ନୂଆଦିଲ୍ଲୀ, ୧୫/୦୧ : ଗ୍ରୀନଲ୍ୟାଣ୍ଡକୁ ଟ୍ରମ୍ପଙ୍କ ଧମକ ପରେ ନାଟୋ ଦେଶ ଆକ୍ଟିଭ୍। ଡେନମାର୍କର ନିବେଦନରେ ଗ୍ରୀନଲ୍ୟାଣ୍ଡରେ ପହଞ୍ଚିଲେ ୬ ଦେଶର ସୈନିକ। ସ୍ଵିଡେନ, ନରୱେ, ଜର୍ମାନୀ, ଫ୍ରାନ୍ସ, ନେଦରଲ୍ୟାଣ୍ଡ ଏବଂ କାନାଡ଼ା ଗ୍ରୀନଲ୍ୟାଣ୍ଡକୁ ସୈନ୍ୟ ପଠାଇଛନ୍ତି।

ଆମେରିକାର ସୁରକ୍ଷାକୁ ଦର୍ଶାଇ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ଉପରେ କବଜା କରିବାକୁ ଧମକ ଦେଇଛନ୍ତି। ଏହା ସହ ଋଷ ଓ ଚୀନ ଗ୍ରୀନଲ୍ୟାଣ୍ଡର ଫାଇଦା ଉଠାଇ ପାରନ୍ତି ବୋଲି କହିଛନ୍ତି। ଟ୍ରମ୍ପଙ୍କ ଧମକ ପରେ ଡେନମାର୍କ ନାଟୋ ଦେଶମାନଙ୍କ ଠାରୁ ସହାୟତା ଲୋଡ଼ିଛି। ଏବେ ଗ୍ରୀନଲ୍ୟାଣ୍ଡକୁ ସୁରକ୍ଷା ଦେବାକୁ ୬ ଦେଶ ସୈନ୍ୟ ସୁରକ୍ଷା ପଠାଇଛନ୍ତି। ଗ୍ରୀନଲ୍ୟାଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ସୈନ୍ୟ ମୁତୟନ କରିଛନ୍ତି।

ଗ୍ରୀନଲ୍ୟାଣ୍ଡକୁ ସ୍ଵିଡେନ ପ୍ରଥମେ ସହାୟତାର ହାତ ବଢାଇଛି। ସ୍ଵିଡେନର ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟର୍ସନ କହିଛନ୍ତି ଯେ, ଡେନମାର୍କର ନିବେଦନରେ ସେ ଗ୍ରୀନଲ୍ୟାଣ୍ଡକୁ ସୈନ୍ୟ ସୁରକ୍ଷା ପଠାଇଛନ୍ତି। ଏହାପରେ ନରୱେର ପ୍ରତିରକ୍ଷା ମନ୍ତ୍ରୀ ଟୋରେ ସ୍ୟାଣ୍ଡଭିକ୍ ସୈନ୍ୟ ପଠାଇଛନ୍ତି। ସେ କହିଛନ୍ତି ଯେ, ଆର୍କଟିକ୍ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରିବାକୁ ନାଟୋ ଦେଶ ଏକାଠି ହୋଇଛନ୍ତି। ସ୍ଵିଡେନ ଓ ନରୱେ  ପରେ ଜର୍ମାନୀ ସରକାର ଗ୍ରୀନଲ୍ୟାଣ୍ଡକୁ ୧୩ ସୈନିକ ପଠାଇଛନ୍ତି। 

ନାଟୋ ଏକଜୁଟ ପଛରେ ଉଦ୍ଦେଶ୍ୟ କଣ ?

ଡେନମାର୍କର ଅନୁରୋଧରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଗୁରୁବାର ରୁ ଶନିବାର ଯାଏଁ ଚାଲିବ। ଆଞ୍ଚଳିକ ସୁରକ୍ଷାକୁ ମଜବୁତ କରିବା ଏହାର ଉଦ୍ଦେଶ୍ୟ। ତେବେ ନାଟୋର ଏହି ଏକଜୁଟତା ପଛରେ ଉଦ୍ଦେଶ୍ୟ କଣ ? ଟ୍ରମ୍ପଙ୍କ ସପୋର୍ଟ ନା ଗ୍ରୀନଲ୍ୟାଣ୍ଡକୁ ସୁରକ୍ଷା ?  ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ। ତେବେ ସମସ୍ତ ଦେଶ ଏବେ ଗ୍ରୀନଲ୍ୟାଣ୍ଡକୁ ଖୁବ୍ କମ୍ ସୈନ୍ୟ ସହାୟତା ପଠାଇଛନ୍ତି। ବୋଧହୁଏ ଏମାନେ ଟ୍ରମ୍ପଙ୍କୁ ଏକ ପ୍ରତୀକାତ୍ମକ ଏକଜୁଟତା ଦେଖାଇବାକୁ ଚାହୁଁଛନ୍ତି। 

ଏହି ଖବରଟିକୁ ପଢନ୍ତୁ- ମଧ୍ୟପ୍ରାଚ୍ୟରେ ଆମେରିକାର ମାଳମାଳ ସେନା ଘାଟି, ଟ୍ରମ୍ପ ଆକ୍ରମଣ କଲେ ସମ୍ଭାଳି ପାରିବେନି ଖାମେନି