ଭୁବନେଶ୍ଵର, ୧୪/୦୩ : ରଙ୍ଗ ବରଷେ ଭିଗେ ଚୂନର ବାଲି ରଙ୍ଗ ବରଷେ... ହର୍ଷ ଉଲ୍ଲାସର ସହ ସାରା ଦେଶରେ ଆରମ୍ଭ ହୋଇଗଲାଣି ହୋଲି ସେଲିବ୍ରେସନ୍। ଦିଲ୍ଲୀଠୁ ନେଇ ପଲ୍ଲୀ ସବୁଠି ଉତ୍ସବମୁଖର। ପରସ୍ପରଙ୍କୁ ଅବିର ଲଗାଇ ହୋଲି ଖେଳୁଛନ୍ତି ସମସ୍ତେ। ରଙ୍ଗର ପର୍ବରେ ରଙ୍ଗୀନ ହେଲା ଦେଶ। ଦେଶବାସୀଙ୍କୁ ହୋଲିର ଶୁଭକାମନା ଦେଲେ ରାଷ୍ଟ୍ରପତିଙ୍କ ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି।  

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ଏକ୍ସରେ ଦେଶବାସୀଙ୍କୁ ହୋଲିର ଶୁଭକାମନା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, 'ରଙ୍ଗର ପର୍ବ ହୋଲିର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆନନ୍ଦର ଏହି ପର୍ବ ଏକତା, ପ୍ରେମ ଏବଂ ସଦ୍ଭାବନାର ବାର୍ତ୍ତା ଦିଏ। ଏହି ପର୍ବ ଭାରତର ମୂଲ୍ୟବାନ ସାଂସ୍କୃତିକ ଐତିହ୍ୟର ମଧ୍ୟ ପ୍ରତୀକ। ଏହି ପବିତ୍ର ଅବସରରେ, ଆସନ୍ତୁ ଆମେ ସମସ୍ତେ ଭାରତ ମାତାର ସମସ୍ତ ସନ୍ତାନଙ୍କ ଜୀବନରେ ନିରନ୍ତର ପ୍ରଗତି, ସମୃଦ୍ଧି ଏବଂ ଖୁସିର ରଙ୍ଗ ଆଣିବା ପାଇଁ ପ୍ରତିଜ୍ଞା କରିବା।'

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, 'ସମସ୍ତଙ୍କୁ ହୋଲିର ଶୁଭେଚ୍ଛା। ଆମର ଆଶା ଯେ ଆନନ୍ଦ ଏବଂ ଖୁସିରେ ପରିପୂର୍ଣ୍ଣ ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂତନ ଉତ୍ସାହ ଏବଂ ଶକ୍ତି ସଞ୍ଚାର କରୁ ଏବଂ ଦେଶବାସୀଙ୍କ ମଧ୍ୟରେ ଏକତାର ରଙ୍ଗକୁ ଆହୁରି ଘନିଷ୍ଠ କରୁ।'

ଏହି କ୍ରମରେ ଉତ୍ତର ପ୍ରଦେଶରେ ହର୍ଷ ଉଲ୍ଲାସର ସହ ହୋଲି ପାଳନ ହୋଇଛି। ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ରଙ୍ଗର ବର୍ଷା ହୋଇଛି। ମଥୁରାର ଦ୍ୱାରକାଧୀଶ ମନ୍ଦିରରେ ମଧ୍ୟ ଖୁବ୍ ଆଡ଼ମ୍ଵରରେ ହୋଲି ପାଳନ କରାଯାଇଛି। ଶ୍ରୀକୃଷ୍ଣଙ୍କ ପ୍ରେମ ରଙ୍ଗରେ ଭକ୍ତମାନେ ଭିଜିଛନ୍ତି। ମନ୍ଦିରରେ ଅବିର, ଗୁଲାଲ ଏବଂ କେସର ସହିତ ହୋଲି ଖେଳାଯାଇଛି। ସାରା ଦେଶରୁ ହଜାର ହଜାର ଭକ୍ତ ଏହି ଅନନ୍ୟ ହୋଲିର ସାକ୍ଷୀ ହୋଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରାକୁ ନେଇ ବଡ଼ ଖବର , ଗ୍ରୀନକାର୍ଡ ବିନା ଏହି ଗାଡ଼ି ଗୁଡ଼ିକୁ ମିଳିବନି ଏଣ୍ଟ୍ରି