ନୂଆଦିଲ୍ଲୀ,୧୫/୧୦: ଏଥର ଦିଲ୍ଲୀରେ ସବୁଜ ଦୀପାବଳି । ଦିଲ୍ଲୀ-ଏନ୍‌ସିଆରରେ ସବୁଜ ବାଣକୁ ସର୍ତ୍ତ ରଖି ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୨୧ ତାରିଖ ଯାଏଁ ସବୁଜ ବାଣକୁ ଅନୁମତି ମିଳିଛି । ଅସ୍ଥାୟୀ ଭାବେ ସବୁଜ ବାଣ ବିକ୍ରିକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ନିର୍ଦ୍ଧାରିତ ସ୍ଥାନରେ ହିଁ ବାଣ ବିକ୍ରି ହେବ । ରାତି ୮ରୁ ୧୦ ଯାଏ ବାଣ ଫୁଟାଇ ପାରିବେ । ନିୟମ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସିଜେଆଇ ବିଆର ଗଭାଇ କହିଛନ୍ତି ଯେ, ଆମକୁ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ । ପରିବେଶ ସହିତ କୌଣସି ପ୍ରକାରର ବୁଝାମଣା ନକରି ସଂଯମର ସହିତ ଅନୁମତି ପ୍ରଦାନ କରିବାକୁ ପଡ଼ିବ । ଦିଲ୍ଲୀ ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଥିଲେ। ଏହା ସମଗ୍ର ଏନସିଆରରେ ଲାଗୁ କରାଯାଇଥିଲା । ବାଣ ବିକ୍ରିକୁ ଅନୁମତି ମିଳିଛି । କେବଳ ୧୮-୨୧ ଅକ୍ଟୋବର ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯିବ । ପାଟ୍ରୋଲିଂ ଦଳଗୁଡ଼ିକ ସବୁଜ ବାଣ ନିର୍ମାତାଙ୍କ ଉପରେ ନିୟମିତ ଯାଞ୍ଚ କରିବେ । ସବୁଜ ବାଣର କ୍ୟୁଆର କୋଡ୍ ୱେବସାଇଟରେ ଅପଲୋଡ୍ କରାଯିବ। ପୂର୍ବରୁ ଅକ୍ଟୋବର ୧୦ରେ ଏକ ଶୁଣାଣି ପରେ, ସିଜେଆଇ ସବୁଜ ବାଣ ଫୁଟାଇବା ଉପରେ ନିର୍ଦ୍ଦେଶ ସଂରକ୍ଷିତ ରଖିଥିଲେ । ହେଲେ ସୂଚିତ କରିଥିଲେ ଯେ ଦୀପାବଳି ପାଇଁ ସବୁଜ ବାଣ ଫୁଟାଇବାକୁ ଅନୁମତି ଦିଆଯିବ ।

ସୁପ୍ରିମକୋର୍ଟଙ୍କ ସର୍ତ୍ତ-
. ୧୮-୨୧ ଅକ୍ଟୋବର ଯାଏ ଅନୁମତି
. ରାତି ୮ଟାରୁ ୧୦ ଯାଏ ବାଣ ଫୁଟାଇବାକୁ ମଞ୍ଜୁରି
.ସକାଳ ୬ ରୁ ୭ ଯାଏ ବାଣ ଫୁଟାଇ ପାରିବେ
.ଏନସିଆର ଅଞ୍ଚଳ ବାହାରୁ ବାଣ ଆଣିବାକୁ ଅନୁମତି ନାହିଁ
.ପାଟ୍ରୋଲିଂ ଦଳ ସବୁଜ ବାଣ ନିର୍ମାତାଙ୍କ ଉପରେ ନିୟମିତ ଯାଞ୍ଚ କରିବେ
.ନକଳି ବାଣ ମିଳିଲେ ଲାଇସେନ୍ସ କ୍ୟାନ୍ସେଲ ହେବ
.ସବୁଜ ବାଣ କ୍ୟୁଆର କୋର୍ଡ ୱେବସାଇଟରେ ଅପଲୋଡ ହେବ​​​​​​​

. ନିୟମ ଏବଂ ସର୍ତ୍ତାବଳୀ ଉଲ୍ଲଂଘନ କଲେ କାର୍ଯ୍ୟନୁଷ୍ଠାନ
​​​​​​​