପିଓ ଦେଇଥିଲେ । ତା'ପରେ ବି ନିକ୍କିଙ୍କୁ ନିର୍ମମ ଭାବରେ ମାଡ଼ ମାରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଭଉଣୀ କାଞ୍ଚନ । ଶନିବାର ଗ୍ରେଟର ନୋଏଡାର ଏକ ପରିବାର ଉପରେ ସେମାନଙ୍କ ବୋହୂଙ୍କୁ ନିର୍ମମ ଭାବରେ ଜାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାଟି ଅଗଷ୍ଟ ୨୧ ତାରିଖରେ ଘଟିଥିଲା । ନିକ୍କିଙ୍କୁ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ଜାଳି ଦେଇଥିଲେ । ଶନିବାର ଦିନ, ମାମଲା ସହିତ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଘଟଣାର ଖୁଲାସା ହୋଇଛି ।
୮-୯ ଦିନ ହେବ ଚାଲିଥିଲା ବିବାଦ- ଗଣାମାଧ୍ୟମକୁ ସୂଚନା ଦେଇ ନିକ୍କିଙ୍କ ଉଉଣୀ କାଞ୍ଚନ ଏହି ଜଘନ୍ୟ ଘଟଣା ବାବଦରେ କହିଛନ୍ତି, ଗତ ୮-୯ ଦିନ ହେବ ନିକ୍କି ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବିବାଦ ଚାଲିଥିଲା । ନିକ୍କିଙ୍କ ମୃତ୍ୟୁ ଅଚାନକ ହୋଇନାହିଁ ସବୁ କିଛି ଫୁଲ୍ ପ୍ଲାନରେ ହୋଇଥିଲା । ନିକ୍କିଙ୍କ ସ୍ୱାମୀ ଓ ଶାଶୂ-ଶ୍ୱଶୁର ମାଡ ମାରିବା ସମୟରେ ମୁଁ ଭିଡିଓ କରିଛି । ବିପିନଙ୍କର ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରହିଛି । ଯାହା ନିକ୍କି ଜାଣି ସାରିଥିଲେ । ବିପିନ ରାତି ରାତି ଘରକୁ ଆସୁନଥିଲେ । ନିକ୍କି ପଚାରିବାରୁ ତାଙ୍କୁ ମାରୁଥିଲେ ବିପିନ । ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବାରୁ ନିକ୍କିଙ୍କୁ ହତ୍ୟା କରାଯାଇଥିବା ଦାବି କରିଛନ୍ତି ନିକ୍କିଙ୍କ ଭଉଣୀ । ଗତ ଫେବୃଆରୀରେ ବି ତାଙ୍କୁ ମାଡ଼ ମାରିଥିଲେ । ପଞ୍ଚାୟତ ବସିଥିଲା । ମୁଁ ନିକ୍କିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲି ହେଲେ ପାରିଲିନାହିଁ ।
ସୋସିଆଲ ମିଡ଼ିଆରେ ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି କି ମହିଳାଙ୍କ ସ୍ୱାମୀ ଏବଂ ପରିବାର ସଦସ୍ୟ ତାଙ୍କୁ ମାଡ଼ ମାରୁଛନ୍ତି । ମହିଳାଙ୍କ ଦେହରେ ତାଙ୍କ କୁନି ପୁଅ ଆଗରେ ହିଁ ନିଆଁ ଲଗାଇ ଦିଆଯାଇଛି । ଶିଶୁ ଜଣଙ୍କ କହିଛନ୍ତି ଯେ ତାଙ୍କ ମା'ଙ୍କ ଦେହରେ ନିଆଁ ଲଗାଇବା ପୂର୍ବରୁ ତାଙ୍କୁ ମାଡ଼ ମରାଯାଇଥିଲା । ମହିଳାଙ୍କ ପରିବାର ସଦସ୍ୟ ୩୬ ଲକ୍ଷ ଟଙ୍କା ଯୌତୁକ ଦେଇ ନପାରିବାରୁ ତାଙ୍କୁ ପୋଡ଼ି ମାରି ଦିଆଯାଇଥିବା ଅଭଯୋଗ ହୋଇଛି । ମହିଳାଙ୍କୁ ପ୍ରଥମେ ଫୋର୍ଟିସ ହସ୍ପିଟାଲ ନିଆଯାଇଥିଲା । ସେଠାରୁ ସଫଦରଜଙ୍ଗ ହସ୍ପିଟାଲ ନିଆଯାଇଥିଲା । ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଗ୍ରେଟର ନୋଏଡ଼ା ପୁଲିସ ଘଟଣାରେ ପରିବାରର ୪ ଜଣ ସଦସ୍ୟଙ୍କ ବିରୋଧରେ ମାମଲା ରଜ୍ଜୁ କରିଛି ।
'କାହିଁକି ମୋତେ ଛାଡି ଚାଲିଗଲ ? ' ପତ୍ନୀ ହତ୍ୟା ଅଭିଯୋଗରେ ନିକ୍କିଙ୍କ ସ୍ୱାମୀ ବିପିନ ଗିରଫ ହୋଇଛନ୍ତି । ଏବେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'କାହିଁକି ମୋତେ ଛାଡି ଚାଲିଗଲ ? ମୋତେ କାହିଁକି କିଛି କହିଲନି ? ତୁମେ କାହିଁକି ଏମିତି କଲ ? ସମସ୍ତେ ମୋତେ ହତ୍ୟାକାରୀ ବୋଲି କହୁଛନ୍ତି । ନିକ୍କିଙ୍କ ହତ୍ୟାକାରୀ ବୋଲି କହୁଛନ୍ତି ।''